ଜଟିଳ ହେଲା ମାଳଦ୍ୱୀପ ସଂକଟ : ଭାରତକୁ ଡରେଇବା ଲାଗି ଯୁଦ୍ଧଜାହଜ ପଠାଇଲା ଚୀନ

ନୂଆଦିଲ୍ଲୀ : ଆହୁରି ଜଟିଳ ହୋଇଛି ମାଳଦ୍ୱୀପ ସଂକଟ । ଭାରତର ବିରୋଧ ସତ୍ତ୍ୱେ ମାଳଦ୍ୱୀପ ସରକାର ଜରୁରୀପରିସ୍ଥିତିର ମିଆଦକୁ ଆହୁରି ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି । କିନ୍ତୁ ଏଥିରେ ଭାରତ ପକ୍ଷରୁ ସାମରିକ ହସ୍ତକ୍ଷେପ କରିବାର ସମ୍ଭାବନା ଥିବାରୁ ଚୀନ ଏ ଅଂଚଳକୁ ନିଜର ଯୁଦ୍ଧ ଜାହଜ ପଠାଇଛି । ମାଳଦ୍ୱୀପ ଉପକୂଳକୁ ଚୀନ ଯୁଦ୍ଧ ଜାହଜ ପଠାଇବା ଦ୍ୱାରା ପରିସ୍ଥିତି ଆହୁରି ଜଟିଳତା ଆଡ଼କୁ ଗତି କରୁଛି । ମିଳିଥିବା ସୂଚନା ମୁତାବକ ଚୀନ ନୌସେନାର ଏକ ଡେଷ୍ଟ୍ରୟର, ଏକ ଫ୍ରିଗେଟ୍‌, ୩୦ ହଜାର ଟନ ଆମ୍ଫିବିୟସ ଟ୍ରାନ୍ସପୋର୍ଟ ଡକ୍‌ ଓ ୩ଟି ସପୋର୍ଟ ଟ୍ୟାଙ୍କର ପଠାଇଛି । ଏହା ଭାରତ ପାଇଁ ଏକ ବଡ଼ ସତର୍କ ଘଣ୍ଟି ବୋଲି ବିଶେଷଜ୍ଞମାନେ କହିଛନ୍ତି । ଏହା କେବଳ ମାଳଦ୍ୱୀପ ସଂକଟ ନୁହେଁ, ଦକ୍ଷିଣ ଚୀନ ସାଗର ପରି ଭାରତ ମହାସାଗରକୁ ନିଜର ପ୍ରଭାବକୁ ବଢାଇବାକୁ ଚୀନ ଉଦ୍ୟମ କରୁଛି ।

ସମଗ୍ର ଏସିଆରେ ଭାରତ ହିଁ ଏକମାତ୍ର ଦେଶ ଯିଏକି ଚୀନର ଧମକକୁ ଭୁକ୍ଷେପ କରୁନାହିଁ । ଭାରତ ହିଁ ଏସିଆରେ ଏକମାତ୍ର ଦେଶ ଯିଏକି ଆଗାମୀ ଦିନରେ ଚୀନର ଏକାଧିପତ୍ୟକୁ ଚ୍ୟାଲେଞ୍ଜ କରିପାରିବାଭଳି କ୍ଷମତା ରଖୁଛି । ଏଣୁ ଏସିଆରେ ଭାରତର ପ୍ରଭାବକୁ ରୋକିବାକୁ ଚୀନ ବେଶ ଯୋଜନାବଦ୍ଧ ପଦକ୍ଷେପ ନେଉଛି । ନେପାଳ, ଶ୍ରୀଲଙ୍କା ଓ ମାଳଦ୍ୱୀପ ପରି ଭାରତର ପାରମ୍ପରିକ ବନ୍ଧୁରାଷ୍ଟ୍ରମାନଙ୍କୁ ମଧ୍ୟ ନିଜ ପଟକୁ ନେଇସାରିଲାଣି ଚୀନ । ବିଶେଷକରି ଭାରତର ସର୍ବାଧିକ ପ୍ରଭାବ ଥିବା ଭାରତ ମହାସାଗରରେ ଭାରତକୁ ଘେରିବାକୁ ଚୀନ ଉଦ୍ୟମ କରୁଛି ।

ସମ୍ବନ୍ଧିତ ଖବର