ନୂଆଦିଲ୍ଲୀ: ପାକିସ୍ତାନର କରାଚୀ ବନ୍ଦରରେ ଚୀନ୍ର ଆଗଧାଡ଼ିର ଅନେକ ଯୁଦ୍ଧ ଜାହାଜ, ଏକ ବୁଡ଼ାଜାହାଜ ଏବଂ ଫ୍ଲିଟ୍ ସପୋର୍ଟ ଜାହାଜର ଉପସ୍ଥିତି ନେଇ ବିଭିନ୍ନ ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ଅସଲ କଥା ହେଲା, ବେଜିଂ ଏବଂ ଇସଲାମାବାଦ ସେମାନଙ୍କର ସର୍ବବୃହତ ମିଳିତ ନୌସେନା ସମରାଭ୍ୟାସ ଆରମ୍ଭ କରିଛନ୍ତି।
ଦ’ ସି ଗାର୍ଡିଆନ୍-୩ ନୌସେନା ସମରାଭ୍ୟାସ ଏପରି ଏକ ସମୟରେ ହେଉଛି ଯେତେବେଳେ ଚୀନ୍ ଭାରତ ମହାସାଗରର ଜଳସୀମାରେ ନିଜର ସାମୁଦ୍ରିକ ଉପସ୍ଥିତିକୁ ଯଥେଷ୍ଟ ବିସ୍ତାର କରିଛି। ଏଥିରେ ହର୍ଣ୍ଣ ଅଫ୍ ଆଫ୍ରିକାର ଜିବୁଟିରେ ଏକ ପ୍ରମୁଖ ନୌସେନା ଘାଟି ନିର୍ମାଣ ସହ ପାକିସ୍ତାନ ନୌସେନାକୁ ୪ଟି ଟାଇପ୍-୦୫୪ ଏ/ପି ଫ୍ରିଗେଟ୍ ସମେତ ଅନେକ ଆଧୁନିକ ଅସ୍ତ୍ରଶସ୍ତ୍ର ବିକ୍ରି କରିଛି।
ଗତ ବର୍ଷକ ମଧ୍ୟରେ ଭାରତ ମହାସାଗରରେ ଚୀନ୍ର ଅନେକ ସର୍ଭିଲାନ୍ସ (ଗୁଇନ୍ଦା) ଏବଂ ଓସୋନୋଗ୍ରାଫିକ୍ ସର୍ଭେ ଜାହାଜକୁ ମଧ୍ୟ ଠାବ କରାଯାଇଛି। ଚଳିତ ମାସ ପ୍ରାରମ୍ଭରେ ଚୀନର ଏକ ମହାସାଗର ଗବେଷଣା ଜାହାଜ ସି ୟାନ୍ ୬ କଲୋମ୍ବୋ ବନ୍ଦରରେ ଲଙ୍ଗର ପକାଇଥିଲା। ସଂପ୍ରତି, ବଙ୍ଗୋପସାଗର ସମେତ ଭାରତ ମହାସାଗରର ଜଳସୀମାରେ ଚୀନ୍ ସକ୍ରିୟ ଭାବେ ନିଜର ବୁଡ଼ାଜାହାଜ ଚଳାଚଳକୁ ସକ୍ରିୟ କରୁଛି ବୋଲି ତଥ୍ୟାଭିଜ୍ଞ ମହଲରେ ଚର୍ଚ୍ଚା ହେଉଛି।
କରାଚୀ ବନ୍ଦରରେ ଏବେ ଚୀନ୍ ନୌସେନାର ଟାଇପ୍ ୦୩୯ ଡିଜେଲ୍-ଇଲେକ୍ଟ୍ରିକ୍ ବୁଡ଼ାଜାହାଜ ମଧ୍ୟ ଲଙ୍ଗର ପକାଇଛି। ଏହି ବୁଡ଼ାଜାହାଜର ଶକ୍ତି ଓ ସାମର୍ଥ୍ୟ ଏବେ ବି ଅନେକ ରାଷ୍ଟ୍ରଙ୍କ ପାଇଁ ରହସ୍ୟ ହୋଇ ରହିଥିବା ବେଳେ ଚୀନ୍ ଏହାକୁ ନିଜ ବନ୍ଦରରୁ ଆଣି ହଜାର ହଜାର କିଲୋମିଟର ଦୂରରେ ମୁତୟନ କରିବା ଘଟଣା ବହୁ ରାଷ୍ଟ୍ରଙ୍କୁ ଚକିତ କରିଛି। ଅନ୍ୟ ପକ୍ଷରେ ଏହି ଅଭ୍ୟାସରେ ଚୀନ୍ର ନୌସେନା ଅଂଶଗ୍ରହଣ କରିବା ସହ ଚୀନର ପରମାଣୁ ଶକ୍ତି ସଂପନ୍ନ ବୁଡ଼ାଜାହାଜ ମଧ୍ୟ ମୁତୟନ କରାଯାଇଛି କି ନାହିଁ ତାହା ଏଯାବତ ସ୍ପଷ୍ଟ ହୋଇନାହିଁ।
ସି ଗାର୍ଡିୟନ୍ ଅଭ୍ୟାସ ପାଇଁ ଭାରତ ମହାସାଗରରେ ଚୀନ୍ ଯୁଦ୍ଧ ଜାହାଜ ମୁତୟନ ଉପରେ ଭାରତ ନିରନ୍ତର ନଜର ରଖିଛି। ସୂତ୍ରରୁ ପ୍ରକାଶ ଯେ ଟାଇପ୍-୦୩୯ ବୁଡ଼ାଜାହାଜ ଏବଂ ତା ସହିତ ଥିବା ସହଯୋଗୀ ଜାହାଜ ସବୁ ମଲାକା ଷ୍ଟ୍ରେଟ୍ ଦେଇ ଏହି ଅଞ୍ଚଳରେ ପ୍ରବେଶ କରିବା ପରେ ପରେ ନୌସେନାର ପି-୮ ବିମାନ ନିୟମିତ ଭାବେ ଏହାକୁ ଯାଞ୍ଚ କରିଥିଲା।