ଭାରତୀୟ ସେନାକୁ ନେଇ ଚିନ୍ତାରେ ଚୀନ୍‌

ଭାରତୀୟ ଯବାନ କାହିଁକି ଶିଖୁଛନ୍ତି ଚୀନ୍‌ ଭାଷା

ନୂଆଦିଲ୍ଲୀ : ଏବେ ଭିନ୍ନ କାରଣ ପାଇଁ ଚୀନ୍‌ ପ୍ରତିରକ୍ଷା ବିଶେଷଜ୍ଞମାନେ ଭାରତ ପଟୁ ଅପ୍ରତ୍ୟାଶିତ ବିପଦ ଆଶଙ୍କା ପ୍ରକଟ କରିଛନ୍ତି। ଭାରତୀୟ ଯବାନମାନେ ଚୀନ୍‌ ଭାଷା(ମାଣ୍ଡାରିନ୍‌) ଶିଖୁଥିବା ଖବର ଚୀନ ସାମରିକ ଦିଗଦର୍ଶକଙ୍କ ଚିନ୍ତା ବଢ଼ାଇଦେଇଛି। ଏହାଦ୍ୱାରା ଚୀନ୍‌ ସେନାବାହିନୀ(ପିଏଲ୍‌ଏ) ଉପଭୋଗ କରି ଆସୁଥିବା କିଛି ନିର୍ଦ୍ଦିଷ୍ଟ ସାମରିକ ସୁବିଧାସୁଯୋଗ ହାତଛଡ଼ା ହୋଇଯିବ ବୋଲି ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି। ଭବିଷ୍ୟତରେ କୌଣସି କାରଣରୁ ସୀମାରେ ଦୁଇ ଦେଶର ସେନାବାହିନୀ ମଧ୍ୟରେ ବିବାଦ ଉପୁଜିଲେ ଭାରତୀୟ ଯବାନଙ୍କ ଏହି ସ୍ୱତନ୍ତ୍ର ଭାଷାଜ୍ଞାନ ସେମାନଙ୍କୁ ଆଗୁଆ ରଖିବ ବୋଲି ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି।

ସୂଚନା ଥାଉ କି, ଭାରତୀୟ ଅର୍ଦ୍ଧସାମରିକ ବଳ ଆଇଟିବିପିର କିଛି ଯବାନ ଏବଂ ଅଧିକାରୀଙ୍କର ଏକ ଦଳ ମାଣ୍ଡାରିନ୍‌ ଭାଷା ତାଲିମ ନେଉଛନ୍ତି ବୋଲି ଗତ ମାସରେ ଖବର ପ୍ରସାରିତ ହୋଇଥିଲା। ମଧ୍ୟପ୍ରଦେଶର ରାଇସେନ ଜିଲ୍ଲା ସ୍ଥିତ ସାଞ୍ଚି ବିଶ୍ୱବିଦ୍ୟାଳୟ ଅଧୀନରେ ସେମାନେ ଏହି ଚୀନ୍‌ ଭାଷାରେ ପ୍ରଶିକ୍ଷିତ ହେଉଥିବା ସ୍ପଷ୍ଟ ହୋଇଛି। ତେବେ ଯବାନମାନଙ୍କ ଏହି ଭାଷା କୌଶଳ ଚୀନ୍‌ ସୀମାରେ କୌଣସି ଆଶୁ ଭୁଲ୍‌ ବୁଝାମଣା ଆଶଙ୍କାକୁ ହ୍ରାସ କରିବ ବୋଲି ଭାରତ ପକ୍ଷରୁ କୁହାଯାଉଛି। ମାତ୍ର ଚୀନ୍‌ର ପ୍ରତିରକ୍ଷା ବିଶେଷଜ୍ଞମାନେ ଏଥିରେ କିଛି ଅଭିସନ୍ଧି ଥିବା ଆଶଙ୍କା କରୁଛନ୍ତି। ଶାନ୍ତ ପରିବେଶରେ ଭାରତୀୟ ଯବାନଙ୍କ ଏହି ମାଣ୍ଡାରିନ୍‌ ଜ୍ଞାନ ଭୁଲ୍‌ ବୁଝାମଣାକୁ ଦୂର କରିଦେଇପାରେ ବୋଲି ସେମାନେ ଏକମତ। ମାତ୍ର ଯୁଦ୍ଧ ଭଳି ପରିସ୍ଥିତିରେ ଏହା ଅନ୍ୟତମ ଅସ୍ତ୍ର ଭାବେ କାମ କରିବ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଭାରତୀୟ ଯବାନମାନେ ମାଣ୍ଡାରିନ୍‌କୁ ଠିକ୍‌ରେ ହଜମ କରିପାରିଲେ ସେମାନେ ଚୀନ୍‌ ସୈନିକଙ୍କ ହାବଭାବ ଠଉରାଇ ନିର୍ଦ୍ଦିଷ୍ଟ ଲକ୍ଷ୍ୟରେ ପହଞ୍ଚିବାରେ ସଫଳ ହୋଇଯିବେ। ଏପରିକି ଘଡ଼ିସନ୍ଧି ମୁହୂର୍ତ୍ତରେ ଚୀନ୍‌ ସୈନିକମାନଙ୍କ ମଧ୍ୟରେ ହେଉଥିବା ଗୋପନ ବାର୍ତ୍ତା ବିନିମୟକୁ ମଧ୍ୟ ଭାରତୀୟ ଯବାନମାନେ ବୁଝିପାରି ତଦନୁସାରେ ସଜାଗ ହୋଇଯିବେ ବୋଲି କୁହାଯାଉଛି।

ତେବେ ଚୀନ ବିଶେଷଜ୍ଞଙ୍କ ଏପରି ଆଶଙ୍କା ଡୋକଲାମ୍‌ ସ୍ଥିତି ଶାନ୍ତ ଥିବା ସତ୍ତ୍ୱେ ଭିତରେ ଭିତରେ ସେମାନଙ୍କ ମନରେ ତାହା ପାଉଁଶ ତଳର ନିଆଁ ଭଳି ରହିଥିବା ଚର୍ଚ୍ଚା ହେଉଛି। ବିଭିନ୍ନ କ୍ଷେତ୍ରରେ ଚୀନ୍‌ ସହ ସହଯୋଗର ହାତ ବଢ଼ାଇବାକୁ ଭାରତ ପ୍ରସ୍ତୁତ ଥିବା ବେଳେ ଚୀନ୍‌ର ଏଭଳି ଆଶଙ୍କା ତାହାର ଅସଲ ମୁଖା ଖୋଲି ଦେଇଛି। ଭାରତର ହାତୀ ଏବଂ ଚୀନ୍‌ର ଡ୍ରାଗନ୍‌ ଆଉ ଲଢ଼େଇ ନକରି ନୃତ୍ୟଗୀତରେ ଆମୋଦିତ ହେବାର ସମୟ ଆସିଛି ବୋଲି ନିକଟରେ ଚୀନ ବୈଦେଶିକ ମନ୍ତ୍ରୀ ଓ୍ଵାଙ୍ଗ୍‌ ୟି ଦେଇଥିବା ବକ୍ତବ୍ୟରେ କେତେ ଆନ୍ତରିକତା ରହିଛି ବୋଲି ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୂଚନାଯୋଗ୍ୟ, ବିବାଦୀୟ ଡୋକଲାମ୍‌ ଅଞ୍ଚଳରେ ଗତବର୍ଷ ଭାରତ ଓ ଚୀନ୍‌ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ପରିସ୍ଥିତି ଏବେ ଶାନ୍ତ ପଡ଼ିଥିଲେ ମଧ୍ୟ ସୈନିକମାନଙ୍କ ସବୁଦିନିଆ ରହଣି ପାଇଁ ଚୀନ ସ୍ଥାୟୀ ନିର୍ମାଣ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର