ଆଜି ସୁପ୍ରିମକୋର୍ଟରେ ଚିଟଫଣ୍ଡ ମାମଲା ଶୁଣାଣି

ଆମିକସ୍‌ କ୍ୟୁରି ଦାଖଲ କଲେ ସଂକ୍ଷିପ୍ତ ନୋଟ୍, ୨,୧୦,୬୪୬ ଜମାକାରୀଙ୍କୁ ୮୩,୪୬,୩୧,୪୧୬ ଟଙ୍କା ପ୍ରଦାନ

ନୂଆଦିଲ୍ଲୀ : ଆଜି ସୁପ୍ରିମକୋର୍ଟରେ ଓଡ଼ିଶାର ଚିଟଫଣ୍ଡ ଦୁର୍ନୀତି ସଂପର୍କୀତ ମାମଲାର ଶୁଣାଣି ହେବ। ବିଚାରପତି ଜଷ୍ଟିସ୍‌ ଏମ୍‌.ଆର୍‌ ଶାହା ଓ ବିଚାରପତି ଜଷ୍ଟିସ୍‌ ସି.ଟି ରବିକୁମାରଙ୍କ ଖଣ୍ଡପୀଠ ଏହାର ଶୁଣାଣି କରିବେ। ଶୁଣାଣି ପୂର୍ବରୁ ଆଜି ସଂଧ୍ୟାରେ ଏହି ମାମଲାରେ କୋର୍ଟଙ୍କ ଦ୍ବାରା ନିଯୁକ୍ତ ଆମିକସ୍‌ କ୍ୟୁରି ଗୌରବ ଅଗ୍ରୱାଲ ୧୧ ପୃଷ୍ଠାର ନୋଟ୍ ଦାଖଲ କରିଛନ୍ତି। ନୋଟ୍‌ରେ ସିବିଆଇ, ରାଜ୍ୟ ସରକାର ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ପ୍ରଦତ୍ତ ଗୁରୁତ୍ବପୂର୍ଣ୍ଣ ତଥ୍ୟକୁ ଉଲ୍ଲେଖ କରାଯାଇଛି।

ନୋଟରେ ଉଲ୍ଲେଖ କରାଯାଇଛି ଯେ ଏହି ଦୁର୍ନୀତିକୁ ନେଇ ସିବିଆଇ ପକ୍ଷରୁ ୪୪ ଟି ଏଫ୍‌ଆଇଆର୍‌ ରୁଜୁ କରାଯାଇଛି। ସିବିଆଇ ୨୩ଟି ମାମଲାର ତଦନ୍ତ ଶେଷ କରିଛି। ୨୧ଟି ମାମଲାର ପ୍ରାରମ୍ଭିକ ଚାର୍ଜସିଟ ଦାଖଲ କରାଯାଇଛି ଓ ତଦନ୍ତ ଜାରି ରହିଛି। ଗୋଟିଏ ମାମଲାରେ ବିଚାର ଶେଷ ହୋଇଛି ଓ ଅଭିଯୁକ୍ତଙ୍କୁ ଦଣ୍ଡାଦେଶ ହୋଇଛି। ୧୦୭୯ କୋଟି ଟଙ୍କାର କ୍ଷତିପୂରଣ ଆଦେଶ ହୋଇଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ ଆଦାୟ ହୋଇନାହିଁ। ସେହି ଭଳି ଇଡି ପିଏମ୍‌ଏଲ୍‌ଏ ଆଇନ-୨୦୦୨ ଅନୁସାରେ ୭ଟି ମାମଲା ରୁଜୁ କରିଛି। ୨ଟି ମାମଲାରେ ତଦନ୍ତ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି ଏବଂ ୫ଟି ମାମଲାରେ ସଂପତ୍ତି ବ୍ୟାଜ୍ୟାପ୍ତ କରାଯାଇଛି। ଓପିଆଇଡି ଆଇନ ୨୦୧୧ ଆଧାରରେ ରାଜ୍ୟ ସରକାର ୭ଟି କଂପାନିରୁ ୪ଟି କଂପାନିର ପ୍ରସିଡିଂ ନିଜ ହାତକୁ ନେଇଛନ୍ତି। ରାଜ୍ୟ ସରକାରଙ୍କ ଦ୍ବାରା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ବରେ କମିସନ୍‌ ଅଫ ଇନକ୍ବାରି ଜୁଲାଇ ୫, ୨୦୧୩ରେ ଗଠନ କରାଯାଇଥିଲା। ରାଜ୍ୟ ଦ୍ବାରା ଅକ୍ଟୋବର ୨୦, ୨୦୧୪ରେ ୩୦୦ କୋଟି ଟଙ୍କାର କରପସ୍‌ ପାଣ୍ଠି ସୃଷ୍ଟି କରାଯାଇଥିଲା। କମିସନଙ୍କ ଟର୍ମ ଅଫ ରେଫରାନ୍ସ ଡିସେମ୍ବର ୧୧, ୨୦୧୯ରେ ସଂଶୋଧିତ ହୋଇଥିଲା। ରାଜ୍ୟ ସରକାରଙ୍କ ଜବାବୀ ସତ୍ୟପାଠ ଅନୁସାରେ ଆଜି ସୁଦ୍ଧା ୨ ଲକ୍ଷ ୧୦ ହଜାର ୬୪୬ ଜମାକାରୀଙ୍କୁ ୮୩ କୋଟି ୪୬ ଲକ୍ଷ ୩୧ ହଜାର ୪୧୬ ଟଙ୍କା କ୍ଷତିପୂରଣ ଦିଆଯାଇଛି ବୋଲି ଆମିକସ୍‌ କ୍ୟୁରି ନୋଟ୍‌ରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର