ଇସ୍‌ଲାମାବାଦ: ସଂପ୍ରତି ପାକିସ୍ତାନରେ ଚୀନ୍‌ ପକ୍ଷରୁ ନିର୍ମାଣାଧୀନ ଥିବା ଚୀନ୍‌ ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି) ସଂପର୍କରେ ଏକ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି ପାକିସ୍ତାନ୍‌ର ଜନୈକ ବରିଷ୍ଠ ସାଂସଦ।

Advertisment

ପାକିସ୍ତାନ ପିପୁଲସ୍‌ ପାର୍ଟି (ପିପିପି)ର ବରିଷ୍ଠ ସାଂସଦ ନଓ୍ଵାବ୍‌ ମହମ୍ମଦ ୟୁସୁଫ୍‌ ତାଲ୍‌ପୁର ପାକିସ୍ତାନ ପାର୍ଲିଆମେଣ୍ଟର ନ୍ୟାସନାଲ ଆସେମ୍ଲିରେ ଗତ ସୋମବାର ଅଭିଯୋଗ କରି କହିଛନ୍ତି ଯେ ଚୀନ୍‌ ତା’ର ଜେଲ୍‌ଖାନାମାନଙ୍କରେ ବନ୍ଦୀଥିବା ଅପରାଧୀମାନଙ୍କୁ ବହୁସଂଖ୍ୟାରେ ପାକିସ୍ତାନକୁ ପଠାଇବା ସହ ସେମାନଙ୍କୁ ଏହି ସିପିଇସି ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ମୁତୟନ କରାଇଛି। ଏପରିପ୍ରେକ୍ଷୀରେ ପାକିସ୍ତାନର ନିରାପତ୍ତା ବିପନ୍ନ ହୋଇଛି ବୋଲି ମଧ୍ୟ ଦର୍ଶାଇଛନ୍ତି ପିପିପି ସାଂସଦ ୟୁସୁଫ୍‌। ଚୀନ୍‌ ତା’ ଦେଶର ଅପରାଧୀମାନଙ୍କୁ ପାକିସ୍ତାନ ପଠାଇବା ସହ ନିର୍ମାଣ କାର୍ଯ୍ୟରେ ମୁତୟନ କରିବା ସଂପୂର୍ଣ୍ଣ ବେଆଇନ୍‌ ହୋଇଥିବା ବେଳେ ଏଥିପାଇଁ ଚୀନ୍‌ ପାକିସ୍ତାନ ସରକାରଙ୍କ ସହ ଏକ ଗୁପ୍ତ ବୁଝାମଣା ସ୍ୱାକ୍ଷର କରିଛି। କାରଣ, ଏପରି ହୋଇ ନଥିଲେ କେବେବି ଗୋଟିଏ ଦେଶ ତା’ ନିଜ ଦେଶର ଅପରାଧୀମାନଙ୍କୁ ଅନ୍ୟ ଏକ ଦେଶକୁ ପଠାଇବା ପାଇଁ ସାହସ କରନ୍ତା ନାହିଁ।
publive-image
ତେବେ, ଚୀନ୍‌ର ଅପରାଧୀମାନେ ପାକିସ୍ତାନକୁ ଆସିବା ପରେ ପାକିସ୍ତାନରେ ଅପରାଧିକ କାର୍ଯ୍ୟକଳାପ ବହୁ ମାତ୍ରାରେ ବୃଦ୍ଧି ପାଇଛି। କାରଣ, କରାଚିରେ ନିକଟ ଅତୀତରେ ଘଟିଯାଇଥିବା ବହୁ ଏଟିଏମ୍‌ ଲୁଟି କମ୍ପ୍ୟୁଟର ଜାଲିଆତି ଘଟଣାରେ ପାକିସ୍ତାନ ପୋଲିସ୍‌ ହାତରେ ଚୀନ୍‌ର ଏହିପରି ବହୁ ଅପରାଧୀ ଗିରଫ ହୋଇଛନ୍ତି ବୋଲି ମଧ୍ୟ କହିଛନ୍ତି ପିପିପି ସାଂସଦ ୟୁସୁଫ୍‌। ପୂର୍ବରୁ ପାକିସ୍ତାନରେ ଏପ୍ରକାରର ଅପରାଧ ଦେଖିବା ପାଇଁ ମିଳୁ ନଥିଲା। କାରଣ ପାକିସ୍ତାନର ଅପରାଧୀମାନେ ଏଧରଣର ଅପରାଧ ଘଟାଇବା ପାଇଁ ସଂପୂର୍ଣ୍ଣ ଅନଭିଜ୍ଞ।

ପାକିସ୍ତାନର ଏକ ଜାତୀୟ ଗଣମାଧ୍ୟମ ଚୀନ୍‌ ତା’ ଦେଶର ଜେଲ୍‌ଖାନାମାନଙ୍କରେ ବନ୍ଦୀଥିବା ଅପରାଧୀମାନଙ୍କୁ ଆଣି ସିପିଇସି ପ୍ରୋଜେକ୍ଟରେ ଖଟାଉଥିବା ସଂପର୍କରେ ଏକ ଅନୁସନ୍ଧାନମୂଳକ ରିପୋର୍ଟ ପ୍ରକାଶ କରିଛି। ଅନ୍ୟପକ୍ଷରେ, ପାକିସ୍ତାନର ଆଭ୍ୟନ୍ତରୀଣ ବ୍ୟାପାର ସଚିବ ଏପ୍ରକାର ଅଭିଯୋଗ ଖଣ୍ଡନ କରିବା ପରିବର୍ତ୍ତେ କହିଛନ୍ତି ଯେ ସିପିଇସି ପ୍ରକଳ୍ପରେ କାର୍ଯ୍ୟ କରୁଥିବା ଚୀନା ଶ୍ରମିକମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖିବା ସହ ସେମାନଙ୍କ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରିଛୁ। ତେବେ, କେବଳ ସିପିଇସି ନୁହେଁ ପାକିସ୍ତାନରେ ବର୍ତ୍ତମାନ ନିର୍ମାଣାଧୀନ ଅନେକ ପ୍ରକଳ୍ପରେ କାର୍ଯ୍ୟ କରୁଛନ୍ତି ଚୀନା ଅପରାଧୀମାନେ। ଫଳରେ ଏବେ ଏମାନଙ୍କ ଦ୍ୱାରା ପାକିସ୍ତାନରେ ବିଭିନ୍ନ ପ୍ରକାରର ଅପରାଧ ଘଟିବା ସହ ପାକିସ୍ତାନରେ ଅପରାଧର ମାତ୍ରାରେ ବୃଦ୍ଧି ଘଟିଛି ବୋଲି ମଧ୍ୟ ପ୍ରକାଶ କରିଛି ଏହି ସମ୍ବାଦପତ୍ର।