ନାଗରିକର ଅଧିକାର ସହ କର୍ତ୍ତବ୍ୟ ମଧ୍ୟ ରହିଛି : ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି

ନାଗପୁର : ଦେଶରେ ନାଗରିକତା ଆଇନକୁ ନେଇ ବିବାଦ ଓ ଚର୍ଚ୍ଚା ଚାଲିଥିବାବେଳେ ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଶରଦ ବୋବଡ଼େ ଏକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି । ସେ କହିଛନ୍ତି ଯେ ନାଗରିକତା କେବଳ ଅଧିକାରକଥା କହେ ନାହିଁ, କର୍ତ୍ତବ୍ୟ କଥା ମଧ୍ୟ କହେ । ନାଗରିକର ଯେପରି ଅଧିକାର ରହିଛି, କର୍ତ୍ତବ୍ୟ ମଧ୍ୟ ରହିଛି ।
ନାଗପୁରଠାରେ ରାଷ୍ଟ୍ରସନ୍ଥ ତୁକାଦୋଜି ମହାରାଜ ବିଶ୍ୱବିଦ୍ୟାଳୟର ୧୦୭ ତମ ଦୀକ୍ଷାନ୍ତ ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ସେ ଛାତ୍ରଛାତ୍ରୀମାନଙ୍କୁ କହିଛନ୍ତି ଯେ ନାଗରିକ ହିସାବରେ ସମସ୍ତଙ୍କର ଦାୟିତ୍ୱ ରହିଛି । ନାଗରିକତା କେବଳ ଅଧିକାରକଥା କହେ ନାହିଁ, କର୍ତ୍ତବ୍ୟ କଥା ମଧ୍ୟ କହେ ।
ସେ କହିଛନ୍ତି ଯେ ଆଜିକାଲି ଶିକ୍ଷାର ବ୍ୟାପକ ବ୍ୟବସାୟିକରଣ ହୋଇଛି । କିନ୍ତୁ ଶିକ୍ଷାର ଲକ୍ଷ୍ୟ ହେଉଛି ଚରିତ୍ର ଗଠନ ଓ ପ୍ରଜ୍ଞା ଆହରଣ ।
ସୂଚନାଯୋଗ୍ୟ ଯେ ନାଗରିକତା (ସଂଶୋଧନ) ଆଇନରେ ଥିବା ବ୍ୟବସ୍ଥା ଅନୁସାରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରେ ଧର୍ମୀୟ ହିଂସାର ସମ୍ମୁଖୀନ ହେଉଥିବା ହିନ୍ଦୁ, ବୌଦ୍ଧ, ଶିଖ, ଖ୍ରୀଷ୍ଟିଆନ ଓ ପାର୍ସୀ ଆଦି ସଂପ୍ରଦାୟର ଶରଣାର୍ଥୀମାନଙ୍କୁ ଭାରତରେ ନାଗରିକତା ଦିଆଯିବ । ତେବେ ମୁସଲମାନ ମାନଙ୍କୁ ଏହି ବିଲ୍‌ ମାଧ୍ୟମରେ ନାଗରିକତା ଦିଆଯିବ ନାହିଁ । କିନ୍ତୁ ଏହା ସମ୍ବିଧାନର ବିରୋଧୀ କହି ଆନ୍ଦୋଳନ କରୁଛନ୍ତି ବିରୋଧୀଦଳ ଓ କେତେକ ସାମାଜିକ ସଂଗଠନ ।

ସମ୍ବନ୍ଧିତ ଖବର