ପାକ୍‌ ସେନା ଏବଂ ଆଇଏସ୍‌ଆଇ ମୁଖ୍ୟଙ୍କ ସହ‌ ସିଆଇଏ ମୁଖ୍ୟଙ୍କ ଆଲୋଚନା

ଇସଲାମାବାଦ୍‌ : ଆମେରିକାର ସିଆଇଏ (କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା‌) ମୁଖ୍ୟ ୱିଲିୟମ ବର୍ନ‌୍ସ ଆଜି ପାକିସ୍ତାନ ସେନା ମୁଖ୍ୟ ଜେନେରାଲ କମର ଜାଭେଦ୍‌ ବଜ୍‌ୱା ଏବଂ ଆଇଏସ୍‌ଆଇ ମୁଖ୍ୟ ଲେପ୍ଟନାଣ୍ଟ୍‌ ଜେନେରାଲ ଫୈଜ ହମିଦଙ୍କ ସହ ଆଫଗାନ ସ୍ଥିତି ସଂକ୍ରାନ୍ତରେ ଆଲୋଚନା କରିଛନ୍ତି। ମଙ୍ଗଳବାର ତାଲିବାନ କାମଚଳା ସରକାର ଘୋଷଣା କରିବାପରେ ସିଆଇଏ ମୁଖ୍ୟ ଏବଂ ପାକ୍‌ ସେନା ଓ ଆଇଏସ୍‌ଆଇ ମୁଖ୍ୟଙ୍କ ମଧ୍ୟରେ ଏହି ଆଲୋଚନା ହୋଇଛି। ବର୍ନ‌୍ସ ଏବଂ ବଜ୍‌ୱା ଆଞ୍ଚଳିକ ସୁରକ୍ଷା ଏବଂ ଆଫଗାନ ସ୍ଥିତି ସଂକ୍ରାନ୍ତରେ ଆଲୋଚନା କରିଛନ୍ତି। ଆଇଏସ୍‌ଆଇ ମୁଖ୍ୟ ଗତ ସପ୍ତାହରେ କାବୁଲ୍‌ ଗସ୍ତ କରିବାପରେ ବର୍ନ‌୍ସଙ୍କ ପାକିସ୍ତାନ ଗସ୍ତକୁ ଗୁରୁତ୍ବପୂର୍ଣ୍ଣ ମନେ କରାଯାଇଛି। ଅଗଷ୍ଟ ୩୧ ରେ ଆମେରିକା ଆଫଗାନ ମାଟି ଛାଡ଼ିବାପରେ ପ୍ରଥମ ଥର ପାଇଁ ଜଣେ ବରି‌ଷ୍ଠ ଆମେରିକା ଅଧିକାରୀ ପାକିସ୍ତାନ ସହ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ପାକିସ୍ତାନ ଯିବା ପୂର୍ବରୁ ବର୍ନ‌୍ସ ଗତକାଲି ଭାରତ ଗସ୍ତରେ ଆସିଥିଲେ। ଏନ୍‌ଏସ୍‌ଏ ଅଜିତ ଡୋଭାଲଙ୍କୁ ଭେଟି ସେ ଆଫଗାନ୍‌ ସ୍ଥିତି ସଂକ୍ରାନ୍ତରେ ଆଲୋଚନା କରିଥିଲେ।

ସାମ୍ବାଦିକଙ୍କୁ ତାଲିବାନର ପ୍ରାଣାନ୍ତକ ଆକ୍ରମଣ
କାବୁଲ : ତାଲିବାନ ଦେଇଥିବା ପ୍ରତିଶ୍ରୁତି କେତେଦୂର ପାଳନ କରୁଛି ତା’ର ପ୍ରମାଣ ଏବେ ମିଳିସାରିଛି। ମାନବ ଅଧିକାରକୁ ସୁରକ୍ଷା ଦେବା ସହ ଗଣମା‌ଧ୍ୟମର ସ୍ବାଧୀନତାକୁ ସମ୍ମାନ ଦେବାକୁ ପ୍ରତିଶ୍ରୁତି ଦେଇଥିବା ତାଲିବାନ ଏହାର ବଚନ କିଭଳି ରଖିଛି ତା’ର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି। କାବୁଲରେ ମହିଳାମାନେ କରୁଥିବା ତାଲିବାନ ବିରୋଧୀ ଆନ୍ଦୋଳନର ଖବର ସଂଗ୍ରହ କରିବାକୁ ଯାଇଥିବା କିଛି ସାମ୍ବାଦିକଙ୍କୁ ତାଲିବାନ ପ୍ର‌ାଣାନ୍ତକ ଆକ୍ରମଣ କରିଛି। ସେମାନଙ୍କୁ ନିସ୍ତୁକ ମାଡ଼ ମାରିଛି। ତାଲିବାନ ମାଡ଼ରେ ଆହତ ହୋଇଥିବା ୨ ସାମ୍ବାଦିକଙ୍କ ଫଟୋ ‌ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି। ଏହି ଫଟୋକୁ ନେଇ ସାରା ବିଶ୍ବ ଚିନ୍ତା ପ୍ରକଟ କରିଛି। କାବୁଲର ଏକ ଦୈନିକ ଖବରକାଗଜର ୨ ଜଣ ସାମ୍ବାଦିକଙ୍କ ଉପରକୁ ଏହି ଆକ୍ରମଣ ହୋଇଛି। ଅନ୍ୟ କେତେଜଣଙ୍କୁ ଗିରଫ କରାଯାଇଛି। ତାଲିବାନ ସାମ୍ବାଦିକଙ୍କୁ ଆନ୍ଦୋଳନ ଫଟୋ ଉଠାଇବା ପାଇଁ ବାରଣ କରିଛି।

ସମ୍ବନ୍ଧିତ ଖବର