ନୂଆଦିଲ୍ଲୀ: ଭାରତର ସାମ୍ପ୍ରତିକ ଆର୍ଥିକ ଅଭିବୃଦ୍ଧି ଓ ବୈଦେଶିକ ନୀତିକୁ ଚୀନ୍‌ର ପ୍ରମୁଖ ରାଷ୍ଟ୍ରାୟତ ଗଣମାଧ୍ୟମ ‘ଗ୍ଲୋବାଲ୍‌ ଟାଇମ୍‌ସ୍‌’ ପ୍ରଶଂସା କରିଛି।

Advertisment

‘ଭାରତ ନ୍ୟାରେଟିଭ୍‌’ ରୂପାୟନ କ୍ଷେତ୍ରରେ ଭାରତର ସାମଗ୍ରିକ ଆତ୍ମବିଶ୍ବାସ ଓ ଆବଶ୍ୟକ ପରିବର୍ତ୍ତନ ଲାଗି ଗ୍ରହଣ କରାଯାଇଥିବା ପଦକ୍ଷେପ ସବୁକୁ ଜାନୁଆରି ୨ ତାରିଖରେ ପ୍ରକାଶିତ ଉକ୍ତ ଆଲେଖ୍ୟରେ ପ୍ରାଧାନ୍ୟ ଦିଆଯାଇଛି।

‘ପୁଦାନ୍‌ ୟୁନିଭର୍ସିଟି’ରେ ଦକ୍ଷିଣ ଏସୀୟ ଅଧ୍ୟୟନ କେନ୍ଦ୍ରର ନିର୍ଦେଶକ ଝାଙ୍ଗ୍‌ ଜିଆଡଙ୍ଗ୍‌ ଲେଖିଥିବା ଉକ୍ତ ଆଲେଖ୍ୟରେ ଗତ ୪ ବର୍ଷ ହେବ ଭାରତର ଉଲ୍ଲେଖନୀୟ ଅଗ୍ରଗତି ଉପରେ ଗୁରୁତ୍ବାରୋପ କରାଯାଇଛି।

ଏହାଛଡ଼ା, ଭାରତର ଆର୍ଥିକ ଅଭିବୃଦ୍ଧି, ନଗରାଞ୍ଚଳ ଶାସନ ଓ ଆନ୍ତର୍ଜାତିକ ସମ୍ପର୍କ, ବିଶେଷ କରି ଚୀନ୍‌ ପ୍ରତି, ମନୋଭାବ ପରିବର୍ତ୍ତନକୁ ମଧ୍ୟ ଏଥିରେ ସ୍ବୀକୃତି ଦିଆଯାଇଛି।

publive-image Image Courtesy of News18

ଆଲେଖ୍ୟରେ ଝାଙ୍ଗ୍‌ ଲେଖିଛନ୍ତି, ସେହିପରି, ଭାରତ ଅର୍ଥନୈତିକ ବିକାଶ ଓ ସାମାଜିକ ଶାସନ ‌କ୍ଷେତ୍ରରେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ସଫଳତା ହାସଲ କରିଛି। ଭାରତୀୟ ଅର୍ଥନୀତିର ଗତିବେଗ ବୃଦ୍ଧି ପାଇଛି ଏବଂ ଭାରତ ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ହେବାକୁ ଯାଉଛି।

ରାଜନୈତିକ ଓ ସାଂସ୍କୃତିକ କ୍ଷେତ୍ରରେ ମଧ୍ୟ ସମ୍ପ୍ରତି ଭାରତ ଭାରତରୁ ଉତ୍ପତ୍ତି ହୋଇଥିବା ଗଣତାନ୍ତ୍ରିକ ରାଜନୀତି ଉପରେ ଆହୁରି ଅଧିକ ଗୁରୁତ୍ବାରୋପ କରୁଛି ବୋଲି ସେ ମତ ଦେଇଛନ୍ତି।

ଏହି ଆଲେଖ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆରମ୍ଭ କରିଥିବା ଏକାଧିକ ସମାନ୍ତରଳ ଦ୍ବିପାକ୍ଷିକ ସମ୍ପର୍କକୁ ମଧ୍ୟ ପ୍ରଶଂସା କରାଯାଇଛି। ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ପ୍ରସଙ୍ଗରେ ନିରପେକ୍ଷତା ଅବଲମ୍ବନ କରି ଭାରତ କିଭଳି, ଆମେରିକା, ଜାପାନ, ଓ ରୁଷ୍‌ ସହିତ ସମ୍ପର୍କ ସୁଦୃଢ଼ କରିପାରିଛି ବୋଲି ଝାଙ୍ଗ୍‌ ମତ ଦେଇଛନ୍ତି।