ଭାରତ ଓ ଆଉ କେତେକ ଦେଶକୁ ଟାର୍ଗେଟ୍‌ କରି ଛଡ଼ାଯାଇଥିଲା ‘ଚୀନା ସ୍ପାଏ ବେଲୁନ୍‌’: ରିପୋର୍ଟ

ନୂଆଦିଲ୍ଲୀ: ଭାରତ ଓ ଜାପାନ ସମେତ ଆଉ କେତେକ ଦେଶକୁ ‘ଟାର୍ଗେଟ୍‌’ କରି କେତେଗୁଡ଼ିଏ ଚୀନା ‘ସ୍ପାଏ ବେଲୁନ୍‌’ ଛଡ଼ାଯାଇଥିବା କଥା ମଙ୍ଗଳବାର ଦିନ ‘ଦି ୱାସିଂଟନ୍‌ ପୋଷ୍ଟ୍‌’ ରିପୋର୍ଟ କରିଛି।

ଶନିବାର ଦିନ ଚୀନ୍‌ର ଗୋଟାଏ ସ୍ପାଏ ବେଲୁନ୍‌କୁ କ୍ଷେପଣାସ୍ତ୍ର ପ୍ରୟୋଗ କରି ନଷ୍ଟ କରି ଦେବା ପରେ ଆମେରିକୀୟ ସରକାରୀ ଅଧିକାରୀମାନେ ଭାରତ ସମେତ ଯୁକ୍ତରାଷ୍ଟ୍ର ଆମେରିକାର ମିତ୍ର ରାଷ୍ଟ୍ରମାନଙ୍କ ଉଦ୍ଦେଶ୍ୟରେ ଉପରୋକ୍ତ କଥା କହିଛନ୍ତି।

‘ୱାସିଂଟନ୍‌ ପୋଷ୍ଟ୍‌’ ରିପୋର୍ଟ ଅନୁସାରେ, କିଛି ବର୍ଷ ହେବ ଚୀନ୍‌ର ଦକ୍ଷିଣ ଉପକୂଳର ହାଇନାନ୍‌ ପ୍ରଦେଶରୁ ଛଡ଼ାଯାଉଥିବା ‘ଏହି ପର୍ଯ୍ୟବେକ୍ଷଣକାରୀ ବେଲୁନ୍‌’ ଜାପାନ, ଭାରତ, ଭିଏତ୍‌ନାମ, ତାଇୱାନ୍‌ ଏବଂ ଫିଲିପ୍ପିନ୍‌ସ୍‌ ଆଦି ଦେଶର ସାମରିକ ଭିତ୍ତିଭୂମି ସଂକ୍ରାନ୍ତରେ ସୂଚନା ସଂଗ୍ରହ କରୁଛି। ନାମ ଗୋପନ ରଖିଥିବା କେତେକ ପ୍ରତିରକ୍ଷା ଓ ଗୁଇନ୍ଦା ଅଧିକାରୀଙ୍କ ସହିତି କରାଯାଇଥିବା ସାକ୍ଷାତ୍‌କାର ଉପରେ ‘ୱାସିଂଟନ୍‌ ପୋଷ୍ଟ୍‌’ ଉକ୍ତ ରିପୋର୍ଟ ଆଧାରିତ।

Image Courtesy of Millennium Post

ଚୀନ୍‌ର ‘ପିପୁଲ୍‌ସ୍‌ ଲିବରେସନ୍‌ ଆର୍ମି’ର ବାୟୁସେନାଦ୍ବାରା ପରିଚାଳିତ ଏହି ‘ପ‌ର୍ଯ୍ୟବେକ୍ଷଣ ଏୟାର୍‌ସିପ୍‌’ଗୁଡ଼ିକ ୫ଟି ମହାଦେଶ ଆକାଶରେ ଦୃଶ୍ୟମାନ ହୋଇଥିବା କଥା ଉପରୋକ୍ତ ରିପୋର୍ଟରେ ଉଲ୍ଲେଖ ଅଛି। ଗତ ଅଳ୍ପ କିଛି ବର୍ଷ ହେବ ହାୱାଇ, ଫ୍ଲୋରିଡା, ଟେକ୍ସାସ୍‌ ଏବଂ ଗୁଆମ୍‌ରେ ଅନ୍ୟୂନ ୪ଟି ‌ଏହି ଧରଣର ବେଲୁନ୍‌ ଦୃଷ୍ଟିଗୋଚର ହୋଇଛି।

ଉଚ୍ଚ ଆକାଶରେ ଉଡୁଥିବା ଉକ୍ତ ବେଲୁନ୍‌କୁ ନଷ୍ଟ କରିଦିଆଯିବା ପରେ ସମୁଦ୍ରରୁ ଉଦ୍ଧାର କରାଯାଇଥିବା ତା’ର କେତେକ ଅଂଶବିଶେର ଗୁଡ଼ାଏ ଫଟୋ ମଙ୍ଗଳବାର ଦିନ ପେଣ୍ଟାଗନ୍‌ ରିଲିଜ୍‌ କରିଥିଲା।

ସମ୍ବନ୍ଧିତ ଖବର