ଭାରତୀୟ ସେନା ଦ୍ବାରା ଗିରଫ ହୋଇଥିବା ଚୀନ ସୈନିକଙ୍କୁ ନିଜ ଦେଶକୁ ଫେରାଇ ଦିଆଗଲା

ନୂଆଦିଲ୍ଲୀ : ଗତ ସୋମବାର ଦିନ ପୂର୍ବ ଲଦାଖର ଡେମ୍‌ଚୋକ ସେକ୍ଟରରେ ଭାରତୀୟ ସେନା ଦ୍ୱାରା ଗିରଫ ହୋଇଥିବା ଚୀନ ସୈନିକକୁ ମଙ୍ଗଳବାର ରାତିରେ ଚୀନ ସେନାକୁ ଫେରାଇ ଦିଆଯାଇଛି । ଗତକାଲି ରାତିରେ ଚୁସୁଲ ମୋଲଡୋ ମିଟିଂ ପଏଣ୍ଟରେ ଭାରତୀୟ ସେନା ଚୀନ୍ ସୈନିକ କର୍ପୋରାଲ ୱାଙ୍ଗ ୟା ଲଙ୍ଗଙ୍କୁ ଚୀନ୍ ସେନାକୁ ହସ୍ତାନ୍ତର କରିଥିବା ସୂଚନା ରହିଛି । ଭାରତୀୟ ସେନା ପକ୍ଷରୁ ସୋମବାର କୁହାଯାଇଥିଲା ଯେ ଚୀନ୍ ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲ୍ଏ)ର ଏହି ସୈନିକଙ୍କୁ କିଛିଟା ଔପଚାରିକତା ଶେଷ ହେବା ପରେ ତାଙ୍କ ଦେଶକୁ ଫେରାଇ ଦିଆଯିବ ବୋଲି।

ଉଲ୍ଲେଖଯୋଗ୍ୟ, ଲଦାଖରେ ଭାରତ ଓ ଚୀନ ସେନା ଗତ ପ୍ରାୟ ୬ ମାସ ହେଲା ମୁହାଁମୁହିଁ ଅବସ୍ଥାରେ ଥିବାବେଳେ ସୋମବାର ଭାରତୀୟ ସେନା ଜଣେ ଚୀନ ସୈନିକକୁ ଗିରଫ କରିଥିଲା। ଉକ୍ତ ସୈନିକ ଚୀନର ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ)ର ୬ଷ୍ଠ ମୋଟରାଇଜଡ୍ ଇନଫାଣ୍ଟ୍ରି ଡିଭିଜନର ସଦସ୍ୟ ବୋଲି ଜଣାପଡ଼ିଛି ।

ଚୀନର ଏହି ସୈନିକଙ୍କୁ ସୋମବାର ଧରାଯିବା ପରେ ତଲାସୀ ବେଳେ ତାଙ୍କ ନିକଟରୁ ସେନା ଓ ବ୍ୟକ୍ତିଗତ କାଗଜପତ୍ର ମିଳିଥିଲା । ତେବେ କୌଣସି ମାରଣାସ୍ତ୍ର ମିଳିନଥିଲା ବୋଲି ସୂଚନା ରହିଛି। ସେ ନିଜର ୟାକ୍ (ଚମରୀ ଗାଈ) ସନ୍ଧାନରେ ଏପଟକୁ ଆସିଥିବା ସଫେଇ ଦେଇ କହିଥିଲେ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ଜୁନ ୧୫ ରେ ଗଲୱାନରେ ଉଭୟ ଭାରତ ଓ ଚୀନ ସେନା ମଧ୍ୟରେ ସଂଘର୍ଷ ଘଟି ୨୦ ଭାରତୀୟ ଯବାନ ସହିଦ ହୋଇଥିଲେ । ଏଥିରେ ଚୀନର ମଧ୍ୟ ସୈନିକ ନିହତ ହୋଇଥିଲେ ମଧ୍ୟ ଚୀନ ମୃତକଙ୍କ ସଂଖ୍ୟା ପ୍ରକାଶ କରିନାହିଁ ।

ସମ୍ବନ୍ଧିତ ଖବର

Comments are closed.