ନୂଆଦିଲ୍ଲୀ : ଭାରତ ଏବଂ ଚୀନ ମଧ୍ୟରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିଥିବା ପୂର୍ବ ଲଦାଖର ଗଲୱାନ ଉପତ୍ୟାକାରେ ଶାନ୍ତିପୂର୍ଣ୍ଣ ପରିସ୍ଥିତି ଫେରିବାର ସମ୍ଭାବନା ସୃଷ୍ଟି ହୋଇଛି। ଦ୍ବିପାକ୍ଷିକ କଥାବାର୍ତା ପରେ‌ ଚୀନ ସେନା ବେଆଇନ ଭାବେ ଦଖଲ କରିଥିବା ଅଞ୍ଚଳରୁ ଫେରିବା ଆରମ୍ଭ କରିଛନ୍ତି। ସେମାନେ ପ୍ରାୟ ଦେଢ଼ କିଲୋମିଟର ପଛକୁ ଫେରି ଯାଇଛନ୍ତି। ନିଜର ଅସ୍ଥାୟୀ ଶିବିର, ତମ୍ବୁ ଓ ଅନ୍ୟାନ୍ୟ ସାମଗ୍ରୀ ସ୍ଥାନାନ୍ତର କରୁଥିବା ଦେଖାଯାଇଛି। ଏପରିକି ଚୀନ ସେନାର ଗାଡ଼ିମୋଟରଗୁଡ଼ିକ ମଧ୍ୟ ଘଟଣାସ୍ଥଳରୁ ପଛକୁ ଫେରୁଛି। ଭାରତୀୟ ସେନା ମଧ୍ୟ ପଛକୁ ହଟିଛି। ଉତ୍ତେଜନା ହ୍ରାସ କରିବା ଦିଗରେ ଏହା ହେଉଛି ପ୍ରଥମ ପଦକ୍ଷେପ। ପରବର୍ତୀ ପର୍ଯ୍ୟାୟ ସାମରିକ ସ୍ତରୀୟ ଆଲୋଚନା ପରେ ଆହୁରି ଉତ୍ତେଜନା ହ୍ରାସକାରୀ ପଦକ୍ଷେପ ନିଆଯିବ ବୋଲି ସୂଚନା ଦିଆଯାଇଛି।

Advertisment

ଭାରତର ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲ ଏବଂ ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ୍ ୟୀଙ୍କ ମଧ୍ୟରେ ଆଜି ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଅ‌ାଲୋଚନା ପରେ ଏହା ସମ୍ଭବ ହୋଇପାରିଛି। ସରକାରଙ୍କ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଲଦାଖକୁ ନେଇ ସେମାନଙ୍କ ମଧ୍ୟରେ ବ୍ୟାପକ ଓ ବିସ୍ତୃତ ଆଲୋଚନା ହୋଇଥିଲା। ଆଲୋଚନା ବେଳେ ଉଭୟ ନେତା ସହମତ ହୋଇଥିଲେ ‌େଯ ପ୍ରକୃତ ନିୟନ୍ତ୍ରଣ ରେଖା ବା ଏଲ୍‌ଏସିରେ ଶାନ୍ତି ପ୍ରତିଷ୍ଠା କରିବାକୁ ହେଲେ ଉଭୟ ପକ୍ଷର ସେନାକୁ ତୁରନ୍ତ ପଛକୁ ହଟିବାକୁ ପଡ଼ିବ। କେତେ ଶୀଘ୍ର ଏହି ଅଞ୍ଚଳରେ ପରିସ୍ଥିତି ସ୍ବାଭାବିକ ହୋଇପାରିବ ଏବଂ ଏହାପାଇଁ କଣ କଣ କରିବାକୁ ପଡ଼ିବ ‌ତାହାକୁ ନେଇ ସେମାନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ପ୍ରକୃତ ନିୟନ୍ତ୍ରଣ ରେଖା ପ୍ରତି ସମ୍ମାନ ଜଣାଇବା ସହିତ ସ୍ଥିତାବସ୍ଥାରେ ଏକତରଫା ପରିବର୍ତନ ନ କରିବା ଲାଗି ‌ଦୁହେଁ ସହମତ ହୋଇଥିଲେ। ଗଲୱାନରେ ଯେଭଳି ସଂଘର୍ଷ ହେଲା ଏହାର ଯେପରି ପୁନରାବୃତ୍ତି ନହୁଏ ଏବଂ ସ୍ଥାୟୀ ଶାନ୍ତି ଓ ସୌହାର୍ଦ୍ୟପୂର୍ଣ୍ଣ ବାତାବରଣ ଯେପରି ବଜାୟ ରହେ ସେଦିଗରେ ଉଭୟ ପକ୍ଷ ମିଳିତ ଭାବେ ଉଦ୍ୟମ କରିବାକୁ ନିଷ୍ପତ୍ତି ହୋଇଛି।

ନିଷ୍ପତ୍ତି ଅନୁଯ‌ାୟୀ ସେନା ପଛକୁ ହଟୁଛନ୍ତି କି ନାହିଁ ତାହାର ତଦାରଖ କରାଯାଉଛି। ମିଳିଥିବା ସୂଚନା ଅନୁଯାୟୀ ଗଲୱାନର ଭାରତୀୟ ଅଞ୍ଚଳରେ ଚୀନ ସେନା ଆଉ ନାହାନ୍ତି। ସେମାନେ ତିନିଟି ପାଟ୍ରୋଲିଂ ପଏଣ୍ଟରୁ ପଛକୁ ହଟିଯାଇଛନ୍ତି। ଗତମାସ ସଂଘର୍ଷ ପରେ ସେମାନେ ନିର୍ମାଣ କରିଥିବା ଅସ୍ଥାୟୀ ଶିବିରକୁ ଭାଙ୍ଗିଦେଇଛନ୍ତି। ତେ‌େବ ନିର୍ଦିଷ୍ଟ ଭାବେ ସେମାନେ କେତେ ପଛକୁ ହଟିଛନ୍ତି ତାହା ଏବେ କହିହେବ ନାହିଁ।

ସୂଚନାଯୋଗ୍ୟ ଯେ ଗତ ମାସ ୧୫ ତାରିଖରେ ଗଲୱାନରେ ଦୁଇ ଦେଶର ସେନା ମଧ୍ୟରେ ସଂଘର୍ଷ ହୋଇଥିଲା। ଏଥିରେ ଭାରତର ୨୦ ଜଣ ଯବାନ ସହିଦ ହୋଇଥିଲେ। ଚୀନର ମଧ୍ୟ ୩୫ରୁ ୪୦ ସୈନିକ ପ୍ରାଣ ହରାଇଥିବା କୁହାଯାଉଛି। ଏହାପରେ ଉଭୟ ପକ୍ଷ ‌ସୀମାରେ ବିପୁଳ ପରିମାରଣ ଅସ୍ତ୍ରଶସ୍ତ୍ର ସହିତ ହଜାର ହଜାର ସଂଖ୍ୟାରେ ସେନା ମୁତୟନ କରିବାରୁ ପରିସ୍ଥିିିତି ଭୟଙ୍କର ହୋଇପଡ଼ିଥିଲା। ଉଭୟ ପକ୍ଷ ମଧ୍ୟରେ ତିନି ଚାରି ଥର ସାମରିକ ସ୍ତରୀୟ ଆଲୋଚନା ହୋଇଥିଲେ ମଧ୍ୟ ବିଶେଷ ଅଗ୍ରଗତି ଘଟି ନଥିଲା। ତେବେ ଆଜି ଡୋଭାଲ ଏବଂ ଚୀନ ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟ‌େରେ ଦୀର୍ଘ ଆଲୋଚନା ପରେ ଏହା ସମ୍ଭବ ହୋଇପାରିଛି।