ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ଚୀନ ସେନାକୁ ରାଷ୍ଟ୍ରପତି ଜିନପିଙ୍ଗଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଲଦାଖରେ ଭାରତ ଓ ଚୀନ ସେନା ମଧ୍ୟରେ ଉତ୍ତେଜନା ଜାରି ରହିଥିବାବେଳେ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗ୍ ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ)କୁ ନିର୍ଦ୍ଦେଶ ଦେଇଛନ୍ତି ।

ଚୀନର ସିନହୁଆ ସମ୍ବାଦ ସରବରାହ ଏଜେନ୍ସିର ରିପୋର୍ଟକୁ ଉଦ୍ଧାର କରି ସିଏନଏନ କହିଛି ଯେ ଗତ କାଲି ସି ଜିନପିଙ୍ଗ୍ ଗୁଆଡୋଙ୍ଗ୍ ରାଜ୍ୟରେ ଥିବା ଏକ ସାମରିକ ଘାଟିକୁ ଯାଇ ଚୀନ ସେନାକୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ନିଜର ସମସ୍ତ ବୁଦ୍ଧି ଓ ବଳକୁ ଲଗାଇ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ସେ କହିଛନ୍ତି । ପିଏଲଏର ମେରାଇନ ବାହିନୀର ପରିଦର୍ଶନ କରିବା ଅବସରରେ ସେ ସେନାକୁ ସର୍ବାଧିକ ସତର୍କ ରହିବାକୁ ଓ  ସଂପୂର୍ଣ୍ଣ ବିଶ୍ବସ୍ତ ଓ ଭରସାଯୋଗ୍ୟ ରହିବାକୁ କହିଛନ୍ତି ।

ଲଦାଖରେ ଗତ ୬ ମାସ ହେଲା ଚୀନ ଓ ଭାରତୀୟ ସେନା ମୁହାଁମୁହିଁ ଅବସ୍ଥାରେ ଅଛନ୍ତି । ଉତ୍ତେଜନା ହ୍ରାସ ପାଇଁ ଉଭୟ ପକ୍ଷ ମଧ୍ୟରେ ଗତ କିଛି ମାସ ମଧ୍ୟରେ ଅନେକ ଥର ଆଲୋଚନା ହୋଇଥିଲେ ମଧ୍ୟ ତାହାର କୌଣସି ସମାଧାନ ମିଳିପାରୁନାହିଁ । ଶେଷଥର ପାଇଁ ଗତ ମଙ୍ଗଳବାରଦିନ ଅନୁଷ୍ଠିତ ଆଲୋଚନା ୧୧ ଘଣ୍ଟା ଧରି ଚାଲିଥିଲେ ମଧ୍ୟ ଏଥିରୁ ସମସ୍ୟାର ସମାଧାନର ପନ୍ଥା ମିଳିପାରିନାହିଁ । ଏପରିକି ଚୀନ ଏହି ଉତ୍ତେଜନା ପାଇଁ ଭାରତକୁ ଦାୟୀ କରୁଛି ।

ସମ୍ବନ୍ଧିତ ଖବର