ନୂଆଦିଲ୍ଲୀ: ପୂର୍ବ ଲଦାଖର ପେଙ୍ଗଙ୍ଗ୍ ସୋ ହ୍ରଦ ଏବଂ ଦେପସାଙ୍ଗ ସମତଳଭୂମି ଇଲାକାରୁ ଚୀନ୍ ସେନା ପକ୍ଷରୁ ସୈନ୍ୟ ପ୍ରତ୍ୟାହାର ସମ୍ପୂର୍ଣ୍ଣ ବନ୍ଦ ହୋଇଛି। ଏଥି ସହିତ ଅରୁଣାଚଳପ୍ରଦେଶର ସୀମାର ପ୍ରକୃତ ନିୟନ୍ତ୍ରଣ ରେଖା ଯାଏ ଅଧିକ ସଂଖ୍ୟାରେ ଚୀନ୍ ସୈନ୍ୟ ମୁତୟନ ହେବାରେ ଲାଗିଛନ୍ତି। ଏଭଳି ପରିସ୍ଥିତିରେ ଆଜି ଅନୁଷ୍ଠିତ ହେବାକୁ ଥିବା ଉଭୟ ଦେଶର ସାମରିକ ଅଧିକାରୀସ୍ତରୀୟ ପରବର୍ତ୍ତୀ ଆଲୋଚନା କି ରୂପରେଖ ନେଉଛି, ତାହା ଉପରେ ବିଭିନ୍ନ ମହଲର ଦୃଷ୍ଟି ନିବଦ୍ଧ ହୋଇଛି। ଚୀନ୍ ସେନାର ଆକ୍ରମଣାତ୍ମକ ଔଦ୍ଧତ୍ୟ ଜାରି ରହିଥିବାରୁ ଗତ ୩୦ ତାରିଖରେ ଭାରତର ୧୪ କର୍ପସ କମାଣ୍ଡର ଲେ. ଜେନେରାଲ୍ ହରିନ୍ଦର ସିଂହ ଏବଂ ଚୀନ୍ର ଦକ୍ଷିଣ ଜିଞ୍ଜିଆଙ୍ଗ ସାମରିକ ଜିଲ୍ଲା ମୁଖ୍ୟ ମେ. ଜେନେରାଲ ଲିଉ ଲିନ୍ଙ୍କ ମଧ୍ୟରେ ହେବାକୁ ଥିବା ପଞ୍ଚମ ପର୍ଯ୍ୟାୟ ଆଲୋଚନା ହୋଇପାରିନାହିଁ।
ତେବେ ଏହି ଦ୍ବିପାକ୍ଷିକ ଆଲୋଚନା ପାଇଁ ଶନିବାର ଚୀନ୍ କର୍ତ୍ତୃପକ୍ଷ ଆଗ୍ରହ ପ୍ରକାଶ କରିବା ପରେ ତାହା ବର୍ତ୍ତମାନ ଚୀନ୍ ପଟେ ଥିବା ଚୁସୁଲ-ମୋଲ୍ଡୋରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେଉଛି। ସମସ୍ତ ବିବାଦୀୟ ଅଂଚଳରୁ ସେନା ପ୍ରତ୍ୟାହାର ପାଇଁ ଭାରତ ଦୃଢ଼ ଦାବି କରିଥିବା ବେଳେ ପୂର୍ବରୁ ହୋଇଥିବା ଏ ବାବଦ ନିଷ୍ପତ୍ତି କାର୍ଯ୍ୟକାରୀ କରାଯାଇ ନାହିଁ କାହିଁକି ବୋଲି ପ୍ରଶ୍ନ କରିଛି। ଭାରତ ଏବେ ଦୀର୍ଘକାଳୀନ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛି।