ମୁମ୍ବାଇ: ‘ପୂରବ ଔର ପଶ୍ଚିମ’ ଓ ‘କ୍ରାନ୍ତି’ ଭଳି ଦେଶାତ୍ମବୋଧକ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଜଣାଶୁଣା ଅଭିନେତା ମନୋଜ କୁମାରଙ୍କର ୮୭ ବର୍ଷ ବୟସରେ ମୁମ୍ବାଇରେ ପରଲୋକ ଘଟିଛି। କୁମାରଙ୍କୁ ମୁମ୍ବାଇର କୋକିଲାବେନ୍ ଧୀରୁବାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ହୃଦ୍-ଜନିତ ଜଟିଳତା କାରଣରୁ ଶୁକ୍ରବାର ଭୋର ସାଢ଼େ ୩ଟାରେ ତାଙ୍କର ଦେହାନ୍ତ ହୋଇଯାଇଛି। ହସ୍ପିଟାଲ ପକ୍ଷରୁ ଜାରି ବିବୃତି ଅନୁଯାୟୀ ମୃତ୍ୟୁର ଦ୍ବିତୀୟ କାରଣ ଲିଭର୍ ସିରୋସିସ୍।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘କିଂବଦନ୍ତି ଅଭିନେତା ଓ ଚଳଚ୍ଚିତ୍ର ନିର୍ମାତା’ଙ୍କ ମୃତ୍ୟୁ ଖବର ସୋସିଆଲ୍ ମିଡିଆ ଏକ୍ସରେ ସେୟାର କରିଛନ୍ତି। ବରିଷ୍ଠ ଅଭିନେତାଙ୍କ ସହ ଦୁଇଟି ଫଟୋ ସେୟାର କରି ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି, ସେ ଭାରତୀୟ ସିନେମାର ଜଣେ ଆଇକନ୍ ଥିଲେ, ଯିଏ କି ତାଙ୍କ ଦେଶାତ୍ମବୋଧ ପାଇଁ ବିଶେଷ ଭାବରେ ସ୍ମରଣୀୟ ଥିଲେ। ଯାହା ତାଙ୍କ ଚଳଚ୍ଚିତ୍ରରେ ମଧ୍ୟ ପ୍ରତିଫଳିତ
ହୋଇଥିଲା। ମନୋଜଙ୍କ କାର୍ଯ୍ୟ ଜାତୀୟ ଗୌରବର ଭାବନା ଜାଗ୍ରତ କରିଛି ଏବଂ ଏହା ଅନେକ ପିଢ଼ିଙ୍କୁ ପ୍ରେରଣା ଯୋଗାଇବ। ଦୁଃଖର ଏହି ମୁହୂର୍ତ୍ତରେ ମୋର ସମବେଦନା ତାଙ୍କ ପରିବାର ଓ ପ୍ରଶଂସକଙ୍କ ସହ ଅଛି ବୋଲି ମୋଦୀ ଏକ୍ସରେ ଲେଖିଛନ୍ତି। କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଜଣେ ବହୁମୁଖୀ ଅଭିନେତାଙ୍କ ବିୟୋଗରେ ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାର ଓ ପ୍ରଶଂସକଙ୍କୁ ସମବେଦନା ଜଣାଇଛନ୍ତି। ଫିଲ୍ମ ନିର୍ଦ୍ଦେଶକ ବିବେକ ରଞ୍ଜନ ଅଗ୍ନିହୋତ୍ରୀ ଲେଖିଛନ୍ତି, ଦେଶପ୍ରେମୀ, ଜଣେ ଗର୍ବିତ ଜାତୀୟତାବାଦୀ ମନୋଜଙ୍କ ଭଳି କଳାକାର କେବେ ମରିନଥାନ୍ତି। ଅଭିନେତାଙ୍କ ପୁଅ କୁନାଲ ଗୋସ୍ୱାମୀ ଏକ ସାକ୍ଷାତ୍କାରରେ କହିଛନ୍ତି ଯେ ମନୋଜ କୁମାର ବହୁ ଦିନ ଧରି ସ୍ୱାସ୍ଥ୍ୟ ସମସ୍ୟା ସହ ସଂଘର୍ଷ କରୁଥିଲେ। ଭଗବାନଙ୍କ କୃପାରୁ ସେ ଏହି ଦୁନିଆରୁ ଶାନ୍ତିର ସହ ବିଦାୟ ନେଇଛନ୍ତି। ଆସନ୍ତାକାଲି ସକାଳେ ତାଙ୍କର ଅନ୍ତିମ ସଂସ୍କାର କରାଯିବ।
ମନୋଜ କୁମାର ୧୯୩୭ ମସିହାରେ ବ୍ରିଟିସ ଭାରତର ଉତ୍ତର-ପଶ୍ଚିମ ସୀମାନ୍ତ ପ୍ରଦେଶ (ବର୍ତ୍ତମାନ ଖୈବର ପଖତୁନ, ପାକିସ୍ତାନ)ର ଏକ ଛୋଟ ସହର ଆବୋଟାବାଦରେ ଜନ୍ମଗ୍ରହଣ କରିଥିଲେ ଏବଂ ତାଙ୍କର ନାମ ହରିକ୍ରିଷ୍ଣ ଗୋସ୍ୱାମୀ ଥିଲା। ସେ ୧୯୫୭ ମସିହାରେ ଫିଲ୍ମ ‘ଫ୍ୟାସନ୍’ ଜରିଆରେ ବଲିଉଡ୍ରେ ପଦାର୍ପଣ କରିଥିଲେ। ଏହାପରେ ସେ ‘କାଞ୍ଚ କି ଗୁଡ଼ିଆ’ (୧୯୬୧)ରେ ସୟିଦା ଖାନଙ୍କ ସହ ଅଭିନୟ କରିଥିଲେ। ତାଙ୍କର ସସ୍ପେନ୍ସ ଥ୍ରିଲର୍ ‘ଗୁମ୍ନାମ’ (୧୯୬୫) ସେହି ବର୍ଷରେ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ମଧ୍ୟରୁ ଥିଲା ଅନ୍ୟତମ। ଯାହା ୨.୬ କୋଟି ଟଙ୍କା ଆୟ କରିଥିଲା। ସେହି ବର୍ଷ ମନୋଜ କୁମାର ସହିଦ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ, ଯେଉଁଥିରେ ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂହଙ୍କ ଜୀବନୀ ଉପରେ ଆଲୋକପାତ କରାଯାଇଥିଲା। ‘ଉପକାର’ (୧୯୬୭), ‘ପୂରବ୍ ଔର ପଶ୍ଚିମ’ (୧୯୭୦) ଓ ‘କ୍ରାନ୍ତି’ (୧୯୮୧) ଭଳି ଦେଶାତ୍ମବୋଧକ ଚଳଚ୍ଚିତ୍ରରେ ଅଭିନୟ ତାଙ୍କୁ ‘ଭାରତ କୁମାର’ ଉପନାମ ଦେଇଥିଲା। ସେ ‘ଶୋର୍’ (୧୯୭୨)ରେ ନିର୍ଦ୍ଦେଶନା ଦେବା ସହ ସେଥିରେ ଅଭିନୟ ମଧ୍ୟ କରିଥିଲେ। ମନୋଜ କୁମାର ୧୯୭୫ ମସିହାରେ ଫିଲ୍ମ ‘ରୋଟି କପଡ଼ା ଔର ମକାନ୍’ ପାଇଁ ଫିଲ୍ମ ଫେୟାର ପୁରସ୍କାରରେ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ପାଇଥିଲେ। ୧୯୯୨ରେ ତାଙ୍କୁ ପଦ୍ମଶ୍ରୀ, ୧୯୯୯ରେ ଫିଲ୍ମ ଫେୟାର ଲାଇଫ୍ ଟାଇମ୍ ଆଚିଭ୍ମେଣ୍ଟ ଆୱାର୍ଡ ଏବଂ ୨୦୧୫ରେ ଦାଦାସାହେବ ଫାଲ୍କେ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ୨୦୦୪ ସାଧାରଣ ନିର୍ବାଚନ ପୂର୍ବରୁ ମନୋଜ କୁମାର ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇଥିଲେ।