‘ଓମିକ୍ରନ’ ରୋକିବାରେ ଚୀନ୍‌ ଟିକା ବିଫଳ: ପଶ୍ଚିମ ରାଷ୍ଟ୍ରଙ୍କ ଉନ୍ନତ ଟିକାକୁ ଜିନ୍‌ପିଙ୍ଗ୍‌ଙ୍କ ନା

ବେଜିଂ: ଚୀନ୍‌ରେ କୋଭିଡ୍‌ ସଂକ୍ରମଣ ସ୍ଥିତି ଏବେ ପୁଣି ଜଟିଳ ରୂପ ନେଇଥିବା ବେଳେ ଦୈନିକ ସଂକ୍ରମଣ ୨୫ ହଜାର ଉପରେ ରହୁଛି। କରୋନାର ଓମିକ୍ରନ ପ୍ରଜାତିକୁ ରୋକିବାରେ ଚୀନ୍‌ ଟିକା ବିଫଳ ହୋଇଥିବା ଏକ ଅନୁଧ୍ୟାନରୁ ଜଣାପଡ଼ିଛି। ଅନ୍ୟପକ୍ଷରେ ସଂକ୍ରମଣ ବୃଦ୍ଧିକୁ ରୋକିବା ପାଇଁ ସରକାରଙ୍କ ଶୂନ୍ୟ କୋଭିଡ୍‌ ନୀତିକୁ ଜନସାଧାରଣ ଜୋର୍‌ଦାର ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି। ତେବେ ପରିସ୍ଥିତି ଚିନ୍ତାଜନକ ହୋଇଥିଲେ ମଧ୍ୟ ଲୋକଙ୍କ ଟିକାକରଣ ପାଇଁ କୌଣସି ପଶ୍ଚିମ ରାଷ୍ଟ୍ର ଦ୍ବାରା ପ୍ରସ୍ତୁତ ଉନ୍ନତ କୋଭିଡ୍‌ ଟିକା ଗ୍ରହଣ କରବାକୁ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ମନା କରିଦେଇଛନ୍ତି। କେବଳ ଚୀନ୍‌ରେ ପ୍ରସ୍ତୁତ ଟିକା ହିଁ ଲୋକଙ୍କୁ ଦିଆଯିବା ନୀତିରେ ସରକାର କାଏମ ରହିଛନ୍ତି। ଆମେରିକାର ଜାତୀୟ ସୁରକ୍ଷା ନିର୍ଦ୍ଦେଶକ ଏଭାରିଲ୍‌ ହେନ୍ସ କହିଛନ୍ତି ଯେ ଜିନ୍‌ପିଙ୍ଗ କୋଭିଡ୍‌ କଟକଣା ନେଇ ତାଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ ଆଣିବା ବଦଳରେ ଦମନ ନୀତିକୁ ଅଧିକ ଗୁରୁତ୍ବ ଦେଉଛନ୍ତି ଏବଂ ପଶ୍ଚିମ ରାଷ୍ଟ୍ରର ଟିକାକୁ ଗ୍ରହଣ କରିବାକୁ ଚାହୁନାହାନ୍ତି। ଏହା ପୂର୍ବରୁ ସେ ତାଙ୍କ ବିରୋଧୀମାନଙ୍କୁ ନିରବ କରିବାରେ ସମର୍ଥ ହୋଇଥିବାରୁ ଏବେ ଜନ ଆନ୍ଦୋଳନକୁ ସେ ଖାତିର କରୁନାହାନ୍ତି ବୋଲି ଏଭାରିଲ୍‌ କହିଛନ୍ତି। ଚୀନ୍‌ ଦ୍ବାରା ପ୍ରସ୍ତୁତ କୋଭିଡ୍‌ ଟିକା ଓମିକ୍ରନ ବିରୋଧରେ ଆଦୌ ପ୍ରଭାବୀ ନଥିବା ଜଣାପଡ଼ିଥିଲେ ମଧ୍ୟ ସରକାର ନିଜ ଟିକାର ମାନକୁ ନେଇ ପୂର୍ବନୀତିରେ କାଏମ ରହିଛନ୍ତି ଏବଂ କୌଣସି ବିଦେଶୀ ଟିକାକୁ ମଂଜୁରି ମିଳିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।

କୋଭିଡ୍ କଟକଣା ଉଠାଇ ଦେବା ପାଇଁ ନିକଟରେ ଚୀନ୍‌ରେ ଯେଉଁ ବିଦ୍ରୋହ ଦେଖାଦେଇଥିଲା ତାହା ବିଶ୍ବବ୍ୟାପୀ ଚର୍ଚ୍ଚାରେ ଥିବା ବେଳେ ସରକାରଙ୍କ ଜନବିରୋଧୀ ଆଭିମୁଖ୍ୟ ସାମ୍ନାକୁ ଆସିଛି। ଲୋକଙ୍କୁ ମତ ପ୍ରକାଶ କରିବାର ଅଧିକାରରୁ ବଞ୍ଚିତ ରଖିବା ପାଇଁ ଜିନ୍‌ପିଙ୍ଗଙ୍କ ସରକାର ନାନା କୌଶଳ ଅବଲମ୍ବନ କରିଛନ୍ତି। ଚୀନ୍‌ର ଏଭଳି ନୀତିକୁ ବିଭିନ୍ନ ରାଷ୍ଟ୍ର ସମାଲୋଚନା କରିଛନ୍ତି। ପ୍ରଥମ ଥର ପାଇଁ କୋଭିଡ୍‌ କଟକଣା ବିରୋଧୀ ଆନ୍ଦୋଳନ ଦେଶରେ ହିଂସାତ୍ମକ ମୋଡ଼ ନେଇଛି। ନିକଟରେ ଉରୁମ୍‌କିଠାରେ ସୁରକ୍ଷା କର୍ମୀ ଓ ଆପଲ ଆଇ-ଫୋନ୍ କାରଖାନା କର୍ମଚାରୀଙ୍କ ମଧ୍ୟରେ ସଂଘର୍ଷରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ଅନେକ ଆହତ ହୋଇଥିଲେ। କେତେକ ବିଶେଷଜ୍ଞଙ୍କ ମତରେ କୋଭିଡ୍ କଟକଣା ଅସଲରେ ଏକ ବାହାନା, ଚୀନ୍ ସରକାର ଅନେକ ବଡ଼ ପ୍ରସଙ୍ଗରେ ଉଠୁଥିବା ଜନମତକୁ ଚୁପ୍ କରିବା ପାଇଁ ଏଭଳି କଟକଣା ଲଗାଉଛନ୍ତି। ଚୀନ୍‌ର ଯୁବଗୋଷ୍ଠୀ ଏବେ ଏହି ଚାଲ୍‌କୁ ବୁଝିସାରିଥବାରୁ ବିରୋଧ ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି ବୋଲି ସେମାନେ ମତ ରଖିଛନ୍ତି।

ସମ୍ବନ୍ଧିତ ଖବର