ନୂଆଦିଲ୍ଲୀ: ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ କହିଛନ୍ତି ଚୀନ୍ର ଜାତୀୟ ସୁରକ୍ଷାରେ ଅସ୍ଥିରତା ବଢ଼ୁଛି। ତେଣୁ ପିଏଲ୍ଏକୁ ଯୁଦ୍ଧ ଲଢ଼ିବାପାଇଁ ଏବଂ ଯୁଦ୍ଧ ଜିତିବାପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ। ଜିନପିଙ୍ଗ ଲଗାତାର ୩ ଥର ପାଇଁ ଚୀନ୍ ସେନାର ସୁପ୍ରିମୋ ଦାୟିତ୍ବ ନେବାପରେ ଏଭଳି ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ଜିନପିଙ୍ଗ କହିଛନ୍ତି, ଚୀନ୍ର ଜାତୀୟ ସୁରକ୍ଷା ପ୍ରତି ବିପଦ ବଢ଼ୁଛି ତେଣୁ ସେନାକୁ ଏହାର ଯୁଦ୍ଧ ଦକ୍ଷତା ବଢ଼ାଇବାକୁ ପଡ଼ିବ ଏବଂ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ। ୬୯ ବର୍ଷୀୟ ଜିନପିଙ୍ଗ ସିପିସି (କମ୍ୟୁନିଷ୍ଟ ପାର୍ଟି ଅଫ୍ ଚାଇନା)ର ମହାସଚିବ ଭାବେ ପୁନଃ ନିଯୁକ୍ତ ହୋଇଛନ୍ତି ଏବଂ ସିଏମ୍ସି (ସେଣ୍ଟ୍ରାଲ ମିଲିଟାରି କମିସନ୍)ର ସେ ମୁଖ୍ୟ ହୋଇଛନ୍ତି।
ଦଳର ପ୍ରତିଷ୍ଠାତା ମାଓ ସେ ତୁଙ୍ଗଙ୍କ ପରେ ସେ ହେଉଛନ୍ତି ଏକମାତ୍ର ନେତା ଯିଏ କି ୧୦ ବର୍ଷ କାର୍ଯ୍ୟକାଳ ଶେଷ କରିବା ପରେ ବି କ୍ଷମତାରେ ଅଛନ୍ତି। ମଙ୍ଗଳବାର ଦିନ ଜିନପିଙ୍ଗ ସିଏମ୍ସିର ଅପରେସନ କମାଣ୍ଡ ସେଣ୍ଟର୍ ପରିଦର୍ଶନ କରିଥିଲେ। ସିଏମ୍ସି ମୁଖ୍ୟଭାବେ ତାଙ୍କ ତୃତୀୟ କାର୍ଯ୍ୟକାଳ ଆରମ୍ଭ କରିବା ସମୟରେ ଜିନପିଙ୍ଗ ସେନା ସଦସ୍ୟଙ୍କୁ ଉଦ୍ବୋଧନ ଦେଇ କହିଛନ୍ତି ଯେ ବିଶ୍ବରେ ଅନେକ ପରିବର୍ତ୍ତନ ଦେଖାଦେଇଛି ଏବଂ ଚୀନ୍ର ଜାତୀୟ ସୁରକ୍ଷାରେ ଅସ୍ଥିରତା ଓ ଅନିଶ୍ଚିତତା ବଢ଼ିଛି। ତେଣୁ ସାମରିକ ରଣନୀତି ଓ ଏହାର ରୂପାୟନକୁ ଅଧିକ ପ୍ରାଥମିକତା ଦିଆଯିବ।। ଜିନପିଙ୍ଗ କହିଛନ୍ତି, ସମଗ୍ର ସେନାବାହିନୀ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ଏବଂ ଯୁଦ୍ଧ ଦକ୍ଷତା ବଢ଼ାଇବାପାଇଁ ସମସ୍ତ ଶକ୍ତି ଲଗାଇ ଦେବାକୁ ପଡ଼ିବ।