ନୂଆଦିଲ୍ଲୀ: ଭାରତର ଦୁଇ ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନ ଓ ଚୀନଙ୍କ ଭିତରେ ବନ୍ଧୁତା କ୍ରମଶଃ ପ୍ରଗାଢ଼ ହେଉଛି। ଚୀନ ପାକିସ୍ତାନକୁ ସାମରିକ ସହାୟତା ଯୋଗାଉଛି। ଫଳରେ କଶ୍ମୀରରେ ଆତଙ୍କବାଦ ଚଳାଇଥିବା ପାକିସ୍ତାନ ଆଡୁ ଭାରତକୁ ବିପଦ ରହୁଛି। ଏହାକୁ ଦୃଷ୍ଟିରେ ରଖି ଉଭୟ ଦେଶର ସୀମାରେ ଭାରତୀୟ ସେନା ଜାଗତିଆର ରହିଛି। ତେବେ ସିଆଚେନ୍‌ ଓ ଲଦାଖରେ ଦିନରାତି ୨୪ ଘଣ୍ଟା ଜଗି ରହିବା ସେନା ଲାଗି ଏକ ଚାଲେଞ୍ଚ। କାରଣ ଏହା ସମୁଦ୍ରପତନଠାରୁ ହଜାର ହଜାର ଫୁଟ୍‌ ଉଚ୍ଚ ଓ ଶୀତ ଦିନେ ବରଫାବୃତ ହୋଇଯାଏ।

Advertisment

ସିଆଚେନ୍‌ ଓ ଲଦାଖର ଉଚ୍ଚସ୍ଥାନରେ ଥିବା ଭାରତୀୟ ପୋଷ୍ଟକୁ ଯବାନ ଯିବା ଆସିବା କରିବା ଏବଂ ଆବଶ୍ୟକ ସ୍ଥଳେ ଅସ୍ତ୍ରବିରତି ଉଲ୍ଲଂଘନ ହେଲେ ତା’ର ଜବାବ ଦେବା ଲାଗି ଭାରତୀୟ ସେନା ଯେଉଁ ଅସୁବିଧା ଭୋଗ କରୁଥିଲା, ତାହାର ପରିସମାପ୍ତି ଘଟିବାକୁ ଯାଉଛି। ଆସନ୍ତା ମାର୍ଚ୍ଚ ମାସରେ ସେନାରେ ସାମିଲ ହେବ ଦୁଇଟି ଆମେରିକା ନିର୍ମିତ ଶକ୍ତିଶାଳୀ ହେଲିକପ୍ଟର।

publive-image

ଭାରତୀୟ ସେନାରେ ଆସନ୍ତା ମାର୍ଚରେ ସାମିଲ୍‌ ହେବ ଆମେରିକା ନିର୍ମିତ ଶକ୍ତିଶାଳୀ ଚିନୁକ୍‌ ହେଲିକପ୍ଟର ଏବଂ ଆକାଶୀ ଆକ୍ରମଣ ଲାଗି ଉଦ୍ଦିଷ୍ଟ ଆପାଚେ ହେଲିକେପ୍ଟର। ଏହା ଫଳରେ ଭାରତୀୟ ସେନାର ଲଢୁଆ କ୍ଷମତା ବଢିବା ସହ ଶତ୍ରୁ ପକ୍ଷର ମୁକାବିଲା କରିବା ଦକ୍ଷତା ବଢିବ । ଭାରତ ୩ ବିଲିୟନ୍‌ ଆମେରିକୀୟ ଡଲାର୍‌ ଦେଇ ୧୫ଟି ଚିନୁକ୍‌ ଏବଂ ୨୨ଟି ଆପାଚେ ହେଲିକପ୍ଟର କିଣୁଛି। ବିଶ୍ୱପ୍ରସିଦ୍ଧ ବିମାନ ପ୍ରସ୍ତୁତକାରୀ ବୋଇଂ ଭାରତକୁ ଏହା ଯୋଗାଇ ଦେଉଛି।

ଚିନୁକ୍‌ ହେଲିକପ୍ଟରଗୁଡ଼ିକ ବାୟୁସେନାର ଚଣ୍ଡିଗଡ ଏୟାର ବେସ୍‌ରେ ରଖାଯିବ। ସିଆଚେନ୍‌ ଏବଂ ଲଦାଖ ସୀମାରେ କାର୍ଯ୍ୟ କରିବା ଲାଗି ଚିନୁକ୍‌ ଗୁଡ଼ିକୁ ମୁତୟନ କରାଯିବ। ସେହିପରି ହେଲଫାୟାର ମିସାଇଲ୍‌ ସହିତ ଆପାଚେ ହେଲିକପ୍ଟର ସେନାକୁ ହସ୍ତାନ୍ତର କରାଯିବ। ଏହାକୁ ଗାଜିଆବାଦ୍‌ର ହିଣ୍ଡୋ ଏୟାର ବେସ୍‌ରେ ରଖାଯିବ।

ବର୍ତ୍ତମାନ୍‌ ଯବାନମାନଙ୍କୁ ବେସ୍‌ରୁ ଯୁଦ୍ଧକ୍ଷେତ୍ରକୁ ନେବା ଲାଗି ବେଗ୍‌ବାନ୍‌ ହେଲିକପ୍ଟର ସେନା ପାଖରେ ନାହିଁ। ବହୁ ପୂର୍ବରୁ ସେନାରେ ସାମିଲ ଥିବା ଋଷିଆ ନିର୍ମିତ ଏମ୍‌ଆଇ-୧୭ ହେଲିକପ୍ଟର ବ୍ୟବହାର ହେଉଥିଲା।