ଭାରତରେ ଚିନୁକ ହେଲିକପ୍ଟର କାର୍ଯ୍ୟକ୍ଷମ, ଆମେରିକାରେ ଅଚଳ

ନିର୍ମାତା କମ୍ପାନି ବୋଇଂକୁ କାରଣ ପଚାରିଲା ଭାରତ

ନୂଆଦିଳ୍ଲୀ: ବୋଇଂ ଦ୍ବାରା ନିର୍ମିତ ଚିନୁକ ହେଲିକପ୍ଟରଗୁଡ଼ିକ ଭାରତରେ ଅଦ୍ୟାବଧି କାର୍ଯ୍ୟକ୍ଷମ ଥିବା ବେଳେ ଆମେରିକା ସେନା କିନ୍ତୁ ତା’ ପାଖରେ ଥିବା ସମସ୍ତ ବୋଇଂ ଚିନୁକ ହେଲିକପ୍ଟରକୁ ତେଲ ଲିକ୍ ହେଉଥିବା ଓ ଇଂଜିନରେ ନିଆଁ ଲାଗିଯାଉଥିବା ଦର୍ଶାଇ ବ୍ୟବହାର କରିବା ବନ୍ଦ କରିଦେଇଛି। ଏହା ଉପରେ ଆମେରିକୀୟ ନିର୍ମାତା କମ୍ପାନି ବୋଇଂଠାରୁ ସ୍ପଷ୍ଟୀକରଣ ମାଗିଛି ଭାରତ।
ସୂଚନାଯୋଗ୍ୟ, ବୋଇଂ ନିର୍ମିତ ଚିନୁକ ହେଲିକପ୍ଟର ଭାରତ ଓ ବ୍ରିଟେନ ସମେତ ପ୍ରାୟ ୨୦ଟି ଦେଶରେ କାର୍ଯ୍ୟକ୍ଷମ ରହିଛି। ଭାରତରେ ଥିବା ୧୫ଟି ଚିନୁକ ହେଲିକପ୍ଟର ଉତ୍ତରରେ ଚଣ୍ଡୀଗଡ଼ ଓ ଉତ୍ତରପୂର୍ବରେ ଆସାମରେ ନିୟୋଜିତ ଅଛନ୍ତି। କିନ୍ତୁ ଆମେରିକା ସେନା ତା’ର ଏଚ୍-୪୭ ଚିନୁକ ହେଲିକପ୍ଟରଗୁଡ଼ିକୁ ଇଂଜିନରେ ସମସ୍ୟା ଅଛି ବୋଲି ଅଭିଯୋଗ କରି ପକାଇ ରଖିଛି। ଇଂଜିନରେ କ’ଣ ତ୍ରୁଟି ଅଛି ପରୀକ୍ଷା କରି ସମାଧାନ ନ ହେଲେ ପ୍ରାୟ ୪୦୦ ହେଭି-ଡ୍ୟୁଟି ଚିନୁକ ସେବାନିବୃତ୍ତ ହୋଇଯିବ।

ଆମେରିକା ସେନା ମୁଖପାତ୍ର ସିନ୍ଥିଆ ସ୍ମିଥ କହିଛନ୍ତି ଯେ ଇଂଜିନରୁ ତେଲ ଲିକ୍ ହେବାର ମୂଳ କାରଣ ସେମାନେ ଖୋଜି ପାଇଛନ୍ତି। ସେହି ସମସ୍ୟାର ସମାଧାନ କରା ନ ଯିବା ପର୍ଯ୍ୟନ୍ତ ହେଲିକପ୍ଟରଗୁଡ଼ିକ ବ୍ୟବହାର କରାଯାଇପାରିବ ନାହିଁ। ତେବେ ତେଲ ଲିକ୍ ଓ ଇଂଜିନରେ ନିଆଁ ଲାଗିବା ଘଟଣା କେତେଥର ଘଟିଥିଲେ ମଧ୍ୟ ଏଯାବତ୍ କେହି ଆହତ ହୋଇ ନାହାନ୍ତି ବା କାହାର ମୃତ୍ୟୁ ହୋଇ ନାହିଁ ବୋଲି କହିଛନ୍ତି ସ୍ମିଥ। ଏ ପରିସ୍ଥିତିରେ ଚିନୁକ ହେଲିକପ୍ଟରକୁ ନେଇ ଭାରତରେ କୌଣସି ସମସ୍ୟା ଦେଖାଯାଇ ନ ଥିଲେ ମଧ୍ୟ ଭାରତୀୟ ବାୟୁସେନା ପକ୍ଷରୁ ଆମେରିକୀୟ ନିର୍ମାତା କମ୍ପାନି ବୋଇଂଠାରୁ ଏ ସମ୍ପର୍କରେ ବିଶଦ ବିବରଣୀ ମଗାଯାଇଛି। ଆମେରିକାରେ ଚିନୁକ ହେଲିକପ୍ଟରଗୁଡ଼ିକୁ କାହିଁକି ବ୍ୟବହାର ନ କରି ପକାଇ ରଖାଯାଇଛି ସେ ସମ୍ପର୍କରେ ଉତ୍ତର ଦେବା ପାଇଁ ବୋଇଂକୁ କୁହାଯାଇଛି।

ସମ୍ବନ୍ଧିତ ଖବର