ମୁମ୍ବାଇ: ୫ ଓଏନ୍‌ଜିସି କର୍ମଚାରୀଙ୍କୁ ନେଇ ଯାଉଥିବା ହେଲିକାପ୍ଟର୍‌ ଦୁର୍ଘଟଣାଗ୍ରସ୍ତ, ୪ ମୃତ

ମୁମ୍ବାଇ: ଶନିବାର ୫ ଜଣ ଅଏଲ୍‌ ଆଣ୍ଡ୍‌ ନେଚୁରାଲ୍‌ ଗ୍ୟାସ୍‌ କର୍ପୋରେସନ୍‌ (ଓଏନ୍‌ଜିସି) କର୍ମଚାରୀଙ୍କୁ ବସାଇ ଜୁହୁ ବିମାନ ବନ୍ଦରରୁ ଉଡ଼ାଣ ଆରମ୍ଭ କରିବା ପରେ ଏକ  ପବନହଂସ ହେଲିକାପ୍ଟର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୪ ଜଣ  ମୃତ୍ୟୁମୁଖରେ ପଡ଼ିଥିବା ଜଣାପଡ଼ିଛି। ମୁମ୍ବାଇ ଠାରୁ ୨୨ ମାଇଲ୍ ଦୂରରେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।

ଶବିବାର ସକାଳେ ୨ ଜଣ ପାଇଲଟ୍‌ ଏବଂ ଓଏନ୍‌ଜିସିର ୫ ଉଚ୍ଚସ୍ତରୀୟ କର୍ମଚାରୀଙ୍କୁ ଧରି ହେଲିକାପ୍ଟର୍‌ଟି ନିର୍ଦ୍ଧାରିତ ତୈଳକୂପ ଖନନସ୍ଥଳୀକୁ ଯାତ୍ରା କରିଥିଲା। ଯାତ୍ରାର ୧୫ ମିନିଟ ପରେ ଏଟିସି ସହ ଏହାର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା।  ଶେଷ ଥର ପାଇଁ ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟା ବେଳେ ତୈଳକୂପ ଏୟାର୍‌ ଟ୍ରାଫିକ୍‌ କଣ୍ଟ୍ରୋଲ୍‌ ସହ ହେଲିକାପ୍ଟର୍‌ଟିର ସମ୍ପର୍କ ସ୍ଥାପିତ ହୋଇଥିଲା। ଏହାପରେ ହେଲିକାପ୍ଟର୍‌  ନିଖୋଜ ରହିଥିଲା।  ଓଏନ୍‌ଜିସି ପକ୍ଷରୁ  ଭାରତୀୟ ତଟରକ୍ଷୀଙ୍କୁ ସୂଚନା ଦିଆଯିବା ପରେ  ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା।

ଘଟଣା ସଂପର୍କରେ ଜାଣିବା ପରେ ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସଙ୍ଗେ ସଙ୍ଗେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ସାହାଯ୍ୟ ଲାଗି ଅନୁରୋଧ କରିଥିଲେ।  ଏହାପରେ ପ୍ରତିରକ୍ଷା ମନ୍ତ୍ରୀ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରକୁ ଠାବ କରାଯିବା ସହ ଉଦ୍ଧାର କାର୍ଯ୍ୟ ଲାଗି ସବୁପ୍ରକାର ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ଟୁଇଟ୍ କରିଥିଲେ।

ବର୍ତ୍ତମାନ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରକୁ ଠାବ କରାଯିବା ସହ ନୌସେନା ଓ ତଟରକ୍ଷା ବାହିନୀ ପକ୍ଷରୁ ଉଦ୍ଧାର ଜାରି ରହିଛି। ପ୍ରାଥମିକ ରିପୋର୍ଟ ଅନୁସାରେ ୪ ଜଣ  ମୃତ୍ୟୁମୁଖରେ ପଡ଼ିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର