ଚୀନର ସରକାରୀ ଟିଭି ପାକ ଅଧିକୃତ କାଶ୍ମୀରକୁ ଭାରତର ଅଂଗ ବୋଲି ଦେଖାଇଲା

ନୂଆଦିଲ୍ଲୀ: ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ଚୀନର ସରକାରୀ ନିୟନ୍ତ୍ରିତ ଟିଭି ଚ୍ୟାନେଲ ଚାଇନା ଗ୍ଲୋବାଲ ଟେଲିଭିଜନ ନେଟଓ୍ଵାର୍କ (ସିଜିଟିଏନ) ରେ ପ୍ରସାରିତ ଏକ ରିପୋର୍ଟରେ ପାକ ଅଧିକୃତ କାଶ୍ମୀରକୁ ଭାରତର ଅଂଗ ଭାବେ ଦେଖାଯାଇଛି । ଏହା ଅଜାଣତରେ ହୋଇଛି କିମ୍ବା ଜାଣିଶୁଣି ଏପରି କରାଯାଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । କିନ୍ତୁ ପାକିସ୍ତାନ-ଚୀନ ସଂପର୍କ, ଚୀନ-ଭାରତ ସଂପର୍କ ଉପରେ ଏହାର ଏକ ବଡ଼ ପ୍ରଭାବ ରହିଛି । ଭାରତ ପାକିସ୍ତାନ ଅଧିକୃତ କାଶ୍ମୀରକୁ ନିଜର ଅବିଚ୍ଛେଦ୍ୟ ଅଙ୍ଗ ମାନୁଥିବାବେଳେ ପାକିସ୍ତାନ ମଧ୍ୟ ଅନୁରୂପ ଦାବି କରୁଛି । ଆହୁରିମଧ୍ୟ ଚୀନର ଉଚ୍ଚାଭିଳାଷୀ ପ୍ରକଳ୍ପ ଚୀନ-ପାକିସ୍ତାନ ଇକନୋମିକ କରିଡର (ସିପିଇସି) ମଧ୍ୟ ପାକ ଅଧିକୃତ କାଶ୍ମୀର ଦେଇ ଯାଉଛି । ଏହା ଭାରତର ସାର୍ବଭୌମତ୍ୱ ଉପରେ ହସ୍ତକ୍ଷେପ ବୋଲି କହି ଭାରତ ଏହାକୁ ତୀବ୍ର ବିରୋଧ କରୁଛି । ଅନ୍ୟପକ୍ଷରେ ଚୀନ ଯଦି କାଶ୍ମୀରକୁ ଭାରତର ଅଂଗ ବୋଲି ସ୍ୱୀକାର କରେ ତେବେ ପାକିସ୍ତାନ ମଧ୍ୟ ତାହାକୁ ନେଇ ଆପତ୍ତି ଉଠାଇବ । ସିଜିଟିଏନ ଚୀନ ସରକାରଙ୍କ ନିୟନ୍ତ୍ରିତ ସଂସ୍ଥା ଗ୍ଲୋବାଲ ଟେଲିଭିଜନ ନେଟଓ୍ଵାର୍କର ଏକ ଅଂଶ । ଚୀନ ସରକାରଙ୍କ ବିନା ଅନୁମତିରେ ଏହି ଟିଭିରେ କୌଣସି ସଂବେଦନଶୀଳ କଥା ପ୍ରସାରିତ ହେବା ସମ୍ଭବ ନୁହେଁ ବୋଲି ବିଶେଷଜ୍ଞମାନେ କହୁଛନ୍ତି ।

ସମ୍ବନ୍ଧିତ ଖବର