ସିଆଇଏସଏଫର ସ୍ପଷ୍ଟୀକରଣ: କାର୍ଯ୍ୟାନୁଷ୍ଠାନ ନୁହେଁ, ଓଡ଼ିଆ ଅଧିକାରୀ ସୋମନାଥଙ୍କୁ କରାଯାଇଛି ପୁରସ୍କୃତ

ନୂଆଦିଲ୍ଲୀ: ମୁମ୍ବାଇ ବିମାନବନ୍ଦରରେ ସଲମାନଙ୍କୁ ଅଟକାଇଥିବା ଓଡ଼ିଆ ଯବାନ ସୋମନାଥ ମହାନ୍ତିଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ । ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ସମ୍ପୂର୍ଣ୍ଣ ମିଛ। କାର୍ଯ୍ୟାନୁଷ୍ଠାନ ପରିବ‌ର୍ତ୍ତେ ସୋମାନାଥଙ୍କୁ ପ୍ରଶଂସା ଏବଂ ପୁରସ୍କୃତ କରାଯାଇଥିବା ନେଇ ଟ୍ୱିଟ କରି ସିଆଇଏସଏଫ ପକ୍ଷରୁ ସୂଚନା ଦିଆଯାଇଛି ।

ଗତ ୨୩ତାରିଖରେ ଜାତୀୟ ଗଣମାଧ୍ୟମରେ ଏକ ଖବର ପ୍ରକାଶ ପାଇଥିଲା, ଯେଉଁଥିରେ ସୋମନାଥଙ୍କ ବିରୋଧରେ ସଲମାନଙ୍କୁ ଅଟକାଇଥିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା କୁହାଯାଇଥିଲା। ପ୍ରୋଟୋକଲ୍ ଉଲ୍ଲଂଘନ କରି ଗଣମାଧ୍ୟମ ସହ ଘଟଣା ବିଷୟରେ କଥାବାର୍ତ୍ତା କରିଥିବାରୁ ସୋମାନାଥଙ୍କ ମୋବାଇଲ୍ ଫୋନ୍ ଜବତ କରାଯାଇଛି । ଏହି ଘଟଣା ସମ୍ପର୍କରେ ସେ ଗଣମାଧ୍ୟମ ସହ କଥାବାର୍ତ୍ତା କରିବାରେ ସକ୍ଷମ ନହେବାକୁ ତାଙ୍କ ମୋବାଇଲ୍ ଫୋନ୍ ଜବତ କରାଯାଇଛି ବୋଲି ଖବର ପ୍ରକାଶ ପାଇଥିଲା। ଏଭଳି ଖବର ସାମ୍ନାକୁ ଆସିବା ପରେ ଏବେ ସିଆଇଏସଏଫ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି।

ସିଆଇଏସଏଫ ପକ୍ଷରୁ ଟୁଇଟ କରି କୁହାଯାଇଛି ଯେ, ପ୍ରକାଶ ପାଇଥିବା ଖବର ଭୁଲ ଏବଂ ଭିତ୍ତିହୀନ ଅଟେ | ବାସ୍ତବରେ, ସମ୍ପୃକ୍ତ ଅଧିକାରୀଙ୍କୁ ତାଙ୍କ କର୍ତ୍ତବ୍ୟ ସମ୍ପାଦନ ପାଇଁ ପୁରସ୍କୃତ କରାଯାଇଛି |

ଉଲ୍ଲେଖଯୋଗ୍ୟ, ଟାଇଗର-୩ର ସୁଟିଂ ପାଇଁ ଏକ ଘରୋଇ ଜେଟ୍ରେ ରୁଷିଆ ଯିବା ଲାଗି ମୁମ୍ବାଇ ବିମାନବନ୍ଦରରେ ପହଞ୍ଚିଥିଲେ ବଲିଉଡ ଅଭିନେତା ସଲମାନ ଖାନ । ପ୍ରଶଂସକ ଓ ଫଟୋଗ୍ରାଫରଙ୍କ ଭିଡ ଭିତରେ ସଲମାନ ବିମାନବନ୍ଦର ଗେଟରେ ପହଂଚିବା ପରେ ତାଙ୍କୁ ପାସପୋର୍ଟ ଓ ଅନ୍ୟାନ୍ୟ କାଗଜପତ୍ର ଯାଞ୍ଚ ପାଇଁ ଅଟକାଇବା ସହ ମାସ୍କ ପିନ୍ଧିବା ପାଇଁ କହିଥିଲେ ସୋମନାଥ । ଏହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା ।

ସମ୍ବନ୍ଧିତ ଖବର