ଲଣ୍ଡନ: ଆମେରିକୀୟ ଓ ବ୍ରିଟିସ ଜାହାଜ ପାଇଁ ଚୀନ୍ ଯେଉଁ ଯନ୍ତା ବସାଇଥିଲା, ସେହି ଯନ୍ତାରେ ନିଜର ଏକ ପରମାଣୁଶକ୍ତି-ଚାଳିତ ବୁଡ଼ାଜାହାଜ ପଡ଼ି ବୁଡ଼ିଯାଇଛି। ଏଥିରେ କ୍ୟାପ୍ଟେନ ଓ ୨୧ ଜଣ ଅଫିସରଙ୍କ ସମେତ ୫୫ ଜଣ ଚୀନ୍ ନୌ-ସୈନିକଙ୍କର ମୃତ୍ୟୁ ଘଟିଥିବା ଏକ ଲିକ୍ ହୋଇଥିବା ବ୍ରିଟିସ ଗୁଇନ୍ଦା ରିପୋର୍ଟରୁ ଜଣାପଡ଼ିଛି। ତେବେ ଚୀନ୍ ପକ୍ଷରୁ ଏହି ରିପୋର୍ଟକୁ ଅସ୍ବୀକାର କରାଯାଇଛି।
ଇଂଲଣ୍ଡ-ଭିତ୍ତିକ ଦ ଟାଇମ୍ସର ରିପୋର୍ଟର ଅନୁସାରେ, ୟେଲୋ ସି (ପୀତ ସାଗର)ରେ ଏହି ଦୁର୍ଘଟଣା ଘଟିଛି। ସାଙ୍ଘାଇର ଉତ୍ତରକୁ ଶାନଡୋଙ୍ଗ ପ୍ରଦେଶ ନିକଟରେ ବିଦେଶୀ ଜାହାଜ ପାଇଁ ବସାଇଥିବା ନିଜ ଯନ୍ତାରେ ଅଗଷ୍ଟ ୨୧ରେ ପଡ଼ିଯାଇଥିଲା ଚୀନ୍ ନୌସେନାର ଏହି ବୁଡ଼ାଜାହାଜ ୦୯୩-୪୧୭। ହାଇପୋକ୍ସିଆ (ଅମ୍ଳଜାନ ଅଭାବ) ଯୋଗୁ ୫୫ ଜଣ ଲୋକଙ୍କର ମୃତ୍ୟୁ ଘଟିଥିଲା। ଚୀନ୍ ନୌସେନା ଆମେରିକା ଓ ବ୍ରିଟିସ ଜାହାଜ ପାଇଁ ଲଗାଇଥିବା ଚେନ୍ ଓ ଆଙ୍କର ପ୍ରତିବନ୍ଧକ ସହ ମାଡ଼ ହେବା ଫଳରେ ଚୀନ୍ର ବୁଡ଼ାଜାହାଜଟିରେ ସିଷ୍ଟମ୍ ଫେଲିଓର ଦେଖାଯାଇଥିଲା। ଜାହାଜରେ ଥିବା ଅମ୍ଳଜାନ ବ୍ୟବସ୍ଥା ବିଷାକ୍ତ ହେବାରୁ ଏଭଳି ସ୍ଥିତି ଉପୁଜିଥିଲା।