ନୂଆଦିଲ୍ଲୀ : ଚୀନର ଏକ ଜାହାଜ ଉଆନ ୟାଙ୍ଗ୍-୫ ଶ୍ରୀଲଙ୍କା ଅଭିମୁଖେ ଆସୁଛି ଓ ଏହା ଆସନ୍ତା ଅଗଷ୍ଟ ୧୧ରେ ଶ୍ରୀଲଙ୍କାର ହାମ୍ବନଟୋଟା ବନ୍ଦରରେ ପହଞ୍ଚିବ । ଏହାକୁ ନେଇ ଭାରତ ସରକାର ଚିନ୍ତା ପ୍ରକଟ କରିବା ସହ ନିଜର ଚିନ୍ତାକୁ କଲମ୍ବୋକୁ ଜଣାଇଦେଇଛି ।

Advertisment

ସାମୁଦ୍ରିକ ଗବେଷଣା ପାଇଁ ଏହି ଜାହାଜ ଶ୍ରୀଲଙ୍କା ଆସୁଥିବା ଚୀନ କହୁଥିଲେ ବି ଏହା ଯେ ଚୀନ ନୌସେନାର ଏକ ଶକ୍ତିଶାଳୀ ଗୁପ୍ତଚର ଜାହାଜ ତାହା ଭାରତ ଗୁଇନ୍ଦା ଏଜେନ୍ସି ର' ସରକାରଙ୍କୁ ନିଜ ରିପୋର୍ଟରେ ସୂଚୀତ କରିଛି । ଭାରତ ଉପରେ ନଜର ରଖିବାକୁ ଏହି ଜାହାଜ ଆସୁଥିବା ର' ସରକାରଙ୍କୁ ଜଣାଇଦେଇଛି ।

ଗୁଇନ୍ଦା ରିପୋର୍ଟ ଅନୁସାରେ ଏହି ଜାହାଜର ଏରିଆଲ ରେଞ୍ଜ ହେଉଛି ପ୍ରାୟ ୭୫୦ କିଲୋମିଟର । ଏହାର ଅର୍ଥ ହେଉଛି ଶ୍ରୀଲଙ୍କା ବନ୍ଦରରେ ଥାଇ ଏହି ଜାହାଜ ସମଗ୍ର ଦକ୍ଷିଣ ଭାରତ ଉପରେ ନିଜର ରଖିପାରିବ । ଦକ୍ଷିଣ ଭାରତରେ ଭାରତର କେତେକ ଗୁରୁତ୍ବପୂର୍ଣ୍ଣ ସାମରିକ ପ୍ରତିଷ୍ଠାନ ରହିଛି । ସେଗୁଡ଼ିକ ମଧ୍ୟରେ ରହିଛି ବିଶାଖାପାଟଣା ଓ କୋଚିରେ ନୌସେନା ଘାଟି, ତାମିଲନାଡ଼ୁର କୁଦାନକୁଲମ ଓ କଳ୍ପକମ ଆଣବିକ କେନ୍ଦ୍ର, ଇସ୍ରୋ ଇତ୍ୟାଦି । ଏସବୁ ପ୍ରତିଷ୍ଠାନ ଉପରେ ଚୀନ ନିଜର ଗୁପ୍ତଚର ଜାହାଜ ମାଧ୍ୟମରେ ତଥ୍ୟ ସଂଗ୍ରହ କରିପାରିବ । ଏଣୁ ଏହି ଜାହାଜକୁ ନେଇ ଭାରତ ଚିନ୍ତିତ ହୋଇପଡ଼ିଛି । ପୁଣି ଶ୍ରୀଲଙ୍କାରେ ରାଜନୈତିକ ଅସ୍ଥିରତା ଚାଲିଥିବାବେଳେ ଏହି ଜାହାଜ ଆସିବା ଚୀନର କୌଣସି ଗୋପନ ଉଦ୍ଦେଶ୍ୟକୁ ଦର୍ଶାଉଛି ।

ଅନ୍ୟପକ୍ଷରେ, ଭାରତ ସରକାର ଏହି ପ୍ରସଙ୍ଗକୁ ନେଇ ଶ୍ରୀଲଙ୍କା ଉପରେ ବି ବିରକ୍ତ ହୋଇଛନ୍ତି । ଗୋଟିଏପଟେ ଭାରତ ଶ୍ରୀଲଙ୍କାକୁ ଶହ ଶହ କୋଟି ଟଙ୍କାର ସହାୟତା କରିଚାଲିଥିବାବେଳେ ସେଠାକାର ସରକାର କିପରି ଚୀନ ଜାହାଜକୁ ଅନୁମତି ଦେଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।