ନୂଆଦିଲ୍ଲୀ: ଶନିବାର ରାତିରେ ମହାରାଷ୍ଟ୍ରର କେତେକ ଅଞ୍ଚଳର ଆକାଶରେ ଦେଖା ଦେଇଥିବା ‘ଜ୍ବଳନ୍ତ ଅଗ୍ନି-ରେଖା’ ଉଲ୍କାପାତ ଭଳି ଜଣାପଡ଼ିଥିଲେ ବି ପ୍ରକୃତରେ ତାହା ଥିଲା ଗୋଟାଏ ଚୀନା ରକେଟ୍ର ଅଂଶବିଷେଶ। ଉକ୍ତ ଚୀନା ରକେଟ୍ର କିଛି ଅଂଶ ପୃଥିବୀର ବାୟୁମଣ୍ଡଳ ମଧ୍ୟକୁ ପୁନଃପ୍ରବେଶ କରିବା ବେଳେ ବାୟୁ ସହ ଘର୍ଷଣ ହେବାରୁ ଜଳିଉଠିଥିଲା ବୋଲି ଜଣେ ଆମେରିକୀୟ ବୈଜ୍ଞାନିକ କହିଛନ୍ତି।
ଏହା ଥିଲା ଫେବ୍ରୁଆରି ୨୦୨୧ରେ ଚୀନ୍ ଉତ୍କ୍ଷେପଣ କରିଥିବା ‘ଚାଙ୍ଗ୍ ଝେଙ୍ଗ୍ ୫ବି ରକେଟ୍’। ମହାଶୂନ୍ୟରେ ଘୂରିବୁଲୁଥିବା ଉକ୍ତ ରକେଟ୍ର ଅଂଶବିଶେଷ ଶନିବାର ରାତିରେ ପୃଥିବୀର ବାୟୁମଣ୍ଡଳରେ ପୁନଃପ୍ରବେଶ କରି ଭାରତୀୟ ଆକାଶରେ ଜଳି ଉଠିଥିଲା। ଉଲ୍ଲେଖନୀୟ, ପୃଥିବୀର ବାୟୁମଣ୍ଡଳ ମଧ୍ୟକୁ ପୁନଃପ୍ରବେଶ କରୁଥିବା ଅଧିକାଂଶ ରକେଟ୍ର ଭଗ୍ନାଂଶ ପବନ ସହିତ ଘର୍ଷଣ ଯୋଗୁଁ ଜଳିଯାଉଥିବାରୁ ଭୂପୃଷ୍ଠରେ ପଡ଼ି କିଛି କ୍ଷତି କରିପାରେ ନାହିଁ।
ଯୁକ୍ତରାଷ୍ଟ୍ର ଆମେରିକାର ଜ୍ୟୋର୍ତିବିଜ୍ଞାନୀ ଜନାଥନ୍ ମ୍ୟାକ୍ଡୋୱେଲ୍ କହିଛନ୍ତି ଯେ, ଆଜି (ଶନିବାର) ‘୩ବି ରକେଟ୍’ର ଅଂଶବିଶେଷ ପୃଥିବୀର ବାୟୁମଣ୍ଡଳ ମଧ୍ୟକୁ ପୁନଃପ୍ରବେଶ କରିବ ବୋଲି ଆଶା କରାଯାଉଥିଲା।
ସୂଚନାଯୋଗ୍ୟ, ଚୀନ୍ ନିର୍ମାଣ କରୁଥିବା ମହାକାଶ ଗବେଷଣା କେନ୍ଦ୍ରକୁ ଆବଶ୍ୟକୀୟ ଉପକରଣ ଓ ଅନ୍ୟାନ୍ୟ ସାମଗ୍ରୀ ନେଇ ‘ଲଙ୍ଗ୍ ମାର୍ଚ ୫’ ରକେଟ୍ ସବୁ ମହାକାଶକୁ ଯାଉଛି। ଏହି ମହାକାଶ କେନ୍ଦ୍ରରେ ଚୀନ୍ର ମହାକାଶଚାରୀମାନେ ଅବସ୍ଥାନ କରି ଚନ୍ଦ୍ର ଓ ବୃହଷ୍ପତି ଉପରେ ଗବେଷଣା କରିବେ।