ମୁମ୍ବାଇ: ବାହାରେ ବର୍ଷାର ଟୁପୁରୁ ଟାପର ଶବ୍ଦ, ଭିତରେ ବଲିଉଡ ଗୀତର ଧୂନ । ବର୍ଷା ପାଇଁ ଆଗରେ ପ୍ରବଳ ଟ୍ରାଫିକ୍ ଜାମ୍, ପଡିଛି ରେଡ୍ ସିଗନାଲ୍… କିନ୍ତୁ ଅଟୋ ଭିତରୁ ଶୁଭୁଛି ଗ୍ରୀନ ସିଗନାଲର ସୁନ୍ଦର ରୋମାଣ୍ଟିକ୍ ଗୀତ । ଆପଣ ନିହାତି ଭାବୁଥିବେ ଅଟୋ ଡ୍ରାଇଭର ନିଜ ଅଟୋରେ ଗୀତ ବଜାଇ ଯାତ୍ରା କରୁଥିବେ, ଯାତ୍ରୀଙ୍କୁ ଟିକେ ନିଆରା ଅନୁଭୂତି ଦେବାକୁ । କିନ୍ତୁ ନା- ଅଟୋ ଭିତରେ କେଉଁ ମ୍ୟୁଜିକ ସିଷ୍ଟମରୁ ଗୀତ ବାଜୁନି ବରଂ ଗୀତ ଶୁଭୁଛି ଅଟୋ ଚଳାଉଥିବା ସେ ଚାଳକଙ୍କ କଣ୍ଠରୁ… ବର୍ଷା ପାଗରେ ଟିକେ ରୋମାଣ୍ଟିକ ହୋଇପଡିଥିବା ମୁମ୍ବାଇର ଜଣେ ଅଟୋ ଡ୍ରାଇଭର କିଶୋର କୁମାରଙ୍କ ଅବିକଳ ଗୀତ ଗାଉଛନ୍ତି । ଗୋଟେ ମାଇକ୍ ଧରି ‘ଛୁ କର୍ ମେରେ ମନ କୋ’ ଗୀତ ଗାଇ ପୂରା ସୋସିଆଲ ମିଡିଆରେ ଭାଇରାଲ୍ ହେଇଛନ୍ତି…
ଗୋଟେ ପଟେ ଲଗାଣ ବର୍ଷାରେ ଯେତେବେଳେ ପୂରା ମୁମ୍ବାଇ ବେହାଲ ହୋଇପଡିଛି । ଯେତେବେଳେ ରାସ୍ତାରେ ପାଣି ଜମିଛି ଆଉ ଜୀବନ ଯନ୍ତ୍ରଣା ଦାୟକ ହୋଇଛି… ଠିକ୍ ସେତେବେଳେ ଯନ୍ତ୍ରଣାର ଟ୍ରାଫିକ ଜାମରେ ଛିଡା ହୋଇ ଜୀବନକୁ ସଙ୍ଗୀତ ଶୁଣାଇଛନ୍ତି ଅଟୋ ଡ୍ରାଇଭର ଜଣଙ୍କ । କିଶୋର ଦା’ଙ୍କ ରୋମାଣ୍ଟିକ୍ ଗୀତକୁ ନିଜେ ଗାଇ ପୂରା ମୌସମକୁ ବଦଳାଇ ଦେଇଛନ୍ତି । ତାଙ୍କ ଗୀତର ତାଳେ ତାଳେ ଆକାଶରୁ ପଡିଛି ବର୍ଷା… ରାସ୍ତାରେ ଜମିଥିବା ପାଣି ବି ତାଙ୍କ ସ୍ବର ଶୁଣି ଆହୁରି ଜୋରରେ ନଈ ମୁହାଁ ହୋଇଛି… ଭିଜା ପାଗରେ ମୁମ୍ବାଇର ବତୁରା ଛାତିରେ ଏକ ସଙ୍ଗୀତମୟ ପରିବେଶ ସୃଷ୍ଟି ହୋଇଛି ।
ଟ୍ରାଫିକରେ ଅଟକିଥିବା ଲୋକେ ଡ୍ରାଇଭରଙ୍କ ଗୀତ ଶୁଣି ମନ୍ତ୍ରମୁଗ୍ଧ ହୋଇଥିବା ବେଳେ ରେଡ୍ ସିଗନାଲ ଆଉ କିଛି ସମୟ ପାଇଁ ଏମିତି ପଡିକି ରୁହନ୍ତାକି ସେମାନେ ଏ ବର୍ଷା ଭିଜା ପାଗରେ କିଶୋର ଦା’ଙ୍କ ଗୀତ ଆଉ ଟିକେ ଶୁଣନ୍ତେ… କିନ୍ତୁ ହାଏ- ଲିଭିଯାଏ ରେଡ୍ ସିଗନାଲ୍- ଗ୍ରୀନ ସିଗନାଲ ପରେ ପୁଣି ଗଡେ ଗାଡି… ମୁମ୍ବାଇ ବର୍ଷାର ଟୁପୁରୁ ଟୁପୁରୁ ଶବ୍ଦ ସହ ମିଶିଯାଏ ଅଟୋ ଡ୍ରାାଇଭରଙ୍କ କିଶୋର କୁମାରଙ୍କ ସଙ୍ଗୀତ ‘ଛୁ କର୍ ମେରେ ମନ କୋ’…
ତେବେ ଗୀତଟି ଜଣେ ଯାତ୍ରୀଙ୍କ ଦ୍ବାରା ରେକର୍ଡ କରାଯାଇଥିବା ବେଳେ ସେ ଏହାକୁ ସୋସିଆଲ ମିଡିଆରେ ପକାଇବା ପରେ ନିଆଁ ପରି ଭାଇରାଲ ହୋଇଛି । ଅଟୋ ଡ୍ରାଇଭରଙ୍କ ଗୀତ ସହ ସେ ଲେଖିଛନ୍ତି ଆପଣ ଯଦି ମୁମ୍ବାଇରେ ବର୍ଷା ଭିଜା ଅଟୋ ରାଇଡ୍ କରିବା ପାଇଁ ଚାହୁଁଛନ୍ତି ତେବେ ଆପଣଙ୍କୁ ଭିଜା ସହରକୁ ଦେଖିବା ସହ ମାଗଣାରେ କିଶୋର କୁମାରଙ୍କ ଗୀତ ଶୁଣିବାକୁ ମିଳିବ… ଏ ସୁଯୋଗକୁ ହାତଛଡା କରନ୍ତୁ ନାହିଁ ।