ନୂଆଦିଲ୍ଲୀ: ଭାରତର ଗୁଇନ୍ଦା ଉପଗ୍ରହ ନିର୍ଧାରିତ କକ୍ଷପଥରେ ପହଞ୍ଚିଛି। ଭାରତୀୟ ଅନ୍ତରୀକ୍ଷ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ ) ବୁଧବାର ସକାଳ ୫.୩୦ ମିନଟରେ ପିଏସ୍ଏଲ୍ଭି-ସି୪୬ ସାହାଯ୍ୟରେ ରାଡାର ଇମେଜିଂ ସାଟେଲାଇଟ୍ (ରିସ୍ୟାଟ୍-୨ବି)କୁ ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ଅନ୍ତରୀକ୍ଷ କେନ୍ଦ୍ରରୁ ସଫଳତାର ସହିତ ଉତ୍କ୍ଷେପଣ କରିଛି।
ଉତ୍କ୍ଷେପଣର ୧୫ ମିନଟ ପରେ ଏହି ରିସ୍ୟାଟ୍-୨ବି ଉପଗ୍ରହ କକ୍ଷପଥରେ ପରିକ୍ରମା କରିବା ଆରମ୍ଭ କରିଦେଇଛି। ଭୂପୃଷ୍ଠରୁ ୫୫୭ କିଲୋମିଟର ଉପରେ ପରିକ୍ରମା କରୁଥିବା ୬୧୫ କିଲୋଗ୍ରାମ୍ ଓଜନ ବିଶିଷ୍ଟ ଏହି ଉପଗ୍ରହଟି ପାଣିପାଗ ଏବଂ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ମଧ୍ୟ ବିଶେଷ ସହାୟକ ହେବ। ରିସ୍ୟାଟ୍-୨ବିର ବିଶେଷତା ହେଉଛି ଏହା ସବୁ ପ୍ରକାର ଜଳବାୟୁରେ ଏବଂ ରାତିରେ ମଧ୍ୟ ଭୂପୃଷ୍ଠର ସ୍ଥିତିକୁ ସଠିକ ଭାବେ ନିରୀକ୍ଷଣ କରି ପ୍ରକୃତ ଇମେଜ୍ ବା ଛବି ଉତ୍ତୋଳନ କରିପାରିବ। ବିଶେଷ କରି ଏହି ଉପଗ୍ରହର ସଫଳ ଉତ୍କ୍ଷେପଣ ପରେ ସେନା ଅଭିଯାନ ବେଳେ ପ୍ରତିରକ୍ଷା ବାହିନୀ ପାଇଁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଯୋଗାଇବ। ଏହି ରାଡାର ଇମେଜିଂ ସାଟେଲାଇଟ୍ ମେଘକୁ ମଧ୍ୟ ଭେଦ କରି ଭୁପୃଷ୍ଠରେ ଥିବା ଲୁକ୍କାୟିତ ବସ୍ତୁର ଚିତ୍ର ଉତ୍ତୋଳନ କରିପାରିବ। ଏହାର ଉତ୍କ୍ଷେପଣ ପରେ ଇସ୍ରୋର ମୁଖ୍ୟ କେ ସିବନ୍ କହିଛନ୍ତି, ଏହି ଉପଗ୍ରହଟି ବହୁତ ଜଟିଳ ଏବଂ ଗୁରୁତ୍ୱପୂର୍ଣ୍ଣ। ଏହାର ଅଭିଯାନ ସମୟ ୫ ବର୍ଷ ହୋଇଥିବା ବେଳେ ଏହା ଇସ୍ରୋର ଭବିଷ୍ୟତ ଅଭିଯାନଗୁଡିକ ପାଇଁ ବେଶ ସହାୟକ ହେବ। ଏହି ଅଭିଯାନରେ ସ୍ବଦେଶୀ ନିର୍ମିତ ବିକ୍ରମ ପ୍ରୋସେସର୍ ବ୍ୟବହାର କରାଯାଇଛି।
ରିସ୍ୟାଟ୍-୨ବିର ସଫଳ ଉତ୍କ୍ଷେପଣ ପରେ ୩୫୦ଟି ଉପଗ୍ରହ କକ୍ଷପଥରେ ପହଞ୍ଚାଇ ପିଏସ୍ଏଲ୍ଭି ରେକର୍ଡ ସୃଷ୍ଟି କରିଛି। ଗତ ୧୦ ବର୍ଷ ମଧ୍ୟରେ ଏହା ହେଉଛି ତୃତୀୟ ରିସ୍ୟାଟ୍ ଉପଗ୍ରହ। ରିସ୍ୟାଟ୍ ସିରିଜ୍ରେ ରିସ୍ୟାଟ୍-୨ ୨୦୦୯, ଏପ୍ରିଲ ୨୦ରେ ଉତ୍କ୍ଷେପଣ କରାଯାଇଥିଲା। ତେବେ ସ୍ବଦେଶୀ ନିର୍ମିତ ରିସ୍ୟାଟ୍-୧ ରାଡ଼ାର ଇମେଜିଂ ସାଟେଲାଇଟ୍ ୨୦୧୨, ଏପ୍ରିଲ ୨୬ରେ ଉତ୍କ୍ଷେପଣ କରାଯାଇଥିଲା।
କକ୍ଷପଥରେ ଭାରତର ଗୁଇନ୍ଦା ଉପଗ୍ରହ:ରିସ୍ୟାଟ୍-୨ବି ଉପଗ୍ରହର ସଫଳ ଉତ୍କ୍ଷେପଣ
/sambad/media/post_attachments/wp-content/uploads/2019/05/sattelite.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)