ପାଟନା: ବିହାରର ଗୟା ଜିଲ୍ଲାରେ ହୋମ୍ଗାର୍ଡ ନିଯୁକ୍ତି ଅଭିଯାନରେ ଭାଗ ନେଇଥିବା ଜଣେ ୨୬ ବର୍ଷୀୟା ମହିଳା ଶାରୀରିକ ପରୀକ୍ଷା ବେଳେ ଅଚେତ ହୋଇ ତଳେ ପଡ଼ିଯାଇଥିଲେ। ତାଙ୍କୁ ଏକ ଆମ୍ବୁଲାନ୍ସରେ ଡାକ୍ତରଖାନା ନିଆଯାଉଥିବା ବେଳେ ସେହି ଚଳନ୍ତା ଗାଡ଼ିରେ ତାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଜୁଲାଇ ୨୪ ତାରିଖରେ ବୋଧଗୟାସ୍ଥିତ ବିହାର ମିଲିଟାରୀ ପୁଲିସ ପଡ଼ିଆରେ ହୋମଗାର୍ଡ ନିଯୁକ୍ତି ପାଇଁ ପରୀକ୍ଷା ଚାଲିଥିଲା। ପୁଲିସ କହିବା ଅନୁଯାୟୀ, ନିଯୁକ୍ତି ପାଇଁ ଥିବା ଷ୍ଟାଣ୍ଡାର୍ଡ ପ୍ରୋସିଜର ଅନୁଯାୟୀ ମହିଳା ଜଣକ ଶାରୀରିକ ସହନଶୀଳତା ପରୀକ୍ଷା ବେଳେ ଅଚେତ ହୋଇପଡ଼ିଥିଲେ। କାର୍ଯ୍ୟକ୍ରମ ଆୟୋଜକମାନେ ଘଟଣାସ୍ଥଳରେ ମୁତୟନ ଥିବା ଆମ୍ବୁଲାନ୍ସ ମାଧ୍ୟମରେ ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ସ୍ଥାନାନ୍ତର କରିବାର ବ୍ୟବସ୍ଥା କରିଥିଲେ। ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ, ଆମ୍ବୁଲାନ୍ସ ଭିତରେ ତାଙ୍କୁ ଏକାଧିକ ବ୍ୟକ୍ତି ଦୁଷ୍କର୍ମ କରିଥିଲେ। ତାଙ୍କ ବୟାନ ପରେ ବୋଧଗୟା ଥାନାରେ ଏତଲା ରୁଜୁ ହୋଇଥିଲା।
ଘଟଣାର ତଦନ୍ତ ପାଇଁ ଏକ ଏସ୍ଆଇଟି ଓ ଫରେନସିକ୍ ଟିମ୍ ନିୟୋଜିତ ହୋଇଥିଲେ। ଏତଲାର କିଛି ଘଣ୍ଟା ମଧ୍ୟରେ ଏସ୍ଆଇଟି ଆମ୍ବୁଲାନ୍ସ ଡ୍ରାଇଭର ବିନୟ କୁମାର ଓ ଏଥିରେ ଥିବା ଟେକ୍ନିସିଆନ ଅଜିତ କୁମାର ନାମକ ଦୁଇ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଥିଲା। ଏହି ଦୁଇ ଜଣ ଏବେ ପୁଲିସ ହେପାଜତରେ ଅଛନ୍ତି ଏବଂ ସେମାନଙ୍କୁ ପଚରାଉଚରା କରାଯାଉଛି। ଅଧିକାରୀମାନେ ନିଶ୍ଚିତ କରିଛନ୍ତି ଯେ, ଆଖପାଖରେ ଥିବା ସିସିଟିଭି ଫୁଟେଜ୍ ଗାଡିର ରୁଟ୍ ଓ ଟାଇମ୍ଲାଇନ୍ ବିଷୟରେ ନିଶ୍ଚିତ କରିଛି। ପୁଲିସ ଆଗରେ ମହିଳା ଜଣକ କହିଛନ୍ତି ଯେ, ଶାରୀରିକ ପରୀକ୍ଷା ସମୟରେ ସେ ଚେତା ହରାଇଥିଲେ ଏବଂ ପରିବହନ ସମୟରେ ଘଟିଥିବା ଘଟଣା ବିଷୟରେ କେବଳ ଆଂଶିକ ଭାବେ ଅବଗତ ଥିଲେ। ପରେ ଆମ୍ବୁଲାନ୍ସ ଭିତରେ ଥିବା ୩ରୁ ୪ ଜଣ ବ୍ୟକ୍ତି ତାଙ୍କୁ ଦୁଷ୍କର୍ମ କରିଥିବା ନେଇ ସେ ପୁଲିସ ଓ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଏହି ଘଟଣାକୁ ନେଇ ରାଜ୍ୟର ଆଇନଶୃଙ୍ଖଳା ମାମଲାରେ ବିରୋଧୀ ଦଳମାନେ ପୁଣି ସରକାରକୁ ଟାର୍ଗେଟ୍ କରିଛନ୍ତି। ରାଜ୍ୟ ପୁଲିସର କାର୍ଯ୍ୟଶୈଳୀ ଉପରେ କଂଗ୍ରେସ ଓ ଆର୍ଜେଡି ନେତାମାନେ ପ୍ରଶ୍ନ ଉଠାଇଥିବା ବେଳେ ଏନ୍ଡିଏ ମେଣ୍ଟର କିଛି ନେତା ମଧ୍ୟ ନୀତୀଶ ସରକାରକୁ ସମାଲୋଚନା କରିଥିବାରୁ ଏହାକୁ ନେଇ ରାଜନୀତି ସରଗରମ ରହିଛି।