ନୂଆଦିଲ୍ଲୀ : ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ୨୦ ମାର୍ଚ୍ଚ, ୨୦୨୩ରେ ‘ସିଟି ଫାଇନାନ୍ସ ରାଙ୍କିଙ୍ଗ୍ ୨୦୨୨’ ପୋର୍ଟାଲ (www.cityfinance.in/rankings)କୁ ଲାଇଭ୍ କରି ଦିଆଯାଇଛି। ସାରା ଦେଶର ପୌର ପ୍ରଶାସନ (ୟୁଏଲ୍‌ବି)ଗୁଡ଼ିକ ଏବେ ସମ୍ପୂର୍ଣ୍ଣ ଭାବେ ଡିଜିଟାଲ ଏବଂ ୧୦୦% ପେପର୍‌ଲେସ୍‌ ପ୍ରକ୍ରିୟା ମାଧ୍ୟମରେ ଏଥିରେ ଅଂଶଗ୍ରହଣ କରିପାରିବେ। ସାରା ଦେଶର ପୌରପାଳିକା ସଂସ୍ଥାଗୁଡ଼ିକର ବର୍ତ୍ତମାନର ଆର୍ଥିକ ସ୍ୱାସ୍ଥ୍ୟର ଗୁଣବତ୍ତା ଏବଂ ଆର୍ଥିକ ପ୍ରଦର୍ଶନରେ ସମୟ ଅନୁକୂଳ ସୁଧାର ଆଣିବା ଆଧାରରେ ମୂଲ୍ୟାଙ୍କନ, ଚିହ୍ନଟ ଏବଂ ପୁରସ୍କୃତ କରିବା ଉଦ୍ଦେଶ୍ୟରେ ‘ସିଟି ଫାଇନାନ୍ସ ରୢାଙ୍କିଙ୍ଗ୍ ୨୦୨୨’ର ଶୁଭାରମ୍ଭ କରାଯାଇଛି।

Advertisment

ଏଥିପୂର୍ବରୁ ୨୮ ଡିସେମ୍ବର, ୨୦୨୨ରେ ଆବାସ ଓ ସହରାଞ୍ଚଳ ବିକାଶ ମନ୍ତ୍ରୀ ହରଦୀପ ସିଂହ ପୁରୀ ‘ସିଟି ଫାଇନାନ୍ସ ରୢାଙ୍କିଙ୍ଗ୍ ୨୦୨୨’ର ମାର୍ଗଦର୍ଶିକା ଉନ୍ମୋଚନ କରିଥିଲେ। ଏହି ମାର୍ଗଦର୍ଶିକା ଅନୁଯାୟୀ, ରୢାଙ୍କିଙ୍ଗ୍‌ରେ ଅଂଶଗ୍ରହଣ କରୁଥିବା ପୌର ପ୍ରଶାସନଗୁଡ଼ିକୁ ତିନୋଟି ପ୍ରମୁଖ ପୌରପାଳିକା ଆର୍ଥିକ ସ୍ଥିତିର ୧୫ଟି ସଙ୍କେତକ ଆଧାରରେ ମୂଲ୍ୟାଙ୍କନ କରାଯିବ। ମୂଲ୍ୟାଙ୍କନର ମାପଦଣ୍ଡଗୁଡ଼ିକ ହେଉଛି– (୧) ସମ୍ବଳ ସଂଗ୍ରହ, (୨) ବ୍ୟୟ କାର୍ଯ୍ୟ ପ୍ରଦର୍ଶନ ଏବଂ (୩) ରାଜସ୍ୱ ପ୍ରଶାସନ। ନିମ୍ନଲିଖିତ ଚାରିଟି ଜନସଂଖ୍ୟା ଶ୍ରେଣୀ ମଧ୍ୟରୁ କୌଣସି ଗୋଟିଏ ଅଧୀନରେ ସହରମାନଙ୍କୁ ସେମାନଙ୍କ ସ୍କୋର ଆଧାରରେ ରୢାଙ୍କ୍ ପ୍ରଦାନ କରାଯିବ। ଏହି ଚାରିଟି ଶ୍ରେଣୀ ହେଉଛି (୧) ୪ ନିୟୁତରୁ ଅଧିକ (୨) ୧-୪ ନିୟୁତ ମଧ୍ୟରେ (୩) ୧ ଲକ୍ଷରୁ ୧୦ ଲକ୍ଷ (୪) ୧୦୦,୦୦୦ରୁ କମ୍‌। ପ୍ରତ୍ୟେକ ଜନସଂଖ୍ୟା ଶ୍ରେଣୀରେ ଶୀର୍ଷ ୩ ସହରକୁ ଜାତୀୟ ସ୍ତର ସହିତ ପ୍ରତ୍ୟେକ ରାଜ୍ୟ/ରାଜ୍ୟ କ୍ଲଷ୍ଟରରେ ମାନ୍ୟତା ପ୍ରଦାନ କରାଯିବ ଏବଂ ପୁରସ୍କୃତ କରାଯିବ।
‘ସିଟୀ ଫାଇନାନ୍ସ ରେଙ୍କିଙ୍ଗ’ରେ ଅଂଶଗ୍ରହଣ କରିବାର ଶେଷ ତାରିଖ ୩୧ ମେ, ୨୦୨୩। ଏଥିରେ ଅଂଶଗ୍ରହଣ କରିବାକୁ ଚାହୁଁଥିବା ପୌର ପ୍ରଶାସନଗୁଡ଼ିକ ଆବଶ୍ୟକ ଦସ୍ତାବିଜ (ଅଡିଟ୍‌ ଯାଞ୍ଚ ହୋଇଥିବା ଆକାଉଣ୍ଟ, ବାର୍ଷିକ ବଜେଟ ଏବଂ ନିଜ ଆଡ଼ୁ ରିପୋର୍ଟ କରାଯାଇଥିବା ପ୍ରଦର୍ଶନ ମେଟ୍ରିକ୍ସ ସହିତ) www.cityfinance.in ୱେବ୍‌ସାଇଟ୍‌ରେ ଦାଖଲ କରିପାରିବେ। ଡାଟାର ପ୍ରାମାଣୀକରଣ ଓ ସତ୍ୟତା ଯାଞ୍ଚ ପରେ ଅନ୍ତିମ ରୢାଙ୍କିଙ୍ଗ୍ ଜୁଲାଇ ୨୦୨୩ରେ ଘୋଷଣା କରାଯିବ ବୋଲି ଆଶା କରାଯାଉଛି।