କର୍ମକ୍ଷେତ୍ର ଓ ବ୍ୟକ୍ତିଗତ ଜୀବନରେ ସମନ୍ବୟ ରଖିବାକୁ ଶ୍ମଶାନରେ ଚାକିରି କଲେ ଚୀନା ଗ୍ରାଜୁଏଟ୍‌ ତରୁଣୀ

ନୂଆଦିଲ୍ଲୀ: କର୍ମକ୍ଷେତ୍ର ଓ ବ୍ୟକ୍ତିଗତ ଜୀବନରେ ଉତ୍ତମ ସନ୍ତୁଳନ ରକ୍ଷା କରିବା ଏବଂ ଅଫିସ୍‌ ପ୍ରତିଦ୍ବନ୍ଦ୍ବିତା ଏଡ଼ାଇବା ଲାଗି ସାନ୍‌ ସାଙ୍ଗିଆଧାରୀ ଜଣେ ୨୨ ବର୍ଷୀୟ ଚୀନା ତରୁଣୀ ଶ୍ମଶାନରେ ଚାକିରି କରିଥିବା କଥା ‘ସାଉଥ୍‌ ଚାଇନା ମର୍ଣ୍ଣିଂପୋଷ୍ଟ୍‌’ ରିପୋର୍ଟ କରିଛି।

ଚୀନା ବିଶ୍ବବିଦ୍ୟାଳୟ ସ୍ନାତକ ସାନ୍‌ ତାଙ୍କ ‘ଶାନ୍ତିପୂର୍ଣ୍ଣ’ କର୍ମକ୍ଷେତ୍ରର ଭିଡିଓ ଓ ଫଟୋ ସେୟାର୍‌ କରିବା ପରେ ଇଣ୍ଟର୍‌ନେଟ୍‌ ବ୍ୟବହାରକାରୀମାନେ ତଟସ୍ଥ ହୋଇଯାଇଛନ୍ତି। ଗତ ସପ୍ତାହରେ ସେ ‘ଟିକ୍‌ ଟକ୍‌’ର ଚୀନା ସଂସ୍କରଣ ‘ଦୌୟିନ୍‌’ରେ ସେୟାର୍‌ କରିଥିବା ଭିଡିଓରେ ଦେଖାଯାଉଛି, ପଶ୍ଚିମ ଚୀନ୍‌ର ଚୋଙ୍ଗ୍‌କ୍ବିଙ୍ଗ୍‌ ମୁନିସିପାଲିଟି ଅନ୍ତର୍ଗତ ପର୍ବତ ଉପରେ ଥିବା ଗୋଟାଏ ଶ୍ମଶାନର ଚିତ୍ର।

ସେ କହନ୍ତି, ଆପଣମାନଙ୍କୁ ଜଣେ ‘ଜେନ୍‌ ଜେଡ୍‌’ ଶ୍ମଶାନ ରକ୍ଷକର କାର୍ଯ୍ୟକରିବାର ବାତାବରଣ ଦେଖାଉଛି। ଏ ଚାକିରି ଖୁବ୍‌ ସରଳ ଓ ସହଜରେ ମିଳିଯାଉଛି। ଏଠାରେ କୁକୁର, ବିରାଡ଼ି ଓ ଇଣ୍ଟର୍‌ନେଟ୍‌ ଅଛି।

Image Courtesy of South China Morning Post

ରିପୋର୍ଟରେ ‘ସାଉଥ୍‌ ଚାଇନା ମର୍ଣ୍ଣିଂପୋଷ୍ଟ୍‌’ ଉଲ୍ଲେଖ କରିଛି ଯେ, ସାନ୍‌ ତାଙ୍କ ଚାକିରିକୁ ଆଗୁଆ ଅବସର ଗ୍ରହଣ କରିଥିବା ଜୀବନ ବୋଲି କହିଛନ୍ତି। ତାଙ୍କ ଚାକି‌ରିରେ ରହିଛି କାମ ନ ଥିବା ସମୟ, ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଦୃଶ୍ୟ, ଅଫିସ୍‌ ପ୍ରତିଦ୍ବନ୍ଦ୍ବିତା ଓ ଦୀର୍ଘ ପଥ ଗମନାଗମନ ମୁକ୍ତ ବାତାବରଣ।

ସାନ୍‌ କହିଛନ୍ତି, ମୁଁ ଏଠାରେ ରହୁଥିବାରୁ ମଜାରେ ନିଜକୁ ଜଣେ ‘ଶ୍ମଶାନ ରକ୍ଷକ’ ବୋଲି କହିଥାଏ।

ଚାକିରିର କାର୍ଯ୍ୟ ବିଷୟରେ କହିବାକୁ ଯାଇ ସାନ୍‌ କହିଛନ୍ତି, ଅତିଥିମାନଙ୍କୁ ସ୍ବାଗତ କରିବା, ସମାଧି ବିକ୍ରୟ କରିବା ଏବଂ ମୃତ ବ୍ୟକ୍ତିଙ୍କ ଆତ୍ମୀୟଙ୍କ ତରଫରୁ ସାମାଧିସ୍ଥଳ ଓଳାଇବା ଆଦି ହେଉଛି ମୋ କାମ।

ଏଥିପାଇଁ ସାନ୍‌ଙ୍କୁ ସକାଳ ୮.୩୦ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ସପ୍ତାହକୁ ୬ ଦିନ କାର୍ଯ୍ୟ କରିବାକୁ ପଡ଼େ। ସେଥିରୁ ମଧ୍ୟଭୋଜନ ପାଇଁ ୨ ଘଣ୍ଟା ବିରତି ରହିଛି। ବେତନ ବାବଦକୁ ସେ ଭାରତୀୟ ମୁଦ୍ରା ହିସାବରେ ମାସକୁ ୪୫,୭୬୬ ଟଙ୍କା ପାଆନ୍ତି।

ସାନ୍‌ଙ୍କ ଚାକିରି ଉପରେ ମନ୍ତବ୍ୟ ଦେଇ ଜଣେ ଇଣ୍ଟର୍‌ନେଟ୍‌ ବ୍ୟବହାରକାରୀ ଲେଖିଛନ୍ତି: ପୂର୍ବେ ଏ ଚାକିରିକୁ ଅମଙ୍ଗଳକାରୀ ବୋଲି ବିଚାର କରାଯାଉଥିଲା, କିନ୍ତୁ ଆଧୁନିକ ଲୋକଙ୍କ ପାଇଁ ଏ ଚାକିରି ଖୁବ୍‌ ଶନ୍ତିଦାୟକ।

ସମ୍ବନ୍ଧିତ ଖବର