ପାଟଣା: ଚଳିତ ବର୍ଷ ଶେଷ ଆଡକୁ ହେବ ବିହାର ବିଧାନସଭା ନିର୍ବାଚନ । ଆଉ ଦିନ କେଇଟା କିମ୍ବା କିଛି ସପ୍ତାହ ଭିତରେ ଘୋଷଣା ହୋଇପାରେ ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ । ତାରିଖ ଘୋଷଣା ପୂର୍ବରୁ ସରଗରମ ହେଲାଣି ବିହାର ରାଜନୀତି । ଦିଲ୍ଲୀ ନେତାଙ୍କ ଆଡ୍ଡା ଜମିଲାଣି ବିହାରରେ ଆଉ ଗ୍ରାଉଣ୍ଡରେ ବି ଦେଖିବାକୁ ମିଳିଲାଣି ବିଭିନ୍ନ ଆଶାୟୀଙ୍କୁ…
ଆଉ ଏତିକି ବେଳେ ଚିରାଗଙ୍କୁ ଦେଖିବାକୁ ମିଳିଛି ଭିନ୍ନ ରୂପରେ । ଚିରାଗ ପାଶୱାନଙ୍କ ଏଲଜେପି ଏବେ ବିହାର ବିଧାନସଭା ନିର୍ବାଚନ ଲଢିବାକୁ ଅଣ୍ଟା ଭିଡିଛି । ଏନେଇ ଏଲଜେପିର ସଂସଦୀୟ ଦଳ ବୈଠକରେ ନିଷ୍ପତ୍ତି ହୋଇଛି । ଏହାସହ କେନ୍ଦ୍ରମନ୍ତ୍ରୀ ଥିବା ଦଳର ମୁଖ୍ୟ ଚିରାଗ ପାସୱାନ ମଧ୍ୟ ବିଧାନସଭା ନିର୍ବାଚନ ଲଢିବେ ବୋଲି ନିଷ୍ପତ୍ତି ନେଇଛନ୍ତି ।
ଏକ ଜାତୀୟ ଗଣମାଧ୍ୟମକୁ କିଛିଦିନ ତଳେ ଚିରାଗ ଦେଇଥିବା ଏକ ବୟାନ ମୁତାବକ ସେ ବିହାରର ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛନ୍ତି ଓ ଦଳର କର୍ମକର୍ତ୍ତା ସମାନ କଥା ଚାହୁଁଛନ୍ତି । ‘ବିହାର ଫାଷ୍ଟ, ବିହାରୀ ଫାଷ୍ଟ’ର ନାରା ଦେଉଥିବା ଏଲଜେପିର ରାଜନୀତି ବିହାର କେନ୍ଦ୍ରିତ ବୋଲି ସଂସଦୀୟ ଦଳ ବୈଠକ ପରେ ସ୍ପଷ୍ଟ ହୋଇଛି ।
ହେଲେ ଏକଥା ସ୍ପଷ୍ଟ ହୋଇନାହିଁ ଦଳ ଏନଡିଏ ମେଣ୍ଟରେ ନିର୍ବାଚନ ଲଢିବ ନା ଏକାକୀ ନିର୍ବାଚନ ମୈଦାନକୁ ଓହ୍ଲାଇବ । ଚିରାଗ ପାଶୱାନ ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ କହିଥିଲେ କି ମୋଦୀ ସରକାରଙ୍କ ସମୟରେ ତାଙ୍କୁ କାମ କରିବାର ସ୍ୱତନ୍ତ୍ରତା ମିଳିଛି । ହେଲେ ଗତ କିଛି ସମୟ ହେବ ଏନଡିଏର କିଛି ପ୍ରସଙ୍ଗକୁ ଚିରାଗ ଖୋଲାଖୋଲି ବିରୋଧ କରୁଛନ୍ତି । ଯେମିତି କି, ହିନ୍ଦୁ-ମୁସଲମାନ ପ୍ରସଙ୍ଗ, ଜାତିଗତ ଜନଗଣନା ପ୍ରସଙ୍ଗ, ଲାଟେରାଲ ଏଣ୍ଟ୍ରି ପ୍ରସଙ୍ଗକୁ ଚିରାଗ ସିଧାସଳଖ ବିରୋଧ କରୁଛନ୍ତି ।
ଚିରାଗ କହିଥିଲେ କି ଏଲଜେପି ଏନଡିଏ ମେଣ୍ଟରେ ରହିଛି ସତ ହେଲେ ବିଜେପିର ପ୍ରକ୍ସି ପାର୍ଟି ଭାବେ କାମ କରିପାରିବ ନାହିଁ । ଚିରାଗଙ୍କ ଏଭଳି ବୟାନ ଓ ବିହାର ବିଧାନସଭା ନିର୍ବାଚନରେ ଦଳ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେବା ଭଳି ଘଟଣା ଦେଖିଲେ ଲାଗୁଛି କି, ବିହାରରେ ଏନଡିଏ ମେଣ୍ଟରେ ମଧ୍ୟ ସବୁକିଛି ଠିକ୍ ଠାକ୍ ନାହିଁ ଆଉ ଚିରାଗ ବିହାର ରାଜନୀତିରେ ଏକ ବିରାଟ ଝଡ ସୃଷ୍ଟି କରିପାରନ୍ତି ।