ଦୁବାଇ : ଦୁବାଇ ଠାରେ ୩୫ତମ ଓ୍ବାର୍ଲ୍ଡ ଏକ୍ସପୋ-୨୦୨୦ ଆସନ୍ତା ୨୨ ଓ ୨୩ ତାରିଖରେ ଅନୁଷ୍ଠିତ ହେବ। ଏଥିରେ ଓଡ଼ିଶା ସମାଜ ଯୁଏଇ(ଓଏସ୍‌ୟୁଏଇ) ଓ ଓଡ଼ିଶାର ଖ୍ୟାତିସମ୍ପନ୍ନ ଚଳଚ୍ଚିତ୍ର ନିର୍ମାତା ତଥା ପ୍ରମୋଟର ଜିତେନ୍ଦ୍ର ମିଶ୍ରଙ୍କ ‘ସିନେମାଫରଗୁଡ୍’ ମିଳିତ ସହଯୋଗରେ ‘ସିନେ ଓଡ଼ିଶା’ ଓଡ଼ିଶାର କାଳଜୟୀ ସିନେମା ନାଁରେ ଏକ ଚଳଚ୍ଚିତ୍ର ମହୋତ୍ସବ ଅନୁଷ୍ଠିତ ହେବ। ସେଥିରେ ଓଡ଼ିଶାର ଭାଷା, କଳା, ସଂସ୍କୃତି ଓ ଐତିହ୍ୟକୁ ନେଇ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ସମ୍ମାନିତ ହୋଇଥିବା ୧୧ଟି ଚଳଚ୍ଚିତ୍ର ପ୍ରଦର୍ଶିତ କରାଯିବ।

Advertisment

ଏହି ପ୍ରଦର୍ଶନୀରେ ନିରୋଦ ମହାପାତ୍ରଙ୍କ ଚଳଚ୍ଚିତ୍ର ‘ମାୟା ମିରିଗ’, ମନମୋହନ ମହାପାତ୍ରଙ୍କ ‘ନିରବ ଝଡ଼’, ଅପୂର୍ବ କିଶୋର ବୀର୍‌ଙ୍କ ‘ଲାବଣ୍ୟ ପ୍ରୀତି’, ସୁଶାନ୍ତ ମିଶ୍ରଙ୍କର ‘ଇନ୍ଦ୍ରଧନୁର ଛାଇ’, ବିଜୟ ଜେନା ଓ ଡଲି ଜେନାଙ୍କ ପ୍ରସ୍ତୁତ ‘ତାରା’, କପିଳାଶ ଭୂୟାଁଙ୍କ ‘ଯାତ୍ରା ଜୀବନ ଜୀବନ ଯାତ୍ରା’ ଓ ହିମାଂଶୁ ଶେଖର ଖଟୁଆଙ୍କର ‘କଥାନ୍ତର’ ପ୍ରଦର୍ଶିତ ହେବ। ସେହିପରି ଶଙ୍ଖଜିତ୍ ଦେଙ୍କ ‘ସମୟର ଛାଇରେ’, ଶିବୁ ପୃଷ୍ଟିଙ୍କ ‘ଦ ଲଡ୍ ଅଫ ଦ ୟୁନିଭର୍ସ’, ନୀଳମାଧବ ପଣ୍ଡାଙ୍କ ‘କାଲିର ଅତୀତ’ ଏବଂ ସବ୍ୟସାଚୀ ମହାପାତ୍ରଙ୍କ ‘ଶଳା ବୁଢ଼ାର ବଦ୍‌ଲା’ ପ୍ରଦର୍ଶିତ କରାଯିବ। ଓଡ଼ିଆ ସିନେମାକୁ ନେଇ ସିନେ ଓଡ଼ିଶା ୮୫ ବର୍ଷ ପାଳନ କରୁଥିବା ବେଳେ ଏହି ଏକ୍ସପୋ-୨୦୨୦ ଓଡ଼ିଶାର କିଂବଦନ୍ତି ଚଳଚ୍ଚିତ୍ର ବ୍ୟକ୍ତିତ୍ବଙ୍କ ପ୍ରତି ସମ୍ମାନ ହେବ। ଉକ୍ତ ୨ଦିନିଆ କାର୍ଯ୍ୟକ୍ରମରେ ପ୍ୟାନେଲ୍ ଆଲୋଚନା ସହ ଇଣ୍ଡଷ୍ଟ୍ରି ଫୋରମ୍‌ରେ ରାଜ୍ୟର ସିନେମା ଜଗତର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେବେ।

ଏକ୍ସପୋ-୨୦୨୦କୁ ନେଇ ଓଡ଼ିଶା ସମାଜ ୟୁଏଇର ସଭାପତି ଅମିୟ କୁମାର ମିଶ୍ର କହିଛନ୍ତି ପ୍ରଥମ କରି ଦୁବାଇରେ ଓଡ଼ିଆ ସଂସ୍କୃତିକୁ ବିଶ୍ବର ସର୍ବ ବୃହତ ପ୍ରଦର୍ଶନୀରେ ପ୍ରଦର୍ଶିତ କରି ବହୁତ ଗର୍ବିତ ଲାଗୁଛି। ଚଳଚ୍ଚିତ୍ର ନିର୍ମାତା ଜିତେନ୍ଦ୍ର ମିଶ୍ର କୁହନ୍ତି, ଆମ ରାଜ୍ୟର ସମୃଦ୍ଧ କଳା, ସଂସ୍କୃତି, ମୂଲ୍ୟବୋଧ ଓ ସିନେମାର ଏକ ମହାନ ଦେଶ। ଏହି ଦେଶ ଅନେକ ମହାନ କାହାଣୀକାରଙ୍କୁ ଜନ୍ମ ଦେଇଛି, ଯେଉଁ ମାନେ ଜାତୀୟ ତଥା ଅନ୍ତର୍ଜାତୀୟ କ୍ଷେତ୍ରରେ ସେମାନଙ୍କର ଅବିଶ୍ବସନୀୟ କାର୍ଯ୍ୟ ଦ୍ବାରା ଆମକୁ ଗର୍ବିତ କରିଥାନ୍ତି। ବିଶ୍ବବ୍ୟାପୀ ଓଡ଼ିଶାର ଚଳଚ୍ଚିତ୍ର ନିର୍ମାଣ ତଥା ଚଳଚ୍ଚିତ୍ର ନିର୍ମାତାଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏହା ଏକ ପ୍ରୟାସ ବୋଲି ଶ୍ରୀ ମିଶ୍ର କହିଛନ୍ତି।

ଦୁବାଇରେ ଆୟୋଜିତ ୩୫ତମ ଏକ୍ସପୋ -୨୦୨୦ ଚଳଚ୍ଚିତ୍ର ପ୍ରଦର୍ଶନୀ ସେପ୍ଟେମ୍ବର ୩୦ରେ ଉଦ୍‌ଘାଟିତ୍ ହୋଇଯାଇଛି। ଏହି ଉତ୍ସବ ଅକ୍ଟୋବର ୧ ତାରିଖରେ ଜନସାଧାରଣଙ୍କ ପାଇଁ ଖୋଲା ହୋଇଥିବା ବେଳେ ଏହା ଆସନ୍ତା ୨୦୨୨ ମାର୍ଚ୍ଚ ୩୧ ଯାଏ ଚାଲିବ। ଏହି ୬ ମାସ ଭିତରେ ସାରା ବିଶ୍ବରୁ ୨୫ ମିଲିୟନ ପର୍ଯ୍ୟଟକ ପ୍ରଦର୍ଶନୀ ଦେଖିବା ପାଇଁ ଆସିବେ ବୋଲି ଆଶା ରଖାଯାଇଛି।