ଓ୍ଵାସିଂଟନ: ମାସକ ଭିତରେ ଉତ୍ତର କୋରିଆ ଆମେରିକା ଉପରେ ପରମାଣୁ କ୍ଷେପଣାସ୍ତ୍ର ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଛି ଏବଂ ଏଥିପାଇଁ ସବୁକିଛି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ଆମେରିକା ଗୁଇନ୍ଦା ସଂସ୍ଥା ‘ସିଆଇଏ’ର ନିର୍ଦ୍ଦେଶକ କହିଛନ୍ତି । ଏ ବାବଦରେ ସମସ୍ତ ଗୁଇନ୍ଦା ତଥ୍ୟ ହସ୍ତଗତ ହୋଇଛି ଏବଂ ଏଥିପାଇଁ ଆମକୁ ପ୍ରସ୍ତୁତ ରହିବାକୁ ପଡ଼ିବ ବୋଲି ସିଆଇଏ ନିର୍ଦ୍ଦେଶକ ମାଇକ୍ ପାମ୍ପିଓ କହିଛନ୍ତି। ମାଇକ୍ଙ୍କ ଏହି ବୟାନ ଆମେରିକାରେ ଚହଳ ସୃଷ୍ଟି କରିଥିବା ବେଳେ ବିଭିନ୍ନ କାରଣରୁ ଉତ୍ତର ଓ ଦକ୍ଷିଣ କୋରିଆ ମଧ୍ୟରେ ଉତ୍ତେଜନା ବଢ଼ିଛି। ଉତ୍ତର କୋରିଆରେ ଅନୁଷ୍ଠିତ ହେବାକୁ ଥିବା ମିଳିତ ଶୀତକାଳୀନ ଅଲିମ୍ପିକ୍ସକୁ ରଦ୍ଦ କରିଦିଆଯାଇଛି।
ଏହି କାର୍ଯକ୍ରମକୁ ବିନା କୌଣସି କାରଣ ଦେଖାଇ ଉତ୍ତର କୋରିଆ ରଦ୍ଦ କରିଥିବା ଦକ୍ଷିଣ କୋରିଆ ପ୍ରଶାସନ କହିଛି। ଏହି କ୍ରୀଡ଼ା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଥିଲା ଏବଂ ଉଭୟ ରାଷ୍ଟ୍ରର ପ୍ରତିନିଧି ଦଳ ଏ ବାବଦରେ ଆଲୋଚନା କରିଥିଲେ। କିଛିଦିନର ନିରବତା ପରେ କୋରିଆ ଉପଦ୍ୱୀପରେ ପୁଣି ଉତ୍ତେଜନା ମୁଣ୍ଡ ଟେକିଥିବା ବେଳେ ଆମେରିକା ଉପରେ ଆକ୍ରମଣ ପାଇଁ ଉତ୍ତର କୋରିଆର ଗୁପ୍ତ ରଣନୀତି ଏବେ ଆତଙ୍କର କାରଣ ହୋଇଛି।
ଉତ୍ତର କୋରିଆର ରାଜଧାନୀ ପୋଙ୍ଗୟାଙ୍ଗରେ ଏକ ନିର୍ଣ୍ଣାୟକ ପରମାଣୁ ଆକ୍ରମଣ ପାଇଁ ଗୁପ୍ତ ବୈଠକ ଅନୁଷ୍ଠିତ ହୋଇଛି ଏବଂ ଏହାର ଶାସକ କିମ୍ ଜଙ୍ଗ୍ ଉନ୍୍ ଏଭଳି ଆକ୍ରମଣ ପାଇଁ ଚାଲିଥିବା ପ୍ରକ୍ରିୟାକୁ ନିଜେ ନିୟନ୍ତ୍ରଣ କରୁଛନ୍ତି ବୋଲି ସିଆଇଏ ନିର୍ଦ୍ଦେଶକ ଏକ ସାକ୍ଷାତକାରରେ କହିଛନ୍ତି।
କୂଟନୈତିକ ଉଦ୍ୟମ ଦ୍ୱାରା ଏଭଳି ବିପଦକୁ ଟାଳିବା ପାଇଁ ଆମେରିକା ସରକାର ପ୍ରୟାସ ଆରମ୍ଭ କରିପାରନ୍ତି ଏବଂ ଏ ବାବଦରେ ରାଷ୍ଟ୍ରପତି ଡୋନାଲ୍୍ଡ ଟ୍ରମ୍ପ୍ ଭଲଭାବେ ଅବଗତ ଅଛନ୍ତି ବୋଲି ସେ କହିଛନ୍ତି। ଉତ୍ତର କୋରିଆ ଶାସକ କିମ୍ ଜଙ୍ଗ୍ ଉନ୍୍ଙ୍କୁ ଗାଦିଚ୍ୟୁତ କରିବା ପାଇଁ ଆମେରିକା କୌଣସି ପଦକ୍ଷେପ ଗ୍ରହଣ କଲେ ଏହାର ପରିଣାମ ଭୟଙ୍କର ହେବ ବୋଲି ମଧ୍ୟ ସେ ଚେତାଇ ଦେଇଛନ୍ତି। ବିଗତ ୧ ବର୍ଷ ମଧ୍ୟରେ ଆମେରିକା-ଉତ୍ତର କୋରିଆ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚି ଥିବାରୁ ଏ କ୍ଷେତ୍ରରେ ପ୍ରତିଟି ପଦକ୍ଷେପ ଅତ୍ୟନ୍ତ ସତର୍କତାର ସହ ନିଆଯିବା ଉଚିତ ବୋଲି ସେ କହିଛନ୍ତି।
ଉଭୟ ରାଷ୍ଟ୍ର ମଧ୍ୟରେ ବେପରୁଆ ବୟାନବାଜି ମାମଲାକୁ ଜଟିଳ କରିଥିବା ସିଆଇଏ ନିର୍ଦ୍ଦେଶକ ସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ ଉତ୍ତର କୋରିଆ ମାମଲାକୁ ନେଇ ଆମେରିକା କେତେ ଗମ୍ଭୀର ସେ ସଂପର୍କରେ କିମ୍ ଜଙ୍ଗ୍ ଭଲ ଭାବେ ଅବଗତ ଅଛନ୍ତି। ସୂଚନାଯୋଗ୍ୟ ୨୦୧୭ରେ ଉତ୍ତର କୋରିଆ ସବୁ କଟକଣାକୁ ବେଖାତିର କରି ପ୍ରାୟ ୨୦ଟି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷା କରିଥିଲା। ସେଥିରୁ ୩ଟି ଅନ୍ତର୍ମହାଦେଶୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଥିଲା। ଏହାପରେ କଠୋର ଆର୍ଥିକ କଟକଣାର ସମ୍ମୁଖୀନ ହୋଇଥିବା ଉତ୍ତର କୋରିଆ ଏବେ ରୁଷ୍ ଓ ଚୀନ୍ର ଗୁପ୍ତ ସହଯୋଗରେ ତା’ର ତୈଳ ଓ ଅନ୍ୟ କେତେକ ଜରୁରୀ ଆବଶ୍ୟକତା ମେଣ୍ଟାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/NBT-image-8.jpg)