ଭାରତ ଗସ୍ତରେ ସିଆଇଏ ମୁଖ୍ୟ ଓ ଋଷିଆର ଏନଏସଏ ; ନୂଆ ସମୀକରଣ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ : ଗୋଟିଏ ପଟେ ତାଲିବାନକୁ ନେଇ ସମଗ୍ର ବିଶ୍ବର ଚିନ୍ତା ବଢିଥିବାବେଳେ ଆମେରିକା ଓ ଋଷିଆର ଦୁଇ ଜଣ ଶୀର୍ଷସ୍ତରୀୟ ଅଧିକାରୀ ଏବେ ଭାରତ ଗସ୍ତରେ ଅଛନ୍ତି । ସେମାନେ ହେଉଛନ୍ତି ଆମେରିକୀୟ ଗୁଇନ୍ଦା ସଂସ୍ଥା ସିଆଇଏର ମୁଖ୍ୟ ଓ୍ବିଲିଅମ ବର୍ନସ ଓ ଋଷିଆର ଜାତୀୟ ସୁରକ୍ଷା ପରିଷଦର ସଚିବ  ( ଭାରତର ଏନଏସଏ ପରି) ନିକୋଲାଇ ପାଟ୍ରୁସେଭ । ଉଭୟ ଅଧିକାରୀ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲଙ୍କୁ ସାକ୍ଷାତ କରି ଆଫଗାନିସ୍ତାନ ପରିସ୍ଥିତି ଉପରେ ଆଲୋଚନା କରିଛନ୍ତି ।

ଆଫଗାନିସ୍ତାନରୁ ଆମେରିକାର ପ୍ରତ୍ୟାବର୍ତ୍ତନ ପରେ ଦକ୍ଷିଣ ଏସିଆରେ ଗୁଇନ୍ଦା ତଥ୍ୟ ଆଦାନପ୍ରଦାନ ପାଇଁ ସିଆଇଏ ଭାରତର ସହାୟତା ଚାହୁଁଛି । ଏହା ସହିତ କେତେକ ଆଫଗାନ ନାଗରିକଙ୍କୁ ଆଶ୍ରୟ ଦେବାକୁ ମଧ୍ୟ ଆମେରିକା ଭାରତକୁ ଅନୁରୋଧ କରିଛି ।

ଆଫଗାନିସ୍ତାନରୁ ଆମେରିକୀୟ ସେନାଙ୍କ ପ୍ରତ୍ୟାବର୍ତ୍ତନ ଓ ତାଲିବାନ କ୍ଷମତାକୁ ଫେରିବା ପରେ ରଣନୈତିକ ଓ ସୁରକ୍ଷା ଦୃଷ୍ଟିକୋଣରୁ ଏସିଆରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି । ବିଶ୍ବର ଶକ୍ତି ସମୀକରଣକୁ ମଧ୍ୟ ଏହା ପ୍ରଭାବିତ କରିବ । ଏହା ସହିତ ଭାରତର ସୁରକ୍ଷା ଚିନ୍ତା ଆହୁରି ବଢିଯାଇଛି । ଏ ପରିପ୍ରେକ୍ଷୀରେ ଉଭୟ ସିଆଇଏ ମୁଖ୍ୟ ଓ ଋଷୀୟ ସୁରକ୍ଷା ପରିଷଦର ସଚିବଙ୍କ ଭାରତ ଗସ୍ତକୁ ବିଶେଷଜ୍ଞମାନେ ଗୁରୁତ୍ବ ଦେଉଛନ୍ତି ।

 

ସମ୍ବନ୍ଧିତ ଖବର