ଅଣ୍ଡରଓ୍ଵାର୍ଲଡ୍‌ ଡନ ଛୋଟା ରାଜନକୁ ୮ ବର୍ଷ ଜେଲ

ନୂଆଦିଲ୍ଲୀ : ଅଣ୍ଡରଓ୍ଵାର୍ଲଡ ଡନ ଛୋଟା ରାଜନକୁ ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟ ଏକ ହତ୍ୟା ଉଦ୍ୟମ ମାମଲାରେ ଦୋଷୀ ସାବ୍ୟସ୍ତ କରି ୮ ବର୍ଷ ଜେଲଦଣ୍ଡ ପ୍ରଦାନ କରିଛନ୍ତି । ରାଜନ ସହିତ ଆଉ ୫ ଜଣଙ୍କୁ ମଧ୍ୟ ଦୋଷୀ ସାବ୍ୟସ୍ତ କରାଯାଇ ୮ ବର୍ଷ ଲେଖାଏଁ ଜେଲଦଣ୍ଡ ପ୍ରଦାନ କରାଯାଇଛି । ଏହା ସହିତ ସେମାନଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ଲାଗୁ କରାଯାଇଛି । ୨୦୧୨ରେ ମୁମ୍ବାଇର ଜଣେ ହୋଟେଲ ବ୍ୟବସାୟୀଙ୍କୁ ହତ୍ୟା ଉଦ୍ୟମ ମାମଲାରେ ଆଜି ସକାଳେ ମୁମ୍ବାଇର ସ୍ୱତନ୍ତ୍ର ଅଦାଲତ ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣ ଆଇନ ଅନୁସାରେ ଦୋଷୀ ସାବ୍ୟସ୍ତ କରିଥିଲେ ମଧ୍ୟ ଦଣ୍ଡ ବିଧାନ କରାଯାଇନଥିଲା ।

ଅପରାହ୍ଣରେ ଏହି ୬ ଜଣଙ୍କର ଦଣ୍ଡବିଧାନ କରାଯାଇଛି । ୨୦୧୨ରେ ମୁମ୍ବାଇର ହୋଟେଲ ବ୍ୟବସାୟୀ ବି.ଆର. ସେଟ୍ଟୀଙ୍କୁ ରାଜନଙ୍କ ସହଯୋଗୀମାନେ ଗୁଳି କରିଥିଲେ । ଏହା ପରେ ଅଭିଯୁକ୍ତ ମାନଙ୍କ ବିରୋଧରେ କଠୋର ମକୋକା ଆଇନ ( ମହାରାଷ୍ଟ୍ର ସଂଗଠିତ ଅପରାଧ ଆଇନ) ଅଧିନରେ ବିଭିନ୍ନ ଧାରା ଲଗାଯାଇଥିଲା । ରାଜନଙ୍କୁ ଏବେ ଦିଲ୍ଲୀର ତିହାର ଜେଲରେ ରଖାଯାଇଛି । ୨୦୧୫ରେ ତାକୁ ଇଣ୍ଡୋନେସିଆରେ ଗିରଫ କରି ଭାରତ ଅଣାଯାଇଥିଲା ।

ସମ୍ବନ୍ଧିତ ଖବର