ବେଜିଂ : ଚୀନର କରୋନା ପରିସ୍ଥିତି ସଂପର୍କରେ ଆଜି ପ୍ରଥମ ଥର ପାଇଁ ଏକ ବୟାନ ଜାରି କରିଛନ୍ତି ଚୀନ ରାଷ୍ଟ୍ରପତି ସି ଜିନ ପିଙ୍ଗ୍ । ଜୀବନ ବଞ୍ଚାଇବାକୁ ସେ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।
ସ୍ବାସ୍ଥ୍ୟକର୍ମୀମାନଙ୍କୁ ସେ କହିଛନ୍ତି, ତୁମେମାନେ ଏକ ସୁନିଶ୍ଚିତ ଉପାୟରେ ଜାତୀୟତାବାଦୀ ସ୍ବାସ୍ଥ୍ୟ ସେବା ଅଭିଯାନ ଆରମ୍ଭ କରିବା ଉଚିତ୍ । ମହାମାରୀ ନିବାରଣ, ନିୟନ୍ତ୍ରଣ ଓ ଲୋକମାନଙ୍କ ଜୀବନ ଓ ସ୍ବାସ୍ଥ୍ୟ ବଞ୍ଚାଇବାକୁ ଲୋକମାନଙ୍କୁ ନେଇ ଏକ ପ୍ରତିରକ୍ଷା ବ୍ୟବସ୍ଥା ସୃଷ୍ଟି କର ।
ସୂଚନାଯୋଗ୍ୟ ଯେ ଚୀନରେ ଏବେ କରୋନା ମହାମାରୀ ସାଂଘାତିକ ସ୍ତରରେ ପହଞ୍ଚିଯାଇଛି । ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଆକ୍ରାନ୍ତ ହେବା ସହ ହଜାର ହଜାର ଲୋକ ମୃତ୍ୟୁମୁଖରେ ପଡ଼ୁଛନ୍ତି । ଚୀନର ହସପିଟାଲ ଓ ଶ୍ମଶାନଗୁଡ଼ିକର ବ୍ୟବସ୍ଥା ଭୁଷୁଡ଼ିଯାଇଛି । ସ୍ଥିତି ଏପରି ହୋଇଛି ଯେ ଲୋକମାନେ ନିଜ ପରିଜନଙ୍କ ମୃତଦେହକୁ ସର୍ବସାଧାରଣ ସ୍ଥାନରେ ପୋଡ଼ିଦେଉଛନ୍ତି ।
ଏହାକୁ ଦୃଷ୍ଟିରେ ରଖି ଗତକାଲି ଚୀନର ଜାତୀୟ ସ୍ବାସ୍ଥ୍ୟ କମିଶନ ଘୋଷଣା କରିଥିଲେ ଯେ ଆସନ୍ତା ମାସଠାରୁ ଆଉ କୋଭିଡ୍ ତଥ୍ୟ ଜାରି କରାଯିବ ନାହିଁ । କେବଳ ଗବେଷଣା ପାଇଁ ଏହି ତଥ୍ୟକୁ ବ୍ୟବହାର କରାଯିବ ।
ଡିସେମ୍ବର ୨୦ ସୁଦ୍ଧା ଚୀନରେ ପ୍ରାୟ ୨୫ କୋଟି ଲୋକ ଆକ୍ରାନ୍ତ ହୋଇଥିବା ପୂର୍ବରୁ ଏହି କମିଶନ ଘୋଷଣା କରିଥିଲା ।