ଭୋପାଳ: ରାଜସ୍ଥାନ, ମଧ୍ୟ ପ୍ରଦେଶ ଓ ଛତିଶଗଡ଼ ବିଧାନସଭା ନିର୍ବାଚନରେ ବିଜୟୀ ହେବା ପରେ ବିଜେପି କାହାକୁ ମୁଖ୍ୟମନ୍ତ୍ରୀ କରିବ, ତାହାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଥିଲା। ଏହି ପଦ ଲାଗି ଅନେକ ବରିଷ୍ଠ ନେତାମାନଙ୍କ ନାମକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଗତକାଲି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ସଂପର୍କରେ ବିଜେପିର ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଥିଲା। ଚର୍ଚ୍ଚାରେ ନଥିବା ଆଦିବାସୀ ନେତା ବିଷ୍ଣୁଦେବ ସାଏଙ୍କ ନାମ ଘୋଷଣା କରି ବିଜେପି ହାଇକମାଣ୍ଡ ଅନ୍ୟ ଦୁଇ ରାଜ୍ୟ ପାଇଁ ଭିନ୍ନ ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି। ଆସନ୍ତା ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ପଦ ପାଇଁ ଚର୍ଚ୍ଚିତ ନୁହେଁ, ନୂଆ ଚେହେରାକୁ ଗୁରୁତ୍ବ ଦିଆଯିବ। ଆଜି ମଧ୍ୟ ପ୍ରଦେଶରେ ଠିକ୍ ସେୟା ଘଟିଲା। ଯେଉଁ ମୁଖ୍ୟମନ୍ତ୍ରୀ (ଶିବରାଜ ସିଂହ ଚୌହାନ)ଙ୍କ ନେତୃତ୍ବରେ ବିଜେପି ରାଜ୍ୟରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିଲା, ତାଙ୍କୁ ହଟାଇ ଆଦୌ ଚର୍ଚ୍ଚାରେ ନଥିବା ନେତାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି ବିଜେପି ହାଇକମାଣ୍ଡ। ରାଜ୍ୟର ନୂ୍ଆ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ମୋହନ ଯାଦବ। ୫୮ ବର୍ଷୀୟ ଯାଦବଙ୍କ ନାମ ଘୋଷଣା କରି ବିଜେପି ସମସ୍ତଙ୍କୁ ଚକିତ କରିଛି। ଶ୍ରୀ ଯାଦବ ପୂର୍ବରୁ ଶିବରାଜ ସିଂହ ଚୌହାନଙ୍କ କ୍ୟାବିନେଟରେ ଉଚ୍ଚଶିକ୍ଷା ମନ୍ତ୍ରୀ ଥିଲେ।

Advertisment

ଏହାସହିତ ପ୍ରାୟ ଦୁଇ ଦଶନ୍ଧି ଧରି ମଧ୍ୟ ପ୍ରଦେଶରେ ଚାଲିଥିବା ଚୌହାନ ରାଜ୍‌ର ଅବସାନ ଘଟିଛି। ୨୦୦୫ରେ ପ୍ରଥମ ଥର ଲାଗି ମୁଖ୍ୟମନ୍ତ୍ରୀ ହୋଇଥିଲେ ଶିବରାଜ। ଏହାପରେ ୨୦୦୮, ୨୦୧୩ ଏବଂ ୨୦୨୦ରେ ସେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୦୮, ୨୦୧୩ ଏବଂ ୨୦୧୮ରେ ତାଙ୍କ ନେତୃତ୍ବରେ ବିଜେପି ନିର୍ବାଚନ ଲଢ଼ିଥିଲା। ୨୦୦୮ ଓ ୨୦୧୩ରେ ବିଜୟୀ ହୋଇ ସେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୧୮ ନିର୍ବାଚନରେ ବିଜେପିକୁ ହରାଇ କଂଗ୍ରେସ କ୍ଷମତାକୁ ଆସିଥିଲା। କିନ୍ତୁ କଂଗ୍ରେସରେ ବିଦ୍ରୋହ ଓ କଂଗ୍ରେସ ସରକାରର ପତନ ପରେ ୨୦୨୦ରେ ଶିବରାଜ ପୁଣି ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୨୩ରେ ତାଙ୍କ ନେତୃତ୍ବରେ ବିଜେପି ନିର୍ବାଚନ ଲଢ଼ି ଉଲ୍ଳେଖନୀୟ ସଫଳତା ହାସଲ କରିଥିଲା। ଏହି ସଫଳତା ପାଇଁ ତାଙ୍କର ଅନେକ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଏବଂ ବିଶେଷ କରି ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ‘ଲାଡଲି ବେହନା’ କୁ ଶ୍ରେୟ ଦିଆଯାଉଥିଲା।

ସରକାର-ବିରୋଧୀ ହାୱା ସତ୍ତ୍ବେ ତାଙ୍କର ଲୋକପ୍ରିୟତା ଓ ସ୍କିମ୍ ଯୋଗୁଁ ବିଧାନସଭା ନିର୍ବାଚନରେ ଦଳକୁ ଦୁଇ ତୃତୀୟାଂଶ ସଫଳତା ମିଳିଲା। ତେଣୁ ସ୍ବାଭାବିକ ଭାବେ ସେ ମୁଖ୍ୟମନ୍ତ୍ରୀ ହେବାକୁ ଆଶାୟୀ ଥିଲେ। ତାଙ୍କ ସହିତ ଅନ୍ୟ କେତେକ ନେତାଙ୍କ ନାମ ମୁଖ୍ୟମନ୍ତ୍ରୀ ପଦ ଲାଗି ଶୁଣାଯାଉଥିଲେ ମଧ୍ୟ ସେ ମୁଖ୍ୟମନ୍ତ୍ରୀ ହେବା ପ୍ରାୟ ନିଶ୍ଚିତ ଥିଲା। କିନ୍ତୁ ତାଙ୍କ ସ୍ଥାନରେ ଯାଦବଙ୍କ ନାମ ଘୋଷଣା କରି ଚୌହାନଙ୍କ ସ୍ବପ୍ନକୁ ମାଟିରେ ମିଶାଇଦେଲେ ହାଇକମାଣ୍ଡ। କୁହାଯାଉଛି ଯେ ଶିବରାଜଙ୍କ ଯୋଗୁଁ ବିଜେପି ଜିତିଲା ବୋଲି ହାଇକମ‌ାଣ୍ଡ ଗ୍ରହଣ କରିବାକୁ ନାରାଜ। କେବଳ ମୋଦୀଙ୍କ ଲୋକପ୍ରିୟତା ପାଇଁ ପାର୍ଟି ଜିତିଲା ବୋଲି ଗୋଟିଏ ଗୋଷ୍ଠୀ ଯୁକ୍ତି ଦର୍ଶାଇଛି। ଏହି ଗୋଷ୍ଠୀର ଯୁକ୍ତି ‌ହେଲା ଯେ କେବଳ ମଧ୍ୟ ପ୍ରଦେଶ ନୁହେଁ, ରାଜସ୍ଥାନ ଓ ଛତିଶଗଡ଼ରେ ମଧ୍ୟ ମୋଦୀଙ୍କ ଲୋକପ୍ରିୟତା ଯୋଗୁଁ ଦଳ ବିଜୟୀ ହୋଇଛି। ଆଜିର ନିଷ୍ପତ୍ତି ପ‌ରେ ଶିବରାଜ ସିଂହ ନିରାଶା ପ୍ରକଟ କରିଥିବା କୁହାଯାଉଛି। ‘ସମସ୍ତଙ୍କୁ ରାମ ରାମ’ ବୋଲି ସେ ଟୁଇଟ୍ (ବର୍ତ୍ତମାନ ଏକ୍ସ) କରିଛନ୍ତି।

ସୂଚନାଯୋଗ୍ୟ ‌ଯେ ୨୩୦ ଆସନ ବିଶିଷ୍ଟ ମଧ୍ୟପ୍ରଦେଶ ନିର୍ବାଚନରେ ବିଜେପି ୧୬୩ଟି ଆସନରେ ବିଜୟୀ ହୋଇଛି। କଂଗ୍ରେସ ୬୬ଟି ଆସନରେ ଜିତିଛି।
ଛତିଶଗଡ଼ ଓ ମଧ୍ୟ ପ୍ରଦେଶ ପରେ ଏବେ ସମସ୍ତଙ୍କ ନଜର ରାଜସ୍ଥାନ ଉପରେ ରହିଛି। ଆସନ୍ତାକାଲି ମଙ୍ଗଳବାର ବିଜେପି ଏହି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିବ। ରାଜ୍ୟରେ ଅନେକ ନେତା ମୁଖ୍ୟମନ୍ତ୍ରୀ ପଦ ଦୌଡ଼ରେ ଥିଲେ ମଧ୍ୟ ବିଜେପି ନୂଆ ନେତାଙ୍କ ନାମ ଘୋଷଣା କଲେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ। ଏହି ପଦ ଲାଗି ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ, ଅଶ୍ବିନୀ ବୈଷ୍ଣବ, ଅର୍ଜୁନ ମେଘାୱଲ, ଦୀୟା କୁମାରୀ, ଜଜେନ୍ଦ୍ର ସିଂହ ଶେଖାୱତ ଏବଂ ମହନ୍ତ ବଲକନାଥଙ୍କ ନାମକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି। ତେଣେ ପୁଣି ମୁଖ୍ୟମନ୍ତ୍ରୀ ହେବାଲାଗି ବସୁନ୍ଧରା ଜୋରଦାର ଉଦ୍ୟମ ଚଳାଇଛନ୍ତି। ସେ ଦିଲ୍ଳୀ ଯାଇ ବିଜେପି ସଭାପତି ଜେପି ନଡ୍ଡାଙ୍କୁ ଭେଟିଛନ୍ତି। ଏହାସହିତ ତାଙ୍କର ଅନୁଗତ ବିଧାୟକମାନଙ୍କୁ ନେଇ ଘନ ଘନ ବୈଠକ ମଧ୍ୟ କରୁଛନ୍ତି। କିନ୍ତୁ ବିଜେପି ହାଇକମାଣ୍ଡଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କର ନଜର ରହିଛି।