ନୂଆଦିଲ୍ଲୀ : ଓଡ଼ିଶାରେ ଚିଟଫଣ୍ଡ ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟ ସିବିଆଇ ଏବଂ ଓଡ଼ିଶା ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ନିବେଶକମାନଙ୍କ ଟଙ୍କା ଫେରସ୍ତ କରିବା ପାଇଁ ସୁପ୍ରିମକୋର୍ଟରେ ସାମାଜିକ କର୍ମୀ ପିନାକ ପାଣି ମହାନ୍ତିଙ୍କ ଦ୍ବାରା ଜନସ୍ବାର୍ଥ ମାମଲା ଦାଖଲ କରାଯାଇଥିଲା। ଏହାର ଶୁଣାଣି କରି ସୁପ୍ରିମକୋର୍ଟ ଆଜି ଏହି ନୋଟିସ ଦେଇଛନ୍ତି। ବିଚାରପତି ଜଷ୍ଟିସ ଏମ୍ଆର୍ ଶାହା ଏବଂ ବିଚାରପତି ଜଷ୍ଟିସ୍ କ୍ରିଷ୍ଣା ମୁରାରୀଙ୍କ ଖଣ୍ଡପୀଠ ଏହାର ଶୁଣାଣି କରିଥିଲେ।
ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଯୁକ୍ତି ଉପସ୍ଥାପନ କରିଥିଲେ। ଶ୍ରୀ ଭୂଷଣ କହିଲେ, ପିଟିସନରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ରହିଛି। ନଅ ବର୍ଷ ବିତିଯାଇଥିଲେ ସୁଦ୍ଧା ଜଣେ ମଧ୍ୟ ନିବେଶକ ସେମାନଙ୍କ ଅର୍ଥ ଫେରସ୍ତ ପାଇପାରି ନାହାନ୍ତି। ଇତି ମଧ୍ୟରେ ବହୁ ପରିମାଣର ସଂପତ୍ତି ବାଜ୍ୟାପ୍ତି ହୋଇଛି। କିନ୍ତୁ ନିବେଶକଙ୍କୁ ଟଙ୍କା ଫେରସ୍ତ କରାଯାଉନାହିଁ। ଏହି ମାମଲାରେ ଅଦାଲତ ତୁରନ୍ତ ହସ୍ତକ୍ଷେପ କରନ୍ତୁ। ଏଥି ସହିତ ଓଡ଼ିଶାରେ ସାହାରାର ଚାରିଟି କ୍ରେଡିଟ୍ କୋ-ଅପରେଟିଭ୍ ସୋସାଇଟି ୨ ଲକ୍ଷ କୋଟି ଟଙ୍କା ଠକିଥିବା ଅଭିଯୋଗ କରି ସେମାନଙ୍କର ବିରୋଧରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବା ପାଇଁ ସେ ଖଣ୍ଡପୀଠଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୪ରେ ହେବ।
ଆବେଦନକାରୀଙ୍କ ପକ୍ଷରୁ ୪୮୦ ପୃ୍ଷ୍ଠାର ଜନସ୍ବାର୍ଥ ମାମଲା ପିଟିସନ ଦାଖଲ କରାଯାଇଛି। ପଟିସନରେ କୁହାଯାଇଛି, ଓଡିଶାରେ ଚିଟଫଣ୍ଡ ଦୁର୍ନୀତି ଯୋଗୁ ୨୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଏଥିରେ ୫୦ ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଆକଳନ କରାଯାଇଛି। ଓଡ଼ିଶାରେ ୮୫ ଚିଟଫଣ୍ଡ କଂପାନି ସକ୍ରିୟ ରହିଥିବା ବେଳେ ଏମାନଙ୍କ ନେଟୱାର୍କ ବିଭିନ୍ନ ରାଜ୍ୟରେ ରହିଛି। ୪୪ ଟି ଚିଟଫଣ୍ଡ କଂପାନିଙ୍କ ବିରୋଧରେ ସିବିଆଇ ତଦନ୍ତ ପାଇଁ ୨୦୧୪ରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶ ସତ୍ତ୍ବେ ବର୍ତ୍ତମାନ ସୁଦ୍ଧା ସିବିଆଇ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିନଥିବା ଆବେଦନକାରୀ ପିଟିସନରେ ଉଲ୍ଲେଖ କରିଛନ୍ତି।