ଆସନ୍ତାକାଲିଠାରୁ ଓଡ଼ିଶା ବ୍ୟତୀତ ଅନ୍ୟ ରାଜ୍ୟରେ ଖୋଲିବ ସିନେମା ହଲ ; ଜାଣନ୍ତୁ, କେଉଁ କେଉଁ ଚଳଚ୍ଚିତ୍ର ଦେଖିପାରିବେ ଦର୍ଶକ

ନୂଆଦିଲ୍ଲୀ : ସାରା ଦେଶର ସିନେମା ପ୍ରେମୀଙ୍କ ଦୀର୍ଘ ୭ ମାସର ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି । କେନ୍ଦ୍ର ସରକାରଙ୍କ ଅନଲକ୍ ୫.୦ ଗାଇଡଲାଇନ ଅନୁସାରେ ଆସନ୍ତାକାଲି ଅର୍ଥାତ ଅକ୍ଟୋବର ୧୫ ଠାରୁ ସିନେମା ହଲ ଓ ମଲଟିପ୍ଲେକ୍ସ ଗୁଡ଼ିକ ଖୋଲିବାକୁ ଯାଉଛି । ତେବେ ଓଡ଼ିଶାର ସିନେମାପ୍ରେମୀଙ୍କୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ । କାରଣ ଓଡ଼ିଶାରେ ସିନେମା ହଲ ଖୋଲିବାକୁ ରାଜ୍ୟ ସରକାର ଅନୁମତି ଦେଇନାହାନ୍ତି ।

 

ଆସନ୍ତା କାଲିଠାରୁ ସିନେମା ହଲ ଖୋଲିବା ସହ ପୂର୍ବରୁ ରିଲିଜ ହୋଇଥିବା କେତେକ ଚଳଚ୍ଚିତ୍ର ପୁଣି ଥରେ ରିଲିଜ ହେବ । ସେସବୁ ଚଳଚ୍ଚିତ୍ର ମଧ୍ୟରେ ରହିଛି ତାନାଜି, ମଲାଙ୍ଗ,ଶୁଭ ମଙ୍ଗଳ ଜାଦା ସାବଧାନ, କେଦାରନାଥ ଓ ଥାପଡ୍ । ସେହିପରି ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଥିବା କେତେକ ଚଳଚ୍ଚିତ୍ର ମଧ୍ୟ ରିଲିଜ ହେବାର ସମ୍ଭାବନା ରହିଛି ।

ଗତ ସେପ୍ଟେମ୍ବର ୩୦ରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ଅନଲକ ୫.୦ ଗାଇଡଲାଇନରେ ଅକ୍ଟୋବର ୧୫ରୁ ସାରା ଦେଶରେ ସିନେମା ହଲ ଖୋଲିବାକୁ ଅନୁମତି ଦିଆଯାଇଥିଲା । ତେବେ କଣ୍ଟେନମେଣ୍ଟ ମଧ୍ୟରେ ଆସୁଥିବା ସିନେମା ହଲ ଗୁଡ଼ିକ ବନ୍ଦ ରହିବ ।

ଅନ୍ୟପକ୍ଷରେ ଆସନ୍ତାକାଲିଠାରୁ ବାଣିଜ୍ୟିକ ପ୍ରଦର୍ଶନୀଗୁଡ଼ିକର ଆୟୋଜନକୁ ମଧ୍ୟ ଅନୁମତି ଦିଆଯାଇଛି । ଏଥିଲାଗି କେନ୍ଦ୍ର ବାଣିଜ୍ୟ ମନ୍ତ୍ରାଳୟ   ପକ୍ଷରୁ ଏସଓପି ଜାରି କରାଯାଇଛି । ସେହିପରି କ୍ରୀଡ଼ାବିତଙ୍କ ଅଭ୍ୟାସ ପାଇଁ ଉଦ୍ଦିଷ୍ଟ ସ୍ୱିମିଂ ପୁଲ ମଧ୍ୟ ଖୋଲା ରହିବ । ଏଥିପାଇଁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ଏସଓପି ଜାରି କରାଯାଇଛି ।

ସମ୍ବନ୍ଧିତ ଖବର