ବେଜିଂ: ଚୀନର ଏକ ଅଦାଲତ ୧୦୦ ଟନର ଜୀବନ୍ତ କୁମ୍ଭୀର ନିଲାମ କରୁଛନ୍ତି। ନିଲାମ ପାଇଁ ପ୍ରାରମ୍ଭିକ ମୂଲ୍ୟ ୪ ଲକ୍ଷ ୟୁଆନ (୫୫୦,୦୦୦ ଆମେରିକୀୟ ଡଲାର) ରଖାଯାଇଛି। 

Advertisment

ସେନଝୋନ ନାନଶାନ ପିପୁଲ୍ସ କୋର୍ଟ ଏହି କୁମ୍ଭୀରଗୁଡ଼ିକୁ ଅନଲାଇନରେ ନିଲାମ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ନିଲାମ ଆଲିବାବା ଜୁଡିସିଆଲ୍ ନିଲାମ ପ୍ଲାଟଫର୍ମରେ ହେଉଛି। ଯେକୌଣସି ବ୍ୟକ୍ତି ଏହି ୱେବସାଇଟକୁ ଯାଇ ନିଲାମରେ ବୋଲି ଲଗାଇ ପାରିବେ। ଚୀନରେ ହେଉଥିବା ଏହି ଅନନ୍ୟ ନିଲାମ ସାରା ବିଶ୍ୱର ଚର୍ଚ୍ଚାର ବିଷୟ ପାଲଟିଛି। ସୋସିଆଲ ମିଡିଆରେ ଏହାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।  

ସାଉଥ୍ ଚାଇନା ମର୍ଣ୍ଣିଂ ପୋଷ୍ଟର ରିପୋର୍ଟ ଅନୁଯାୟୀ, ନିଲାମ ହେଉଥିବା କୁମ୍ଭୀରଗୁଡ଼ିକ ଗୁଆଙ୍ଗଡୋଙ୍ଗ ହୋଙ୍ଗିୟୀ କୁମ୍ଭୀର ଶିଳ୍ପ କମ୍ପାନିର ଅଟନ୍ତି। ଏହି କମ୍ପାନିକୁ ୨୦୦୫ ମସିହାରେ ମୋ ଜୁନରୋଙ୍ଗଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା। ଜୁନରୋଙ୍ଗଙ୍କୁ ଚୀନରେ କୁମ୍ଭୀର ଦେବତା ବୋଲି କୁହାଯାଉଥିଲା। ତାଙ୍କ କମ୍ପାନିର କାରବାର ୫୦ ନିୟୁତ ୟୁଆନ ରୁ ଅଧିକ ଥିଲା କିନ୍ତୁ ଏମିତି ଏକ ସମୟ ଆସିଲା କମ୍ପାନିକୁ ଅନେକ କ୍ଷତି ସହିବାକୁ ପଡ଼ିଲା। କମ୍ପାନି କରିଥିବା ଋଣ ପରିଶୋଧ କରିପାରିଲା ନାହିଁ। ଏପରି ପରିସ୍ଥିତିରେ ତାଙ୍କର ସମ୍ପତ୍ତି ଜବତ କରାଯାଇଥିଲା, ଯେଉଁଥିରେ ପ୍ରାୟ ୧୦୦ ଟନ୍ କୁମ୍ଭୀର ଅନ୍ତର୍ଭୁକ୍ତ ଥିଲେ। ଏବେ କୋର୍ଟ ଏହି କୁମ୍ଭୀରଗୁଡ଼ିକୁ ବିକ୍ରି କରି କମ୍ପାନିର ଋଣ ପରିଶୋଧ କରିବାକୁ ନିଷ୍ପତ୍ତି ନେଇଛନ୍ତି।


ଚୀନ୍ କୋର୍ଟଙ୍କ ନିର୍ଦ୍ଦେଶ ପରେ ମାର୍ଚ୍ଚ ୧୦ ତାରିଖରେ କୁମ୍ଭୀର ନିଲାମ ପ୍ରକ୍ରିୟା  ଆରମ୍ଭ କରିଥିଲା। ଏହି ନିଲାମ ମଇ ୯ ପର୍ଯ୍ୟନ୍ତ ଚାଲିବ। ନିଲାମର କ୍ରେତାମାନଙ୍କୁ କୁମ୍ଭୀର ଧରିବା, ଓଜନ କରିବା, ଲୋଡିଂ କରିବା ଏବଂ ପରିବହନ କରିବା ଖର୍ଚ୍ଚ ନିଜେ ବହନ କରିବାକୁ ପଡିବ।


ନିଲାମ ନୋଟିସରେ ଏହା ମଧ୍ୟ କୁହାଯାଇଛି ଯେ କ୍ରେତାମାନଙ୍କ ପାଖରେ କୁମ୍ଭୀର ରଖିବା ପାଇଁ ଲାଇସେନ୍ସ ଥିବା ଆବଶ୍ୟକ। ଯଦି କ୍ରେତାମାନେ ଏହି ସର୍ତ୍ତଗୁଡ଼ିକ ପୂରଣ କରିବାରେ ବିଫଳ ହୁଅନ୍ତି, ତେବେ କୋର୍ଟ ସେମାନଙ୍କର ୩ଲକ୍ଷ ୟୁଆନ ଜମା ରାଶି ଜବତ କରିନେବେ। ନିଲାମରେ ଅଂଶଗ୍ରହଣ କରିବା ପାଇଁ ଏହି ରାଶି ଜମା କରିବାକୁ ପଡିବ।

ବ୍ୟବସାୟ ଦୃଷ୍ଟିକୋଣରୁ କୁମ୍ଭୀରକୁ ଏକ ଲାଭଦାୟକ ପ୍ରାଣୀ ଭାବରେ ବିବେଚନା କରାଯାଏ। କୁମ୍ଭୀର ଚମଡା ଓ ମାଂସରୁ ଔଷଧ, ପ୍ରସାଧନ ସାମଗ୍ରୀ ଏବଂ ମଦ ଭଳି ୧୦୦ ରୁ ଅଧିକ ଉତ୍ପାଦ ପ୍ରସ୍ତୁତ କରାଯାଏ।