ଲଦାଖର ଚୁସୁଲ ସେକ୍ଟରରୁ ଗିରଫ ‌ହୋଇଥିବା ଚୀନ ଯବାନଙ୍କୁ ନିଜ ଦେଶକୁ ପଠାଇବାର ବନ୍ଦୋବସ୍ତ କରୁଛି ଭାରତୀୟ ସେନା

ଲଦାଖ: ପୂର୍ବ ଲଦାଖର ଚୁସୁଲ ସେକ୍ଟରର ଗୁରୁଙ୍ଗ ପାହାଡ଼ ନିକଟରେ ଭାରତୀୟ ସୀମା ଭିତରକୁ ପ୍ରବେଶ କରିଥିବା ଜଣେ ଚୀନା ଯବାନଙ୍କୁ ସେନା ଅଟକ ରଖିଥୁଲା। ସେହି ଯବାନଙ୍କୁ ଏବେ ତାଙ୍କ ଦେଶକୁ ଫେରାଇ ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି। ଜାଣିବାକୁ ମିଳିଛି ‌‌ଯେ ପିପୁଲ୍ସ ଲିବରେସନ୍ ଆର୍ମି(ପିଏଲ୍‌ଏ)ର ଏହି ଯବାନ ଜଣକ ବାଟ ଭୁଲି ଭୁଲ୍‌‌ରେ ଭାରତୀୟ ସୀମା ଭିତରକୁ ପ୍ରବେଶ କରି ଆସିଥିଲେ।

‌ପିଏଲ୍‌ଏର ଏହି ଯବାନଙ୍କୁ ଆଜି କିମ୍ବା ରବିବାର (ଆସନ୍ତାକାଲି) ତାଙ୍କ ଦେଶକୁ ପଠାଇ ଦିଆଯିବାର ବନ୍ଦୋବସ୍ତ କରାଯାଉଛି । ନିକଟରେ ଏକ ସରକାରୀ ବିବୃତିରେ ଘୋଷଣା କରାଯାଇଥିଲା ଯେ ଶୁକ୍ରବାର ସକାଳେ ଜଣେ ଚୀନା ଯବାନଙ୍କୁ ଭାରତ ସୀମା ପାର୍‌ କରିଥିବା ବେଳେ ଧରାଯାଇଥିଲା। ଯବାନ ଜଣଙ୍କୁ ଭାରତୀୟ ସେନା ଗିରଫ କରିଥିଲା।

ଉଲ୍ଲେଖଯୋଗ୍ୟ, ଗତ ଏକ ବର୍ଷ ହେବ ଭାରତ-ଚୀନ ମଧ୍ୟରେ ସୀମା ବିବାଦ ଉପୁଜିବା ପରେ ପରେ ସୀମାରେ ଉଭୟ ପକ୍ଷର ସୈନ୍ୟ ନିୟୋଜିତ ହୋଇଥିଲେ। ଭାରତ ଓ ଚୀନ ମଧ୍ୟରେ ରହିଥିବା ତିକ୍ତ ସଂପର୍କ ଭିତରେ ବି  ଚୀନ ସେନାର ଯବାନ କେଉଁ ପରିସ୍ଥିତିରେ ସୀମା ପାର୍‌ କରି ଭାରତ ପଶି ଆସିଥିଲେ ସେ ନେଇ ତଦନ୍ତ ଆରମ୍ଭ ହୋଇଛି ବୋଲି ଭାରତୀୟ ‌ସେନା ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର