ଏଲ୍‌ଜେପି ମୁଖ୍ୟ ପଦରୁ ଚିରାଗ ବହିଷ୍କୃତ, ପାଲଟା କାର୍ଯ୍ୟାନୁଷ୍ଠାନରେ ୫ ସାଂସଦଙ୍କୁ ହଟାଇଲେ ଚିରାଗ

ନୂଆଦିଲ୍ଲୀ: ଲୋକ ଜନଶକ୍ତି ପାର୍ଟି (ଏଲ୍‌ଜେପି)ରେ ଗତକାଲିଠାରୁ ଆରମ୍ଭ ହୋଇଥିବା ସଙ୍କଟ ଆଜି ଅତି ଜଟିଳ ରୂପ ନେଇଛି। ଦିବଂଗତ ନେତା ରାମ ବିଳାସ ପାଶ୍ବାନ୍‌ଙ୍କ ପୁଅ ଚିରାଗ୍‌ ପାଶ୍ବାନ୍‌ଙ୍କୁ ଆଜି ଏଲ୍‌ଜେପି ମୁଖ୍ୟ ପଦରୁ ବହିଷ୍କାର କରାଯାଇଛି। କକା ପଶୁପତି କୁମାର ପାରସଙ୍କ ଦ୍ବାରା ଚିରାଗ୍‌ ପାଶ୍ବାନ୍‌ଙ୍କଠାରୁ କ୍ଷମତା କାଢ଼ିନେବାପାଇଁ ବଡ଼ ଧରଣର ଷଡ଼ଯନ୍ତ୍ର ହୋଇଥିବା କୁହାଯାଉଛି । ପାରସ୍‌ଙ୍କ ସହ ଏଲ୍‌ଜେପିର ଅନ୍ୟ ୪ ଜଣ ସାଂସଦ ମଧ୍ୟ ଦଳ ବିରୋଧୀ କାର୍ଯ୍ୟକ୍ରମ ପାଇଁ ଚିରାଗ୍‌ଙ୍କ ବିରୋଧରେ ବିଦ୍ରୋହ କରିଛନ୍ତି। ଏକ ‘ ଜରୁରୀ ବୈଠକ’ରେ ଆଜି ଚିରାଗ୍‌ଙ୍କୁ ଦଳର ରାଷ୍ଟ୍ରୀୟ ସଭାପତି ପଦରୁ ବହିଷ୍କାର କରିବାପାଇଁ ନିଷ୍ପତ୍ତି ନିଆଯାଇଥିଲା। ଅନ୍ୟପକ୍ଷରେ ଚିରାଗ ପାଶ୍ବାନ୍‌ ଆଜି ତାଙ୍କ କକା ପାରସ୍‌ ଏବଂ ଅନ୍ୟ ୪ ସାଂସଦଙ୍କୁ ଦଳରୁ ବହିଷ୍କାର କରିଛନ୍ତି। ଏଲ୍‌ଜେପିରେ କ୍ଷମତା ପାଇଁ ଆରମ୍ଭ ହୋଇଥିବା ଏହି ଯୁଦ୍ଧ ଆଗକୁ ଆହୁରି ତୀବ୍ର ହେବ ବୋଲି ଜଣାପଡ଼ିଛି। ଆଜି ଚିରାଗ୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦଳର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ୫ ନେତାଙ୍କୁ ବହିଷ୍କାର ସଂକ୍ରାନ୍ତ ନିଷ୍ପତ୍ତି ନିଆଯାଇଥିଲା। ପଶୁପତି କୁମାର ପାରସ୍‌, ବୀଣା ଦେବୀ, ଚୌଧୁରୀ ମେହବୁବ ଅଲି, ଚନ୍ଦନ ସିଂହ ଏବଂ ପ୍ରିନ୍ସ ରାଜଙ୍କୁ ଦଳର ପ୍ରାଥମିତ ସଦସ୍ୟତା ପଦରୁ ବହିଷ୍କାର କରାଯାଇଛି।

ଅନ୍ୟପକ୍ଷେ ଚିରାଗ୍‌ଙ୍କୁ ‘ୱାନ୍‌ ମ୍ୟାନ୍‌ ୱାନ୍‌ ପୋଷ୍ଟ୍‌’ ନୀତିରେ ଜାତୀୟ ସଭାପତି ପଦରୁ ବହିଷ୍କାର କରାଯାଇଛି ବୋଲି ବିଦ୍ରୋହୀ ନେତାମାନେ କହିଛନ୍ତି। ମିଳିଥିବା ସୂଚନାନୁଯାୟୀ ବିଦ୍ରୋହୀ ନେତାମାନେ ଚିରାଗ୍‌ଙ୍କପାଖରେ ଥିବା ପ୍ରତି ପଦବିକୁ କାଢ଼ିନେବାକୁ ନିଷ୍ପତ୍ତି ନେଇଛନ୍ତି। ପାରସ୍‌ ଗୋଷ୍ଠୀ ଅନୁଯାୟୀ ସୁରଜ ଭନ୍‌ ଏବେ ଦଳର ନୂଆ କାର୍ଯ୍ୟକାରିଣୀ ଅଧ୍ୟକ୍ଷ ରହିବେ। ପଶୁପତି ଖୁବ୍‌ଶୀଘ୍ର ଦଳର ସମ୍ପୂର୍ଣ୍ଣ ଦାୟିତ୍ବ ନେବେ ବୋଲି କୁହାଯାଉଛି। ଅନ୍ୟପକ୍ଷେ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ପଶୁପତି ପାରସ୍‌ଙ୍କୁ ଲୋକସଭାରେ ଏଲ୍‌ଜେପିର ନୂଆ ନେତା ଭାବେ ଗ୍ରହଣ କରିସାରିଛନ୍ତି। ଚିରାଗ୍‌ ଗତକାଲି ତାଙ୍କ କକାଙ୍କୁ ଭେଟିବାପାଇଁ ତାଙ୍କ ଘର ବାହାରେ ୪୫ ମିନିଟ୍‌ ଅପେକ୍ଷା କରିଥିଲେ କିନ୍ତୁ ପାରସ୍‌ ସୁଯୋଗ ଦେଲେନାହିଁ। ଜୁନିୟର ପାଶ୍ବାନ୍‌ ଆଜି ଏକ ଟ୍ବିଟ୍‌ କରି କହିଛନ୍ତି, ବାପାଙ୍କ ଦ୍ବାରା ଗଠିତ ଦଳ ଏବଂ ମୋ ପରିବାରକୁ ଏକଜୁଟ୍‌ ରଖିବାପାଇଁ ବହୁତ ଚେଷ୍ଟା କଲି କିନ୍ତୁ ବିଫଳ ହେଲି। ଦଳ ହେଉଛି ମା’ ସଦୃଶ। ଆମେମାନେ ମା’କୁ ଧୋକା ଦେବା ଉଚିତ୍‌ ନୁହେଁ ବୋଲି ଚିରାଗ୍‌ କହିଛନ୍ତି। ଅନ୍ୟପକ୍ଷରେ ଚିରାଗ୍‌ ଏଲ୍‌ଜେପିରୁ ବହିଷ୍କୃତ ହେବାପରେ କଂଗ୍ରେସ ଏବଂ ଆର୍‌ଜେଡି ତାଙ୍କୁ ଦଳରେ ନେବାପାଇଁ କସରତ ଆରମ୍ଭ କରିଦେଇଛନ୍ତି।

ସମ୍ବନ୍ଧିତ ଖବର