ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ୍‌ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କ ଅନୌପଚାରିକ ସମ୍ମିଳନୀ ଉପରେ ସାରା ବିଶ୍ବର ନଜର ଥିବାବେ‌ଳେ ଜଣେ ଚୀନ୍‌ ମହିଳା ଏହି ଦୁଇ ରାଷ୍ଟ୍ରନେତାଙ୍କୁ ଏକ ବିଶେଷ ଅନୁରୋଧ କରିଛନ୍ତି। ପୂର୍ବ ଚୀନ୍‌ର ଜିଆଙ୍ଗ୍‌ସୁ ପ୍ରଦେଶ ବାସିନ୍ଦା ୭୧ ବର୍ଷୀୟା ଜୁ ପିନ୍‌ପିଙ୍ଗ୍‌ ହଜି ଯାଇଥିବା ତାଙ୍କ ଭାରତୀୟ ଭାଇ ଏବଂ ତାଙ୍କ ପରିବାରକୁ ଖୋଜିଦେବା ପାଇଁ ଦୁଇ ରାଷ୍ଟ୍ରନେତାଙ୍କୁ ଅନୁରୋଧ କରିଛନ୍ତି। ଏଥିପାଇଁ ସେ କୋଲକାତାର ଏକ ଠିକଣା ଏବଂ ଫଟୋ ଜାରି କରିଛନ୍ତି। ତାଙ୍କ ବାପାଙ୍କର ୧୯୪୦ରେ ପୂର୍ବ ଭାରତୀୟ ସହରରେ ଏକ ପରିବାର ଥିଲା ବୋଲି ଏଥିରୁ ଜଣାପଡ଼ିଛି। ଜୁ ପିନ୍‌ପିଙ୍ଗ୍‌ଙ୍କ ବାପା ଜୁ କେୟଙ୍ଗ୍‌ ଜଣେ ସୈନିକଥିଲେ। ୪୦ ଦଶକରେ ସେ ଭାରତ ଏବଂ ମିଆଁମାରରେ ଜାପାନୀଙ୍କ ସହ ଲଢ଼ିଥିଲେ। ତେବେ ଏହି ସମୟରେ ସେ ୧୯୪୨ରୁ ୧୯୪୬ ପର୍ଯ୍ୟନ୍ତ କୋଲକାତାରେ ରହିଥିଲେ। ଏହି ୪ ବର୍ଷର ରହଣି ସମୟରେ ଜୁ ଜଣେ ମହିଳାଙ୍କୁ ବିବାହ କରିଥିଲେ ଏବଂ ସେ ଏକ ପୁତ୍ର ସନ୍ତାନର ବାପା ହୋଇଥିଲେ। କିନ୍ତୁ ୧୯୪୬ରେ ଜୁ ଚୀନ୍‌‌ ଫେରିଥିଲେ। ଏହାପରେ ସେ କେବେ ଆଉ ଭାରତ ଫେରିନଥିଲେ। ଭାରତରେ ଥିବା ତାଙ୍କ ପରିବାର ସହ ସମସ୍ତ ଯୋଗାଯୋଗ ଛିନ୍ନ କରିଥିଲେ। ପରେ ସେ ଚୀନ୍‌ରେ ବିବାହ କରିଥିଲେ। କିନ୍ତୁ କେବେହେଲେ ନିଜର ଭାରତୀୟ ପରିବାର ସମ୍ପର୍କରେ କାହାକୁ କିଛି କହିନଥିବା ଜୁ ଶେଷରେ ୧୯୮୬ରେ ସମସ୍ତଙ୍କୁ ଏ ବିଷୟରେ ଜଣାଇଥିଲେ ଏବଂ ଏନେଇ କିଛି ପ୍ରମାଣ ଦେଖାଇଥିଲେ। ଏହାର ଦୁଇଦିନ ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।