ଦିଲ୍ଲୀ ମେଟ୍ରୋର ନିରାପତ୍ତା ଓ ସୁରକ୍ଷା ଦାୟିତ୍ୱରେ ଏବେ ସିଆଇଏସ୍‌ଏଫ୍‌ର ନୂତନ ମହିଳା ଡଗ୍‌ ସ୍କାର୍ଡ

ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀରେ ଚଳାଚଳ କରୁଥିବା ମେଟ୍ରୋ ଟ୍ରେନ୍‌ର ନରାପତ୍ତା ଓ ସୁରକ୍ଷା ବ୍ୟବସ୍ଥା ସମ୍ଭାଳିବା ପାଇଁ ଏକ ନୂତନ ମହିଳା କୁକୁର ବାହିନୀ (ଡଗ୍‌ ସ୍କାର୍ଡ) ମୁତୟନ କରାଯାଇଛି। ନୂଆଦିଲ୍ଲୀ ମେଟ୍ରୋ ଟ୍ରେନ୍‌ର ନରାପତ୍ତା ଓ ସୁରକ୍ଷା ଦାୟିତ୍ୱରେ ମୁତୟନ ଥିବା କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ (ସିଆଇଏସ୍‌ଏଫ୍‌) ପକ୍ଷରୁ ଏହି ଘୋଷଣା କରାଯାଇଛି।

ପୂର୍ବରୁ ସିଆଇଏସ୍‌ଏଫ୍‌ ପକ୍ଷରୁ ମେଟ୍ରୋ ଟ୍ରେନ୍‌ର ନରାପତ୍ତା ଓ ସୁରକ୍ଷା ବ୍ୟବସ୍ଥା ସମ୍ଭାଳିବା ପାଇଁ କୁକୁର ବାହିନୀ (ଡଗ୍‌ ସ୍କାର୍ଡ)ର ଗଠନ କରାଯାଇଥିଲା। ଏବଂ ଏହି ଡଗ୍‌ ସ୍କାର୍ଡରେ ୫୨ଟି ନାମୀଦାମୀ ପ୍ରଜାତିର କୁକୁର ସାମିଲ ଥିିଲେ। ତେବେ, ସିଆଇଏସ୍‌ଏଫ୍‌ ଏବେ ଏହି ଡଗ୍‌ ସ୍କାର୍ଡରେ ତୃତୀୟ ପର୍ଯ୍ୟାୟ ସଂପ୍ରସାରଣ ଘଟାଇ ସ୍କାର୍ଡରେ ଆଉ ୮ଟି ନୂତନ କୁକରଙ୍କୁ ସାମିଲ କରାଇଛି। ହେଲେ, ଉଲ୍ଲେଖନୀୟ ହେଉଛି ତୃତୀୟ ପର୍ଯ୍ୟାୟରେ ଡଗ୍‌ ସ୍କାର୍ଡରେ ସ୍ଥାନ ପାଇବାକୁ ଯାଉଥିବା ୮ଟି ଯାକ କୁକୁର ହେଉଛନ୍ତି ଲାର୍ବାଡର ପ୍ରଜାତିର ଓ ସମସ୍ତେ ମାଈ। ଏହି ୮ଟି ମାଈ ଲାର୍ବାଡରଙ୍କ ସାମିଲ ପରେ ଡଗ୍‌ ସ୍କାର୍ଡରେ କୁକୁରମାନଙ୍କର ସଂଖ୍ୟା ୬୦କୁ ବୃଦ୍ଧି ପାଇଛି।

ମେଟ୍ରୋ ଟ୍ରେନ୍‌ର ନରାପତ୍ତା ଓ ସୁରକ୍ଷା ଦାୟିତ୍ୱ ବହନ କରିଥିବା ସିଆଇଏସ୍‌ଏଫ୍‌ର ଜନୈକ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ମେଟ୍ରୋର ସୁରକ୍ଷା ଦିଗରେ ଡଗ୍‌ ସ୍କାର୍ଡର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଆଜିକାଲି ଆତଙ୍କବାଦୀ ହାମ୍‌ଲା ଉଦ୍ଦେଶ୍ୟରେ ଟ୍ରେନ୍‌ ଓ ରେଳ ଧାରଣାମାନଙ୍କରେ ଯେପରି ବିଭିନ୍ନ ପ୍ରକାରର ବୋମା ଓ ଅନ୍ୟ ବିସ୍ଫୋରକ ସାମଗ୍ରୀ ଆତଙ୍କବାଦୀମାନେ ଖଞ୍ଜୁଛନ୍ତି ସେଗୁଡ଼ିକ ଏହି ଡଗ୍‌ ସ୍କାର୍ଡ ଅତି ସହଜରେ ଖୋଜି ବାହାର କରିବା ସହ ସେଗୁଡ଼ିକୁ ନିଷ୍କ୍ରିୟ କରିଦେଇ ପାରିବ। ଆଉ ଆବଶ୍ୟକତା ସ୍ଥଳେ ଏମାନେ ବିନା ବିଶ୍ରାମରେ ଦିନରାତି ୨୪ ଘଣ୍ଟା ପାଇଁ କାମ କରିବାରେ ସମର୍ଥ। ବିସ୍ଫୋରକ ସାମଗ୍ରୀଗୁଡ଼ିକୁ ଶୁଂଘି ବାହାର କରିବାରେ ଲାର୍ବାଡର ପ୍ରଜାତି କୁକୁରମାନଙ୍କର ବିଶେଷ ଦକ୍ଷତା ରହିଥିବାରୁ ଏଥର କେବଳ ଏହି ପ୍ରଜାତିକୁ ଡଗ୍‌ ସ୍କାର୍ଡରେ ସାମିଲ କରାଯାଇଛି ଏବଂ ସ୍କାର୍ଡରେ ସାମିଲ ପୂର୍ବରୁ ଏହି କାର୍ଯ୍ୟ ସଂପାଦନ ନିମନ୍ତେ ସେମାନଙ୍କୁ ୬ମାସର ତାଲିମ ପ୍ରଦାନ କରାଯାଇଛି ବୋଲି ସଂପୃକ୍ତ ଅଧିକାରୀ ଜଣକ କହିଛନ୍ତି।

ଡଗ୍‌ ସ୍କାର୍ଡରେ ସାମିଲ ହୋଇଥିବା କିଛି ନୂତନ ଲାର୍ବାଡରଙ୍କ ନାମ ହେଲା; ନିକି, ରୁବି, ଷ୍ଟିଲା, ଆଲିସା, ମାୟା ଓ ହୀନା। ତୃତୀୟ ପର୍ଯ୍ୟାୟରେ ଡଗ୍‌ ସ୍କାର୍ଡରେ ସାମିଲ ହୋଇଥିବା ୮ଟି ମାଈ ଲାର୍ବାଡର ୧୦୭ଟି ମେଟ୍ରୋ ଷ୍ଟେସନ ସମେତ ୧୫୯ କିଲୋମିଟର ରେଳ ଧାରଣାର ସୁରକ୍ଷା ଦାୟିତ୍ୱରେ ମୁତୟନ ରହିବେ।
ପୂର୍ବରୁ ସିଆଇଏସ୍‌ଏଫ୍‌ ଡଗ୍‌ ସ୍କାର୍ଡରେ ୧୭ଟି ଜର୍ମାନ୍‌ ସେଫର୍ଡସ୍‌, ୨୩ଟି ଲାର୍ବାଡର, ୧୦ଟି କକର୍‌ ସ୍ପାନିଏଲସ୍‌ ଏବଂ ୨ଟି ଗୋଲଡେନ୍‌ ରିଟ୍ରାଇର୍ଭସ ମୁତୟନ ଥିଲେ। ଏବେ ଆଉ ୮ଟି ଲାର୍ବାଡର ସାମିଲ ହେବା ପରେ ଏମାନଙ୍କ ସଂପ୍ୟା ଏବେ ୬୦କୁ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର