ତାଇଓ୍ବାନକୁ ନେଇ ଚୀନ-ଆମେରିକା ମୁହାଁମୁହିଁ, ଯୁଦ୍ଧାଭ୍ୟାସ ଆରମ୍ଭ କଲା ଚୀନ ସେନା

ବେଜିଂ : ଆମେରିକା ପ୍ରତିନିଧି ସଭାର ସଦସ୍ୟ ନାନସି ପେଲୋସିଙ୍କ ତାଇଓ୍ବାନ ଗସ୍ତକୁ ନେଇ ଚୀନ ଓ ଆମେରିକା ମଧ୍ୟରେ ଉତ୍ତେଜନା ବଢିଯାଇଛି । ଏହି ଗସ୍ତକୁ ଚୀନ ତୀବ୍ର ବିରୋଧ କରିବା ସହ ଏହା ନିଆଁରେ ଖେଳିବା ସହ ସମାନ ହେବ ବୋଲି ପୂର୍ବରୁ କହିସାରିଛି ।

ଆମେରିକା ଓ ତାଇଓ୍ବାନକୁ କେବଳ ଚେତାବନୀ ଦେଇ ଚୁପ ହୋଇନି ଚୀନ । ଶନିବାରଦିନ ତାଇଓ୍ବାନ ଜଳସୀମା ନିକଟରେ ଚୀନର ସେନା ଓ ନୌସେନା ପକ୍ଷରୁ ଏକ ଯୁଦ୍ଧାଭ୍ୟାସ ଆରମ୍ଭ କରାଯାଇଛି । ଏଥିରେ ଚୀନର ଯୁଦ୍ଧ ଜାହାଜ, ଡେଷ୍ଟ୍ରୟର ଓ ଲଢୁଆ ବିମାନ ସାମିଲ ହୋଇଛନ୍ତି ।

ଶନିବାର ଦିନ ତାଇଓ୍ବାନ ଉପକୂଳ ନିକଟରେ ଥିବା ଚୀନର ଫୁଜିଆନ ରାଜ୍ୟ ଅନ୍ତର୍ଗତ ପିଙ୍ଗଟାନ ଦ୍ବୀପରେ ଏହି ସମରାଭ୍ୟାସ କରାଯାଇଛି । ଏଥିରେ ଚୀନ ପକ୍ଷରୁ ଗୋଳାବାରୁଦ ପରୀକ୍ଷଣ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ଏ ଅଂଚଳକୁ ନ ଯିବାକୁ ଜାହାଜମାନଙ୍କୁ ସତର୍କ କରିଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ଚୀନ କ୍ଷୁଦ୍ର ଦ୍ୱୀପ ଦେଶ ତାଇଓ୍ଵାନକୁ ନିଜର ଅଂଶ ବୋଲି ଦାବି କରୁଛି ଓ ଦିନେ ନା ଦିନେ ଏହାକୁ ଅଧିକାର କରିବାକୁ ସ୍ୱପ୍ନ ଦେଖୁଛି । ଗତ ଦୁଇ ବର୍ଷ ହେଲା ଚୀନର ଯୁଦ୍ଧ ବିମାନ ନିୟମିତଭାବେ ତାଇଓ୍ବାନ ବାୟୁସୀମା ଅତିକ୍ରମ କରିବା ପରେ ଏହି ଆଶଙ୍କା ବଢିଯାଇଛି ।
ଯଦି ପେଲୋସି ତାଇଓ୍ବାନ ଗସ୍ତ କରନ୍ତି ତାହା ୧୯୯୭ ପରେ ପ୍ରଥମ ଥର ପାଇଁ କୌଣସି ଆମେରିକୀୟ ଜନ ପ୍ରତିନିଧିଙ୍କ ତାଇଓ୍ବାନ ଗସ୍ତ ହେବ । ଏଥିପାଇଁ ଚୀନ କ୍ଷୁବଧ ଅଛି ।

ସମ୍ବନ୍ଧିତ ଖବର