ସୋନିଆଙ୍କ ପଡୋଶୀ ହୋଇଥାନ୍ତେ ଅଶ୍ୱିନୀ ବୈଷ୍ଣବ, କଣ୍ଟା ସାଜିଛନ୍ତି ଚିରାଗ 

ବାପାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରି ଅଡୁଆ ପରିସ୍ଥିତି ସୃଷ୍ଟି କଲେ ପୁଅ

ନୂଆଦିଲ୍ଲୀ: କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପାଇଁ ମଞ୍ଜୁର ହୋଇଥିବା ବଙ୍ଗଳାକୁ ଖାଲି କରିବାର ନାମ ନେଉନାହାନ୍ତି ଦିବଙ୍ଗତ କେନ୍ଦ୍ର ମନ୍ତ୍ରୀ ରାମବିଳାସ ପାଶୱାନଙ୍କ ପୁଅ ଚିରାଗ ପାଶୱାନ | ମିଳିଥିବା ସୂଚନା ମୁତାବକ ନୂଆଦିଲ୍ଲୀରେ କଂଗ୍ରେସ ମଧ୍ୟବର୍ତ୍ତୀକାଳୀନ ସଭାପତି ସୋନିଆ ଗାନ୍ଧୀଙ୍କ ସରକାରୀ ବଙ୍ଗଳା ପାଖରେ ଥିବା ବଙ୍ଗଳାକୁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ମଞ୍ଜୁର କରାଯାଇଛି | ତେବେ ଏହି ବଙ୍ଗଳାରେ ରହୁଥିବା ଚିରାଗ ଏହାକୁ ଖାଲି କରିବାକୁ ରାଜି ନାହାନ୍ତି | ସେ ବଙ୍ଗଳା ଛାଡିବା ବଦଳରେ ଏବେ ସେଠାରେ ନିଜ ବାପା ରାମବିଳାସ ପାଶୱାନଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିଛନ୍ତି । ରୋଚକ କଥା ହେଉଛି ଯେ, ୨୩, ନର୍ଥ ଆଭେନ୍ୟୁ ବଙ୍ଗଳା ବିହାରର ଜାମୁଇରୁ ଲୋକସଭା ସାଂସଦ ହୋଇଥିବା ଚିରାଗଙ୍କୁ ମିଳିଥିବାବେଳେ ସେ ସେଠାରେ ରହୁନାହାନ୍ତି |

ବରଂ ନିଜ ବାପା ରହୁଥିବା ବଙ୍ଗଳା ୧୨, ଜନପଥରେ ହିଁ ରହୁଛନ୍ତି | ଅକ୍ଟୋବର ୨୦୨୦ ରେ ରାମବିଳାସଙ୍କ ଦେହାନ୍ତ ପରେ ସହର ବିକାଶ ମନ୍ତ୍ରାଳୟ ବଙ୍ଗଳା ଖାଲି କରିବାକୁ ପାଶୱାନଙ୍କ ପରିବାରକୁ ନୋଟିସ୍ ପଠାଇଥିଲା। ଏଥିସହ ଏହି ବଙ୍ଗଳା କେନ୍ଦ୍ର ରେଳ ଓ ଆଇଟି ମନ୍ତ୍ରୀଙ୍କୁ ଦିଆଯାଇଥିବା ସ୍ପଷ୍ଟ ଭାବେ ଲେଖାଯାଇଥିଲା । ପାଶୱାନଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଏକ ବର୍ଷ ମଧ୍ୟରେ ସରକାରୀ ବାସଭବନ ଖାଲି କରିବା କଥା ଆଉ ଆସନ୍ତା ମାସରେ ସମୟସୀମା ପୂରା ହୋଇଯିବ | କିନ୍ତୁ ଚିରାଗ କିଛି ଦିନ ତଳେ ଏହି ବଙ୍ଗଳାରେ ରାମବିଳାସଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିଛନ୍ତି | ତେବେ ପ୍ରତିମୂର୍ତ୍ତି ସ୍ଥାପନକୁ ନେଇ ବିଜେପିର କିଛି ନେତା ରାଜନୀତିର ଗନ୍ଧ ବାରିଛନ୍ତି |

ବିଜେପି ନେତୃତ୍ୱଙ୍କୁ ଏବେ ଭୟ ଘାରିଛି ଯେ ଚିରାଗ ବଙ୍ଗଳା ଖାଲି ନ କରି ଏହି ପ୍ରସଙ୍ଗର ରାଜନୀତିକରଣ କରିପାରନ୍ତି | ଦଳିତ ସମୁଦାୟ ମଧ୍ୟରେ ସ୍ଵର୍ଗତଃ ପାଶୱାନଙ୍କ ପ୍ରଭାବକୁ ଦୃଷ୍ଟିରେ ରଖି ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ତାଙ୍କ ପରିବାରକୁ ବିରୋଧ କରିବାକୁ ବିଜେପି ଚିନ୍ତା କରୁନାହିଁ | କାରଣ ଏହା ପୂର୍ବରୁ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାନଝୀ ଦାବି କରିଥିଲେ ଯେ ଏହି ବଙ୍ଗଳାରେ ଦିବଙ୍ଗତ ଦଳିତ ନେତାଙ୍କ ସ୍ମାରକୀ ନିର୍ମାଣ କରାଯାଉ | ତେଣୁ ବଙ୍ଗଳା ଖାଲି କରିଦେଲେ କାଳେ ଚିରାଗ ରାଜନୀତି ଆରମ୍ଭ କରିଦେବେ ସେନେଇ ବିଜେପି ନିରବ ରହିଛି |

ସମ୍ବନ୍ଧିତ ଖବର