ନୂଆଦିଲ୍ଲୀ : ଚୀନ୍‌ର ଜଣେ ମହିଳା ଦିଲ୍ଲୀରେ ନେପାଳୀ ସନ୍ନ୍ୟାସିନୀ ବେଶରେ ରହୁଥିଲେ। ଉତ୍ତର ଦିଲ୍ଲୀର ତିବ୍ବତୀୟ ଶରଣାର୍ଥୀ କେନ୍ଦ୍ରରେ ରହୁଥିବା ଉକ୍ତ ଚୀନ୍‌ ମହିଳାଙ୍କୁ ଗୁପ୍ତଚରଗିରି ସନ୍ଦେହରେ ଗିରଫ କରାଯାଇଛି। ପୁଲିସ ସୂଚନାନୁଯାୟୀ ସମ୍ପୃକ୍ତ ଚୀନ୍‌ ମହିଳାଙ୍କ ପରିଚୟପତ୍ରରେ ତାଙ୍କ ନାମ ରହିଛି ଡୋଲମା ଲାମା ଏବଂ ତାଙ୍କ ଠିକଣା ରହିଛି ନେପାଳ ରାଜଧାନୀ କାଠମାଣ୍ଡୁ। ତାଙ୍କ ବାସ୍ତବ ନାମ ହେଉଛି କାଇ ରୁଓ ଏବଂ ସେ ମଂଜୁ ତିଲ୍ଲା‌ରେ ରହୁଥିଲେ। ଏହା ଏକ ତିବ୍ବତୀୟ ଶରଣାର୍ଥୀ କଲୋନି।

Advertisment

ଦିଲ୍ଲୀ ବିଶ୍ବବିଦ୍ୟାଳୟର ଉତ୍ତର କ୍ୟାମ୍ପସ୍‌ ନିକଟରେ ଏହା ପର୍ଯ୍ୟଟକଙ୍କ ମଧ୍ୟରେ ବେଶ୍‌ ଲୋକପ୍ରିୟ। ଦୀର୍ଘ ୪ ବର୍ଷ ହେବ ଏହି ମହିଳା ବୌଦ୍ଧ ସନ୍ନ୍ୟାସିନୀ ଭାବେ ଦିଲ୍ଲୀରେ ଛଦ୍ମବେଶରେ ରହୁଥିଲେ। ପୁଲିସ ଅନୁଯାୟୀ ସେମାନେ ଏଫ୍‌ଆରଆରଓ (ଫରେନର୍ସ ରିଜିଓନାଲ ରେଜିଷ୍ଟ୍ରେସନ ଅଫିସ୍)ରେ ତାଙ୍କ ରେକର୍ଡ ଯାଞ୍ଚ କରିବାପରେ ଜାଣି ପାରିଛନ୍ତି ଯେ କାଇ ରୁଓ ଏକ ଚୀନ୍‌ ପାସ୍‌ପୋର୍ଟ ବ୍ୟବହାର କରି ୨୦୧୯ରେ ଭାରତ ଆସିଛନ୍ତି। ଜେରା ସମୟରେ ଉକ୍ତ ଚୀନ୍‌ ମହିଳା କହିଛନ୍ତି ଯେ ଚୀନ୍‌ କମ୍ୟୁନିଷ୍ଟ ପାର୍ଟିର କିଛି ନେତା ତାଙ୍କୁ ହତ୍ୟା କରିବାକୁ ଚାହୁଥିଲେ। ସେ ୩ଟି ଭାଷା ଇଂରାଜୀ, ମାଣ୍ଡାରିନ ଏବଂ ନେପାଳୀ ଜାଣିଛନ୍ତି। ତାଙ୍କ ପାଖରୁ ଜବତ ହୋଇଥିବା ଦସ୍ତାବିଜ ଏବଂ ଫୋନ୍‌ର ଯାଞ୍ଚ ଚାଲିଛି। ଦିଲ୍ଲୀ କ୍ରାଇମ୍‌ ବ୍ରାଞ୍ଚ ଏହି ମାମଲାର ତଦନ୍ତ କରୁଛି।