ତାଇଓ୍ବାନ ନିକଟରେ ଚୀନର ‘ବୃହତ୍ ଯୁଦ୍ଧାଭ୍ୟାସ’, ଏକ ମାସ ମଧ୍ୟରେ ୩ୟ ଯୁଦ୍ଧାଭ୍ୟାସ

ବେଜିଂ : ଗୋଟିଏ ପଟେ ସମଗ୍ର ବିଶ୍ବ ୟୁକ୍ରେନ ଯୁଦ୍ଧକୁ ନେଇ ଚିନ୍ତିତ ଥିବାବେଳେ ତାଇଓ୍ବାନକୁ ନେଇ ପୂର୍ବ ଏସିଆରେ ସ୍ଥିତି ଦିନକୁ ଦିନ ଉତ୍ତେଜକ ହେବାରେ ଲାଗିଛି । ଚୀନ ସେନାବାହିନୀ ପକ୍ଷରୁ ବୁଧବାରଦିନ କୁହାଯାଇଛି ଯେ ତାଇଓ୍ବାନ ଅଂଚଳରେ ଏକ ପ୍ରସ୍ତୁତି ଯୁଦ୍ଧାଭ୍ୟାସ କରାଯାଇଛି । ଆମେରିକା ଓ ତାଇଓ୍ବାନ ମଧ୍ୟରେ ବଢିଚାଲିଥିବା ଘନିଷ୍ଠତାର ମୁକାବିଲା କରିବାକୁ ଏହା କରାଯାଇଛି ବୋଲି ବେଜିଂ କହିଛି ।

ଚୀନ ସେନା ପକ୍ଷରୁ କୁହାଯାଇଛି ତାଇଓ୍ବାନକୁ ସମର୍ଥନ କରିବାକୁ ଯାଇ ଆମେରିକା ପକ୍ଷରୁ ବିଭିନ୍ନ ପ୍ରକାରର ପଦକ୍ଷେପ ନିଆଯାଉଛି । ଏହା ଦ୍ବାରା ତାଇଓ୍ବାନ ବିପଦରେ ପଡ଼ିବା ନିଶ୍ଚିତ ।

ଗତ ସପ୍ତାହରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଥିଲେ ଯେ ଚୀନ ଯଦି ତାଇଓ୍ବାନକୁ ଅଧିକାର କରିବାକୁ ଉଦ୍ୟମ କରେ ତେବେ ଆମେରିକାର ସେନା ତାଇଓ୍ବାନ ସେନାକୁ ସହାୟତା କରିବ । ଏହାର ଜବାବରେ ଚୀନ ବୈଦେଶିକ ବ୍ୟାପାର ମନ୍ତ୍ରୀ ୟାଙ୍ଗ ଇ କହିଥିଲେ ଯେ, ଚୀନ ନିଜର ସାର୍ବଭୌମତ୍ବ ଓ ଅଖଣ୍ଡତାକୁ ନେଇ କୌଣସି ସାଲିସ କରିବ ନାହିଁ । ଚୀନ ଲୋକଙ୍କ ପ୍ରତିବଦ୍ଧତାକୁ ନେଇ କୌଣସି ଦେଶ ହେୟଜ୍ଞାନ କରିବା ଉଚିତ ନୁହେଁ ।

ସୂଚନାଯୋଗ୍ୟ ଯେ, ଚୀନ କ୍ଷୁଦ୍ର ଦ୍ୱୀପ ଦେଶ ତାଇଓ୍ଵାନକୁ ନିଜର ଅଂଶ ବୋଲି ଦାବି କରୁଛି ଓ ଦିନେ ନା ଦିନେ ଏହାକୁ ଅଧିକାର କରିବାକୁ ସ୍ୱପ୍ନ ଦେଖୁଛି । ଗତ ଦୁଇ ବର୍ଷ ହେଲା ଚୀନର ଯୁଦ୍ଧ ବିମାନ ନିୟମିତଭାବେ ତାଇଓ୍ବାନ ବାୟୁସୀମା ଅତିକ୍ରମ କରିବା ପରେ ଏହି ଆଶଙ୍କା ବଢିଯାଇଛି ।

ସମ୍ବନ୍ଧିତ ଖବର