ମହୀଶୂର: ମହୀଶୂରଠାରୁ ପ୍ରାୟ ୮୫ କିଲୋମିଟର୍ ଦୂର ପେରିୟାପାଟନାରେ ଥିବା ଗୋଟାଏ ଗୀର୍ଜାରେ ମଙ୍ଗଳବାର ଦିନ ଭଙ୍ଗାରୁଜା କରାଯାଇଥିବା କଥା ଜଣାପଡ଼ିଛି।
ଗୀର୍ଜାରେ ଥିବା ଶିଶୁ ଯୀଶୁଙ୍କ ପ୍ରତିମା ନଷ୍ଟ କରାଯିବା ସହିତ ଟେବୁଲ୍ ଉପରେ ଥିବା ସାମଗ୍ରୀଗୁଡ଼ିକୁ ଫିଙ୍ଗାଫିଙ୍ଗି କରାଯିବା ସହିତ ଦାନବାକ୍ସ ଉଠାଇ ନିଆଯାଇଛି।
ମାମଲା ରୁଜୁ କରି ପୁଲିସ କହିଛି ଯେ, ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୭ଟା ବେଳେ ଘଟଣା ଘଟିଛି। ଦୁର୍ବୃତ୍ତମାନେ ଗୋନିକୋପ୍ପା ରୋଡ୍ରେ ଥିବା ସେଣ୍ଟ୍ ମେରିଙ୍କ ଗୀର୍ଜାରେ ପ୍ରବେଶ କରି ଶିଶୁ ଯୀଶୁଙ୍କ ମୂର୍ତ୍ତି ସମେତ ଅନ୍ୟାନ୍ୟ ସାମଗ୍ରୀ ନଷ୍ଟ କରିଛନ୍ତି। ଟେବୁଲ୍ ନିକଟରେ ରଖାଯାଇଥିବା ଦାନବାକ୍ସଟି ବି ନାହିଁ। ପାଦ୍ରୀ ସହରରେ ନ ଥିବା ବେଳେ ଘଟଣାଟି ଘଟିଛି।
ବଡ଼ଦିନ ପାଳିତ ହେବାର ୨ ଦିନ ପରେ ଦୁର୍ବୃତ୍ତମାନେ ଗୀର୍ଜାରେ ଲୁଟ୍ପାଟ୍ କରିଥିବା କଥା ଅନ୍ୟ ଏକ ସୂତ୍ରରୁ ଜଣାପଡ଼ିଛି।
ଘଟଣାସ୍ଥଳ ପରିଦର୍ଶନ କରିଥିବା ଅତିରିକ୍ତ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ବି. ଏନ୍. ନନ୍ଦିନୀ କହିଛନ୍ତି ଯେ, ଦୁର୍ବୃତ୍ତମାନେ ଦାନବାକ୍ସଟି ନେଇଯାଇଛନ୍ତି। ଶିଶୁ ଯୀଶୁଙ୍କ ପ୍ରତିମାଟି ନଷ୍ଟ କରିଦିଆଯାଇଛି। ଟେବୁଲ୍ ଉପରେ ଥିବା ସାମଗ୍ରୀ ସବୁକୁ ଫିଙ୍ଗାଫିଙ୍ଗି କରାଯାଇଛି।
ଗୀର୍ଜା ପରିସରକୁ ବଳପୂର୍ବକ ପ୍ରବେଶ କରାଯାଇଥିବାର କୌଣସି ଆଭାସ ତଦନ୍ତରୁ ମିଳିନାହିଁ। ଏହା ଚୋରି ଘଟଣା ବୋଲି ପ୍ରାରମ୍ଭିକ ତଦନ୍ତରୁ ଜଣାପଡୁଥିଲେ ବି ସବୁ ଦିଗରୁ ତଦନ୍ତ ଜାରି ରହିବ। ଦୁଇ ଦିନ ତଳେ ଏଇ ସହରରେ ଦୁର୍ବୃତ୍ତମାନେ ଗୋଟାଏ ଘରର କବାଟ ଭାଙ୍ଗି ପଶିଥିଲେ। ସେମାନେ ଗୀର୍ଜାରେ ପଶିଥାଇ ପାରନ୍ତି ବୋଲି ସନ୍ଦେହ ହେଉଛି ବୋଲି ସେ କହିଛନ୍ତି।