ଖ୍ରୀଷ୍ଟିଆନ ଓ ଇସଲାମ ଧର୍ମରେ ‘ପଛୁଆପଣ’ ନାହିଁ: କେନ୍ଦ୍ର

ନୂଆଦିଲ୍ଲୀ: ଧର୍ମାନ୍ତରିତ ଦଳିତମାନଙ୍କୁ ଅନୁସୂଚିତ ଜାତିର ମାନ୍ୟତା ସହ ସଂରକ୍ଷଣର ସୁବିଧା ଦିଆଯାଇପାରିବ ନାହିଁ। କାରଣ ଖ୍ରୀଷ୍ଟିଆନ ଓ ଇସଲାମ ଧର୍ମରେ ଅନଗ୍ରସରତା ବା ‌‘ପଛୁଆପଣ’ ଓ ସାମାଜିକ ଭେଦଭାବ ନାହିଁ। କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ସୁପ୍ରିମ୍‌କୋର୍ଟରେ ଏଭଳି ସତ୍ୟପାଠ ଦାଖଲ କରିଛନ୍ତି।

ସତ୍ୟପାଠରେ କୁହାଯାଇଛି ଯେ ସମ୍ବିଧାନ (ଅନୁସୂଚିତ ଜାତି) ଆଦେଶନାମା ୧୯୫୦ରେ କୌଣସି ଅସାମ୍ବିଧାନିକତା ନାହିଁ ଏବଂ ଏହା ସମ୍ପୂର୍ଣ୍ଣ ଆଇନସମ୍ମତ ଓ ବୈଧ। ସେଣ୍ଟର ଫର ପବ୍ଲିକ୍ ଇଣ୍ଟରେଷ୍ଟ ଲିଟିଗେସନ (ସିପିଆଇଏଲ୍‌) ନାମକ ଏନ୍‌ଜିଓ ଧର୍ମାନ୍ତରିତ ଖ୍ରୀଷ୍ଟିଆନ ଓ ମୁସଲମାନଙ୍କୁ ଦଳିତ ମାନ୍ୟତା ସହ ସଂରକ୍ଷଣ ସୁବିଧା ପ୍ରଦାନ ପାଇଁ କରିଥିବା ଆବେଦନ ଉପରେ କେନ୍ଦ୍ରକୁ ଉତ୍ତର ଦେବା ପାଇଁ ସୁପ୍ରିମ୍‌କୋର୍ଟ କହିଥିବା ବେଳେ କେନ୍ଦ୍ର ତରଫରୁ ମନ୍ତ୍ରଣାଳୟ ଏଭଳି ପ୍ରତିକ୍ରିୟା ରଖିଛନ୍ତି। ମନ୍ତ୍ରଣାଳୟ ଜଣାଇଛନ୍ତି ଯେ ସମ୍ବିଧାନରେ ସ୍ପଷ୍ଟ କୁହାଯାଇଛି ଖ୍ରୀଷ୍ଟିଆନ ଓ ଇସଲାମ ଧର୍ମରେ ଜାତିବର୍ଣ୍ଣ ନାମରେ ଛୁଆଁଅଛୁଆଁ ଆଦି ଭେଦଭାବର ଇତିହାସ ନାହିଁ। ହିନ୍ଦୁଧର୍ମରେ ଭେଦଭାବର ଶିକାର ହୋଇ ବହୁଲୋକ ଧର୍ମାନ୍ତର ଗ୍ରହଣ କରିଛନ୍ତି। ୧୯୫୬ରେ ଡ ଆମ୍ବେଡ଼କରଙ୍କ ଡାକରାରେ ବହୁଲୋକ ସ୍ବେଚ୍ଛାକୃତଭାବେ ବୌଦ୍ଧଧର୍ମ ଗ୍ରହଣ କରିଥିଲେ। ସେମାନଙ୍କ ମୂଳଧର୍ମ ଓ ଜାତି ଚିହ୍ନଟ କରିହେବ। କିନ୍ତୁ ଯେଉଁମାନେ ଖ୍ରୀଷ୍ଟିଆନ ଓ ଇସଲାମ ଧର୍ମ ଗ୍ରହଣ କରିଛନ୍ତି, ସେମାନଙ୍କ ମୂଳ ଜାତି ଚିହ୍ନଟ କରିବା ଅତ୍ୟନ୍ତ ଦୁରୁହ ବ୍ୟାପାର କାରଣ ସେମାନଙ୍କର ଏହି ଧର୍ମାନ୍ତର ଗ୍ରହଣ ପ୍ରକ୍ରିୟା କେତେ ଶତାବ୍ଦୀ ଧରି ଚାଲିଆସିଛି। ତେଣୁ ଧର୍ମାନ୍ତରିତ ଦଳିତଙ୍କ ଜାତି ଚିହ୍ନଟ କରି ସେମାନଙ୍କୁ ଅନୁସୂଚିତ ଜାତିର ମାନ୍ୟତା ଦେଇ ସଂରକ୍ଷଣ ସୁବିଧା ଦେବା ସମ୍ଭ‌ବ ନୁହେଁ ବୋଲି ସତ୍ୟପାଠରେ ମନ୍ତ୍ରଣାଳୟ ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର