ଚୀନରେ ଲୋକଙ୍କୁ ତଳେ ପକାଇ ଜବରଦସ୍ତ ନିଆଯାଉଛି ସ୍ବାବ ନମୁନା, ଭାଇରାଲ‌ ହେଲା ଭିଡିଓ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ପାଇଁ ଚୀନରେ ସାଙ୍ଘାତିକ ହେବାରେ ଲାଗିଛି ପରିସ୍ଥିତି। ଏଠାରେ ହଠାତ ସଂକ୍ରମଣ ବଢ଼ିବା ପରଠାରୁ ସରକାର କଠୋର କଟକଣା ଲାଗୁ କରିଛନ୍ତି। ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଲକଡାଉନ କରାଯାଇଛି। ତେବେ ଚୀନବାସୀ କରୋନା ଭୂତାଣୁକୁ ଡରିବା ପରିବର୍ତ୍ତେ ଲକଡାଉନକୁ ଡରୁଥିବା ଜଣାପଡ଼ିଛି। ଲକଡାଉନ ସମୟରେ ଲୋକଙ୍କ ସହ ଯେଉଁଭଳି ଭାବେ ବ୍ୟବହାର କରାଯାଉଛି, ତାକୁ ଦେଖି ଲୋକେ ଘରୁ ବାହାରୁ ନଥିବା କୁହାଯାଉଛି।

ପୂର୍ବରୁ ସାଙ୍ଘାଇରେ ଲୋକଙ୍କ ପ୍ରତି କରାଯାଉଥିବା ର୍ଦୁବ୍ୟବହାରର ଅନେକ ଭିଡିଓ ସାମ୍ନାକୁ ଆସିଥିବା ବେଳେ ଏବେ ଆଉ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖାଯାଇଛି ଯେ, ଜଣେ ମହିଳାଙ୍କୁ ଜୋର ଜବରଦସ୍ତ ତଳେ ପକାଇ କରୋନା ପରୀକ୍ଷା ପାଇଁ ସ୍ବାବ ନିଆଯାଉଛି। ଭାଇରାଲ ଭିଡିଓରେ ଦେଖାଯାଇଛି ଯେ, ଏକ ଟେଷ୍ଟିଂ ସେଣ୍ଟରରେ ଜଣେ ମହିଳାଙ୍କୁ ତଳେ ପକାଇଦେବା ସହ ଜଣେ ଯୁବକ ତାଙ୍କ ଉପରେ ବସିଛନ୍ତି। ମହିଳାଙ୍କ ନାକରୁ ସ୍ବାବ ନେବା ପାଇଁ ଯୁବକଜଣକ ତାଙ୍କ ହାତକୁ ନିଜ ଗୋଡ଼ ତଳେ ଚାପି ଧରୁଛନ୍ତି। ମହିଳାଜଣକ ଛଟପଟ ହେଉଥିଲେ ବି ତାଙ୍କ ସ୍ବାବ ନମୁନା ନେବା ପାଇଁ ଯୁବକଜଣକ ତାଙ୍କୁ ତଳେ ପକାଇ ରଖୁଛନ୍ତି।

ତେବେ ଭିଡିଓ ପଛର ସତ୍ୟତା ‌କେତେ ଏବଂ ଏଭଳି କରିବା ପଛର ପ୍ରକୃତ କାରଣ କ’ଣ ତାହା ଜଣାପଡ଼ିନଥିବା ବେଳେ ଏବେ ଏହାକୁ ନେଇ ବିବାଦୀୟ ହୋଇପଡ଼ିଛି ଚୀନ। ସୋସିଆଲ ମିଡିଆରେ ଲୋକେ ଚୀନକୁ ସମାଲୋଚନା କରୁଥିବା ବେଳେ ସାଧାରଣ ଲୋକଙ୍କ ପ୍ରତି ଏଭଳି ବ୍ୟବହାରକୁ ନିନ୍ଦା କରିଛନ୍ତି।

ସମ୍ବନ୍ଧିତ ଖବର